ଇସଲାମବାଦ: ଦେବାଲିଆ ପାକିସ୍ତାନ। ଦୀର୍ଘ ସମୟରୁ ପାକିସ୍ତାନ ଆର୍ଥିକ ଦୁରାବସ୍ଥା ଦେଇ ଗତିକରୁଛି, ଯାହାକୁ ଗତ ବର୍ଷ ଆସିଥିବା ବନ୍ୟା ଆହୁରି ବଢାଇ ଦେଇଛି। ବର୍ତ୍ତମାନ ଦେଶରେ ଦେଖାଦେଇଛି ମାନ୍ଦାବସ୍ଥା ସହ ଖାଦ୍ୟ ସଂକଟ। ସାଧାରଣ ଜନତା ପାଇଁ ଦୁଇ ଓଳି ଖାଦ୍ୟ ଯୋଗାଡ କରିବା ହୋଇ ପଡିଛି ଅସମ୍ଭବ ।
ସମ୍ପ୍ରତି ପାକିସ୍ତାର ଘୋର ମାନ୍ଦାବସ୍ଥା ଦେଇ ଗତି କରୁଛି। ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କଥା ଛାଡ ଖାଦ୍ୟ ପଦାର୍ଥ ଯୋଗାଡିବା ମଧ୍ୟ ଲୋକଙ୍କ ପାଇଁ ଅସମ୍ଭବ ହୋଇ ପଡିଲାଣି। ଗୋଟିଏ ବର୍ଷରେ ଖାଦ୍ୟ ପଦାର୍ଥର ଦର ୫୦ ପ୍ରତିଶତ ବଢିଯାଇଛି। ଗତବର୍ଷ ଜାନୁଆରୀ ମାସରେ ଯେଉଁଠି ପିଆଜର ଦର ପାକିସ୍ତାନୀ ଟଙ୍କା ୩୬.୭ ଥିଲା ଚଳିତ ମାସରେ ଏହା ୨୨୦ରେ ପହଞ୍ଚି ଯାଇଛି।
ସେହିପରି ପେଟ୍ରୋଲ ଦର ଗତ ବର୍ଷ ତୁଳନାରେ ଚଳିତ ଜାନୁଆରୀରେ ୪୮ ପ୍ରତିଶତ ଓ ଡିଜେଲ ମୂଲ୍ୟ ୬୧ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହାର ଫଳ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଓ ଖାଦ୍ୟ ପାନୀୟ ଉପରେ ପଡିଛି। ପାକିସ୍ତାନ ବ୍ୟୁରୋ ଅଫ ଷ୍ଟେଟିକ୍ସ ଅନୁସାରେ କୁକୁଡା ମାଂସ ଦର ବର୍ଷକରେ ୮୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଡାଲି ଦର ୫୧ ପ୍ରତିଶତ, ବାସୁମତି ଚାଉଳ ୪୬ ପ୍ରତିଶତ, ସୋରିଷ ତେଲ ୪୨ ପ୍ରତିଶତ, ଦୁଗ୍ଧ ଦର ୩୦ ପ୍ରତିଶତ ବଢିଛି।
ପାକିସ୍ତାନରେ ଡିସେମ୍ବର ୨୦୨୧ରେ ମାନ୍ଦାବସ୍ଥା ୧୨.୩ ପ୍ରତିଶତ ଥିବା ବେଳେ ଡିସେମ୍ବର ୨୦୨୨କୁ ଏହା ବୃଦ୍ଧି ପାଇ ୨୪.୫ ପ୍ରତିଶତରେ ପହଞ୍ଚିଛି। ସେହିପରି ଖାଦ୍ୟ ପଦାର୍ଥ ଉପରେ ସବୁଠାରୁ ଅଧିକ ମାନ୍ଦାବସ୍ଥାର ପ୍ରଭାବ ପଡିଛି। ଡିସେମ୍ବର ୨୦୨୧ରେ ଖାଦ୍ୟ ପଦାର୍ଥର ମାନ୍ଦାବସ୍ଥା ୧୧.୭ ପ୍ରତିଶତ ଥିଲା, ଯାହା ଡିସେମ୍ବର ୨୦୨୨ରେ ୩୨.୭ ପ୍ରତିଶତକୁ ପହଞ୍ଚିଛି। ବର୍ତ୍ତମାନ ପାକିସ୍ତାନରେ ଗହମର ଘୋର ଅଭାବ ଦେଖାଦେଇଛି। ଅନେକ ସ୍ଥାନରେ ଅଟା ମିଳୁନଥିବା ବେଳେ ଯେଉଁଠି ମିଳୁଛି ତାର ଦର ଆକାଶ ଛୁଆଁ, ଯାହା ସାଧାରଣ ଲୋକଙ୍କ କ୍ଷମତାଠୁ ବହୁ ଦୂରରେ। କରାଚି ପରି କିଛି ସହରରେ ଅଟା କେଜି ୧୪୦-୧୬୦ ପାକିସ୍ତାନୀ ମୁଦ୍ରାରେ ଉପଲବ୍ଧ ହେଉଛି।
ପାକିସ୍ତାନୀ ବିଦେଶୀ ମୁଦ୍ରା ଭଣ୍ଡାର ବି ଦ୍ରୁତ ଗତିରେ ହ୍ରାସ ପାଇଛି। ଡିସେମ୍ବର ୨୦୨୨ର ସଂଖ୍ୟା ଅନୁସାରେ ପାକିସ୍ତାନ ନିକଟରେ ଏବେ ୧୧.୪ ବିଲିୟନ ଡଲାରର ବିଦେଶୀ ମୁଦ୍ରା ଭଣ୍ଡାର ବାକି ରହିଛି। ବିଗତ ଦିନରେ ଶ୍ରୀଲଙ୍କାରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା, ଯାହା ଜନଅସନ୍ତୋଷର ଦାନା ବାନ୍ଧିବା ସହ ଶେଷରେ ସରକାର ଭାଙ୍ଗିଦେଇଥିଲା। ତେଣୁ ନିଜ ସରକାର ବଞ୍ଚାଇବାକୁ ସାହବାଜ ସରିଫ ସରକାରକୁ ଅର୍ଥର ଆବଶ୍ୟକତା ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now