ବେଜିଂ: ଚୀନର ସଂକ୍ରମଣକୁ ଦେଖି ବିଶ୍ବର ପ୍ରାୟ ଡର୍ଜନ ରାଷ୍ଟ୍ର ଚୀନ ଯାତ୍ରୀଙ୍କ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ। ସେହିସବୁ ରାଷ୍ଟ୍ର ପକ୍ଷରୁ ଚୀନରୁ ଯାତ୍ରା କରୁଥିବା ଲୋକ କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି।
ଚୀନ ଯାତ୍ରୀଙ୍କ ଉପରେ କଡା କଟକଣା ଲଗାଇଥିବା ରାଷ୍ଟ୍ରଗୁଡିକ ମଧ୍ୟରେ ରହିଛି ଆମେରିକା, ୟୁରୋପୀୟ ସଂଗଠନ, ଅଷ୍ଟ୍ରେଲିଆ, କାନାଡା, ୟୁକେ, ଇଜରାଏଲ, ଜାପାନ, ଦକ୍ଷିଣ କୋରିଆ, ଭାରତ, ମରକୋ। ଏହି ସବୁ ରାଷ୍ଟ୍ରର ବିମାନ ବନ୍ଦରରେ ଚୀନରୁ ଯାଇଥିବା ଯାତ୍ରୀଙ୍କ କୋଭିଡ ଟେଷ୍ଟିଂକୁ ବାଧ୍ୟତାମୂଳକ ହୋଇଛି।
ଏହି ସବୁ ରାଷ୍ଟ୍ରରେ ଚୀନ, ହଂକଂରୁ ଯାଉଥିବା ଲୋକଙ୍କ ଆରଟିପିସିଆର ଟେଷ୍ଟ କରାଯାଇଛି। କାରଣ ସମ୍ପ୍ରତି ଚୀନରେ କରୋନା ସଂକ୍ରମଣ ଉତ୍କଟ ରୁପ ନେଇଛି। ସେଠାରେ ଜିରୋ କୋଭିଡ ଆଇନକୁ ଲୋକଙ୍କ ଆନ୍ଦୋଳନ ପରେ ସରକାର ଉଠାଇ ଦେଇଛି। କଟକଣା ଉଠିବା ପରେ ସେଠାରେ ସଂକ୍ରମଣ ଆହୁରି ବଢୁ ଚାଲିଛି।
ଅନ୍ୟପଟେ ଚୀନରେ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ମଧ୍ୟ ଅହେତୁକ ଭାବେ ବୃଦ୍ଧିପାଇଛି। ସେଠାର ସରକାର ଯଦିଓ କୋଭିଡ ମୃତ୍ୟୁକୁ ଖଣ୍ଡନ କରୁଛି, କିନ୍ତୁ ସେଠାକାର ଶ୍ମଶାନରେ ମୃତଦେହର ଲମ୍ବା ଧାଡି ଦର୍ଶାଉଛି ଚୀନରେ ସଂକ୍ରମଣର ଭୟାବହତା।
ସ୍ଥିତି ଏମିତି ହୋଇଛି କି, ଚୀନରେ କରୋନା ରୋଗୀଙ୍କୁ ହସ୍ପିଟାଲରେ ବେଡ ମିଳୁ ନାହିଁ। ଔଷଧର ମଧ୍ୟ ବହୁ ଅଭାବ ଦେଖା ଦେଇଛି। ସଂକ୍ରମଣ ପରେ ଲୋକଙ୍କୁ ଘରେ ରହି ଚିକିତ୍ସା କରିବାକୁ କୁହାଯାଉଛି। ସଂକ୍ରମଣ ଓ ସଂକ୍ରମଣଜନିତ ମୃତ୍ୟୁକୁ ଦେଖି ସରକାର କରୋନା ସଂକ୍ରମଣଜନିତ ମୃତ୍ୟୁକୁ ନେଇ ଆଣିଛି ନୂଆ ଆଇନ।
ଯେଉଁଲୋକ ହାର୍ଟଆଟାକ, କ୍ୟାନ୍ସର, ବ୍ଲଡପ୍ରେସର, କିଡନୀ ଜନିତ ରୋଗ ଓ ଅନ୍ୟାନ୍ୟ ରୋଗରେ ପୀଡିତ ଥିବେ , ଯଦି ସଂକ୍ରମିତ ହେବା ପରେ ମୃତ୍ୟୁବରଣ କରନ୍ତି, ତେବେ ଏହି ମୃତ୍ୟୁକୁ କରୋନା ମୃତ୍ୟୁ ଧରାଯିବ ନାହିଁ। କେବଳ ଶ୍ବାସକ୍ରୀୟା ଜନିତ ମୃତ୍ୟୁ ପାଇଁ କୋଭିଡ ମୃତ୍ୟୁ ସାର୍ଟିଫିକେଟ ଦିଆଯିବ ବୋଲି ସରକାର ନୂଆ ଆଇନ ଆଣିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now