ପୁତିନଙ୍କ ଘୋଷଣା ପରେ ବାଇଡେନଙ୍କ ଧମକ

Spread the love

ନୂଆଦିଲ୍ଲୀ: ଦୀର୍ଘ ୭ ମାସ ଧରି ୟୁକ୍ରେନ ବିରୋଧରେ ଆକ୍ରମଣ ଚଳାଇଥିବା ରୁଷ ଏବେ ଏହାକୁ ନିର୍ଣ୍ଣାୟକ ସ୍ତରକୁ ନେବାକୁ ଘୋଷଣା କରିଛି। ରୁଷ ରାଷ୍ଟ୍ରପତି ପୁଟିନ ବୁଧବାର ସବୁଠାରୁ ବଡ ଧମକ ଦେଇଥିଲେ। ନିଜ ଦେଶର ଅଖଣ୍ଡତା ଓ ଲୋକଙ୍କ ସୁରକ୍ଷା ପାଇଁ ସେ ସବୁ ପ୍ରକାରର ବିକଳ୍ପ ବ୍ୟବହାର କରିବାକୁ ଘୋଷଣା କରିଥିଲେ। ଏପରିକି ୟୁକ୍ରେନ ଓ ପଶ୍ଚିମଦେଶ ଗୁଡିକ ଉପରେ ସେ ବିନାଶକ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି ଧମକ ଦେବା ପରେ ଏହାକୁ ନେଇ ଜାତିସଂଘ ମହାସଭାରେ ରୁଷ ବିରୋଧରେ ଗର୍ଜିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଜାତିସଂଘ ମହାସଭାରେ ରୁଷ ବିରୋଧରେ ଗର୍ଜିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଗତକାଲି ରୁଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ଓ ପଶ୍ଚିମ ଦେଶଗୁଡିକୁ ପରମାଣୁ ଅସ୍ତ୍ରର ଧମକ ଦେଇଥିଲେ। ଏଥିସହ ରୁଷ ସେନା ୟୁକ୍ରେନ ଉପରେ ନିଜର ଆକ୍ରମଣକୁ ମଧ୍ୟ ଜୋରଦାର କରିଛି। ଏହାକୁ ନେଇ ବାଇଡେନ ଜାତିସଂଘର ମହାସଭାରେ ରୁଷ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି ମିଳିତ ଜାତିସଂଘ ଚାହୁଁଛି ଯୁଦ୍ଧ ଶେଷ ହେଉ। ଆମେରିକା ବି ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡୁ ବୋଲି ଚାହୁଁଛି। କିନ୍ତୁ ଯୁଦ୍ଧ ଶେଷ ହେବା ପୂର୍ବରୁ ନ୍ୟାୟ ହେବା ଆବଶ୍ୟକ। ଆମେ ସମସ୍ତେ ୟୁକ୍ରେନକୁ ସମର୍ଥନ କରିବା ଉଚିତ୍। ଆମକୁ ଏମିତି ଏକ ପରିବେଶ ସୃଷ୍ଟି କରିବାକୁ ହେବ, ଯେଉଁଠି କେହି କାହାକୁ ନିଜର ଶତ୍ରୁ ଭାବେ ବିବେଚନା କରିବେ ନାହିଁ। ୟୁକ୍ରେନ ଉପରେ ହମଲ କରି ରୁଷ ଜାତିସଂଘର ନିୟମକୁ ଉଲ୍ଲଘଂନ କରିଛି। ରୁଷ ଅତ୍ୟନ୍ତ ଲଜ୍ଜାଜନକ ଭାବେ ନିୟମ ଉଲ୍ଲଘଂନ କରି ଅନାବଶ୍ୟକ ଯୁଦ୍ଧ ଚଳାଇଛି। ରୁଷ ସୈନ୍ୟମାନେ ୟୁକ୍ରେନରେ ଥିବା ସ୍କୁଲ, ସାଧାରଣ ଲୋକ ଘର, ହସ୍ପିଟାଲ ଓ ଐତିହ୍ୟକୁ ଧ୍ୱଂସ କରିଦେଇଛନ୍ତି। ରୁଷ ଆକ୍ରମଣରେ ଧ୍ୱଂସ ହେବାକୁ ବସିଥିବା ୟୁକ୍ରେନକୁ ନ୍ୟାୟ ମିଳିବା ଦରକାର। ମିଳିତ ଜାତିସଂଘ ରୁଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ ଥିଲା। ରୁଷ ସହ ଲଢେଇ କରିବା ପାଇଁ ୟୁକ୍ରେନକୁ ଆମେରିକା ସହଯୋଗ କରୁଛି। ରାଷ୍ଟ୍ରପତି ପୁଟିନଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ ମସ୍କୋ କ’ଣ ଚାହୁଁଛି। ପୂରା ଜାତିସଂଘ ଏଥିରେ ହସ୍ତକ୍ଷେପ କରିବା ଦରକାର ବୋଲି ବାଇଡେନ କହିଛନ୍ତି।

ଗତକାଲି ରୁଷ ରାଷ୍ଟ୍ରପତି ପୁଟିନ ଦେଶବାସୀଙ୍କୁ ସମ୍ୱୋଧନ କରିବାବେଳେ ପାଶ୍ଚାତ୍ୟ ଦେଶଗୁଡିକୁ ଚେତାବନୀ ଦେଇ କହିଥିଲେ ସରିନି ଯୁଦ୍ଧ। ବରଂ ଅଧିକ ଭୟଙ୍କର ହେବ ଋଷିଆ-ୟୁକ୍ରେନ୍‌ ଯୁଦ୍ଧ। କାରଣ ଆତ୍ମରକ୍ଷା ପାଇଁ ଯେ କୌଣସି ସ୍ତରକୁ ଯାଇପାରୁ ବୋଲି କହି ଆବଶ୍ୟକ ହେଲେ ପରମାଣୁ ଅସ୍ତ୍ରର ପ୍ରୟୋଗ କରିବେ। ନିଜ ଦେଶର ସାର୍ବଭୌମତ୍ୱ  ଓ ଆତ୍ମରକ୍ଷା ଲାଗି ପରମାଣୁ ଅସ୍ତ୍ରର ପ୍ରୟୋଗ କରାଯିବ ବୋଲି ଧମକ ଦେଇଥିଲେ ପୁଟିନ୍। ୟୁକ୍ରେନକୁ ଅସ୍ତ୍ର କରି ଋଷକୁ ଦୁର୍ବଳ ଓ ଧ୍ୱଂସ କରିବାକୁ ପାଶ୍ଚାତ୍ୟ ରାଷ୍ଟ୍ରର ଉଦ୍ୟମକୁ ପଣ୍ଡ କରିବାକୁ ଋଷ୍ ଯେକୌଣସି ସ୍ତରକୁ ଯିବ। ୟୁକ୍ରେନବାସୀ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁନାହାନ୍ତି। ପଶ୍ଚିମ ଦେଶଗୁଡିକ ୟୁକ୍ରେନ ଜରିଆରେ ରୁଷକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି। ପରମାଣୁ ଅସ୍ତ୍ର ସମ୍ପନ୍ନ ରାଷ୍ଟ୍ର ରୁଷକୁ ପାଲଟା ପରମାଣୁ ଅସ୍ତ୍ର ଦେଖାଇ ଡରାଉଛନ୍ତି। ଆମେରିକା, ବ୍ରିଟେନ ଓ ୟୁରୋପୀୟ ରାଷ୍ଟ୍ରସଂଘ ପରୋକ୍ଷରେ ରୁଷରେ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ୟୁକ୍ରେନକୁ ଉସକାଇବାରେ ଲାଗିଛନ୍ତି। ଏହା ରୁଷ ବିରୋଧି ଚିନ୍ତାଧାରା। ପାଶ୍ଚାତ୍ୟ ରାଷ୍ଟ୍ର ସମୂହ ସୀମା ଟପି ଗଲେଣି। ଯଦି କେହି ରୁଷକୁ ପରାମାଣୁ ଅସ୍ତ୍ର ଦ୍ୱାରା ବ୍ଳାକବେଲ କରିବାକୁ ଚେଷ୍ଟା କରନ୍ତି ତାହେଲେ ଆମେ ମଧ୍ୟ ଏହାର ପାଲଟା ଜବାବ ଦେବା ଜାଣିଛୁ ବୋଲି କଡା ଚେତାବନୀ ଦେଇଥିଲେ ପୁଟିନ୍।

ତେବେ ପୁଟିନଙ୍କ ଏଭଳି ଧମକ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ରକ୍ତମୁଖା କରିଛି। ଯାହାକୁ ନେଇ ଜାତିସଂଘରେ ପୁଟିନଙ୍କ ବିରୋଧରେ ବର୍ଷିଛନ୍ତି ବାଇଡେନ।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *