କ’ଣ ୨୦୦୮ ଭଳି ସ୍ଥିତି ଉପୁଜିବ?

Spread the love

() ମାଡି ଆସୁଛି ମାନ୍ଦାବସ୍ଥା। ପ୍ରଥମେ ଟ୍ୱିଟର ପରେ ଫେସବୁକ ଏବଂ ଆମାଜାନ ସମେତ ପ୍ରତିଷ୍ଠିତ କମ୍ପାନୀରେ ହେଉଛି ବ୍ୟାପକ ଛଟେଇ। ଯେଉଁଭଳି ପ୍ରତିଷ୍ଠିତ କମ୍ପାନୀ ମାନେ କର୍ମଚାରୀଙ୍କ ଛଟେଇ କରୁଛନ୍ତି ତାହା ଦେଖିଲେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କାରଣ କର୍ମଚାରୀଙ୍କ ମଧ୍ୟରେ ଚାକିରି ହରାଇବାର ଭୟ ଏବଂ ମାକ୍ରୋ ଅର୍ଥନୈତିକ ଅସ୍ଥିରତା, ଚାକିରି ଚିନ୍ତା ଏବଂ ଆର୍ଥିକ ଅନିଶ୍ଚିତତା ରହିଛି। ଯେଉଁଥିପାଇଁ ଏବେ ମାନସିକ ଅବସାଦରେ ରହୁଛନ୍ତି କର୍ମଚାରୀ। ଏସବୁ ଦେଖିଲେ ମନେ ହେଉଛି ଆଗକୁ ଦୁନିଆ ଦେଖିବା ଆଉ ଏକ ମାନ୍ଦାବସ୍ଥା।

ବର୍ତ୍ତମାନର ସ୍ଥିତିକୁ ଦେଖି ମନରେ ପ୍ରଶ୍ନ ଉଠୁଛି, କ’ଣ ଦୁନିଆ ପୁଣି ଥରେ ଦେଖିବ ଆଉ ଏକ ମାନ୍ଦାବସ୍ଥା? କ’ଣ ୨୦୦୮ ଭଳି ସ୍ଥିତି ଉପୁଜିବ? ଫେସବୁକ, ଟ୍ୱିଟର, ଆମାଜାନ ସମେତ ପ୍ରତିଷ୍ଠିତ କମ୍ପାନୀ ଯେଉଁଭଳି କର୍ମଚାରୀଙ୍କ ଛଟେଇ କରୁଛନ୍ତି ଏବଂ ନିଯୁକ୍ତି ଉପରେ ରୋକ୍ ଲଗାଉଛନ୍ତି ତାହା ଦେଖିଲେ ମନରେ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ। ବିଶ୍ୱରେ ଅନେକ କମ୍ପାନୀ ମାନ୍ଦାବସ୍ଥା ପାଇଁ ଛଟେଇ କରୁଛନ୍ତି। ମାକ୍ରୋ ଅର୍ଥନୈତିକ ଅସ୍ଥିରତା, ଚାକିରି ଯିବାର ଭୟ ସମଗ୍ର ବିଶ୍ୱରେ ନିୟମିତ ବ୍ୟବଧାନରେ ହେଉଥିବା ଛଟେଇ ଏବଂ ଆର୍ଥିକ ଅନିଶ୍ଚିତତା ଯୋଗୁଁ ଏବେ ଚିନ୍ତାରେ କର୍ମଜୀବୀ। ଗତ ୬ରୁ ୮ ମାସ ମଧ୍ୟରେ ଏମାନଙ୍କ ଚିନ୍ତା ସ୍ତର ବଡ ମାତ୍ରାରେ ବୃଦ୍ଧି ପାଇଥିବା ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପକ୍ଷରୁ ପ୍ରକାଶ ପାଇଛି। ତଥ୍ୟ ଅନୁସାରେ, ପ୍ରତି ୧୦ରେ ୪ରୁ ୬ ଜଣ କର୍ମଜୀବୀ ମାନସିକ ସ୍ୱାସ୍ଥ୍ୟ ସହାୟତା ଲୋଡୁଛନ୍ତି। ନିଜ ନିଜ ପେସାରେ ଅନିଶ୍ଚିତତା କାରଣରୁ ସେମାନେ ଭୟଭୀତ। ବିଶେଷକରି ସୂଚନା ପ୍ରଯୁକ୍ତି, ଆଇଟି ସମର୍ଥିତ ସେବା ଏବଂ ଟେକ୍ ଷ୍ଟାର୍ଟଅପ୍ କ୍ଷେତ୍ରରେ ଏହି ସମସ୍ୟା ଦୃଶ୍ୟମାନ ହେଉଛି। ଶିଳ୍ପଗୁଡିକରେ ଚାହିଦା ହ୍ରାସ ପ୍ରଭାବ କର୍ମଚାରୀମାନଙ୍କ ଉପରେ ପଡୁଥିବା ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ହ୍ୟାପିପ୍ଳସ୍ କନସଲ୍ଟିଂର ପ୍ରତିଷ୍ଠାତା ତଥା ସିଇଓ ଆଶିଷ ଅମ୍ୱାଷ୍ଟା କହିଛନ୍ତି, ଆମ ନିକଟକୁ ଆସୁଥିବା ପ୍ରତି ୧୦ରେ ୬ ଜଣଙ୍କ ମଧ୍ୟରେ ଚାକିରି ଚାଲିଯିବାର ଭୟ ଦେଖିବାକୁ ମିଳିଛି। ଯନ୍ତ୍ରଣାରେ ରହିବା ଠାରୁ ଯନ୍ତ୍ରଣା ଆସିବ ବୋଲି ଭାବି ସର୍ବଦା ଅନିଶ୍ଚିତତା ମଧ୍ୟରେ ସମୟ କାଟିବା ଅତ୍ୟନ୍ତ ଭୟଙ୍କର। ଜଣେ ଜାଣନ୍ତି ନାହିଁ, ଆଗକୁ କ’ଣ ହେବ? କିନ୍ତୁ ସେ ବିଷୟରେ ସର୍ବଦା ଭାବି ଭାବି ବର୍ତ୍ତମାନକୁ ଖରାପ କରିବା ଉଚିତ୍ ନୁହେଁ। ଏହାଦ୍ୱାରା ମାନସିକ ସ୍ୱାସ୍ଥ୍ୟ ବିଗିଡିବା ଛଡା ଆଉ କିଛି ମିଳିବ ନାହିଁ। ଅମ୍ୱାଷ୍ଟା ଆହୁରି କହିଛନ୍ତି, ଆମ ପାଖକୁ ଆସୁଥିବା କର୍ମଜୀବୀଙ୍କ ମଧ୍ୟରେ ଅଧିକାଂଶ ଅତ୍ୟଧିକ ମାନସିକ ଚିନ୍ତାର ଶିକାର ହେଉଛନ୍ତି। ଆଗକୁ ସବୁକିଛି ଖରାପ ହୋଇଯିବ, ଏଭଳି ଚିନ୍ତା ସବୁବେଳେ ସେମାନଙ୍କୁ ଘାରୁଛି। ରାତି ଅନିଦ୍ରା ରହିବା, ସବୁବେଳେ ଅନ୍ୟମନସ୍କ ରହିବା, ମୁଡ୍ ସ୍ୱିଙ୍ଗ୍ ଏବଂ ସାମାନ୍ୟ କଥାରେ ଉତ୍ତେଜିତ ହେବା ଭଳି ଲକ୍ଷଣ ଏମାନଙ୍କ ପାଖରେ ଦେଖିବାକୁ ମିଳୁଛି।

ତେବେ ଗତ ଏକ ଦଶନ୍ଧିରେ ଟେକ୍ ଇଣ୍ଡଷ୍ଟ୍ରିରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ଆଉ ଏବେ ଯେଉଁ ଧରଣର ଛଟେଇ କରାଯାଉଛି ସେଥିରେ ବିଶ୍ୱ ବଜାରର ଚିନ୍ତା ବଢିଛି। ଭାରତରେ ଟେକ୍ ଏବଂ ଶିକ୍ଷା ସମ୍ୱନ୍ଧିତ କମ୍ପାନୀ ବ୍ୟାପକ ମାତ୍ରାରେ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିବାକୁ ଲାଗିଲେଣି। ବାଇଜୁସ୍ ସମେତ ଅନେକ ଟେକ୍ କମ୍ପାନୀ ଯେଉଁଭଳି ଲୋକଙ୍କୁ ବାହାର କରୁଛନ୍ତି, ସେଥିରୁ ଦୁନିଆର ମାନ୍ଦାବସ୍ଥା ଆସିବା ନେଇ ପ୍ରଶ୍ନ ଉଠିଛି। ଇ-କମର୍ସ କମ୍ପାନୀ ଆମାଜାନ୍ ୨୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, କମ୍ପାନୀ ଅନେକ ବିଭାଗରୁ ଛଟେଇ କରିପାରେ। ଏଥିରେ ଡିଷ୍ଟ୍ରିବ୍ୟୁସନ ସେଣ୍ଟର, ଟେକ୍ନୋଲୋଜି ଷ୍ଟାଫ୍ ଏବଂ କର୍ପୋରେଟ୍ ଏକଜିକ୍ୟୁଟିଭର କର୍ମଚାରୀ ସାମିଲ ଅଛନ୍ତି। ଆଗାମୀ ମାସରେ ଏସବୁ କର୍ମଚାରିଙ୍କୁ ଛଟେଇ କରିପାରେ ଆମାଜାନ୍।

ଏବେ ଆଉ କିଛି ପଦରେ ନିଯୁକ୍ତି ଦିଆଯିବ ନାହିଁ ବୋଲି ଘୋଷଣା କରିଛି ଆମାଜାନ୍। ଆପଲର କହିବା କଥା କମ୍ପାନୀ କିଛି ବିଭାଗରେ ରୋକ୍ ଲଗାଇବାକୁ ଯାଉଛି। କିଛି ମାସ ପୂର୍ବରୁ ପ୍ରତିଷ୍ଠିତ କମ୍ପାନୀ ଗୁଗଲ ଏବଂ ଫେସବୁକ ମଧ୍ୟ ନିଯୁକ୍ତି ଉପରେ ରୋକ୍ ଲଗାଇଛି। ଏହା ବ୍ୟତୀତ କିଛି ଷ୍ଟାଟଅପ କମ୍ପାନୀ ମଧ୍ୟ ବ୍ୟାପକ ମାତ୍ରାରେ ଛଟେଇ କରିଛନ୍ତି। ସେପଟେ ଟ୍ୱିଟର କଥା ତ ନ କହିଲେ ଭଲ ହେବ। କାରଣ ଟ୍ୱିଟର ଗୋଟିଏ ଦିନରେ ହିଁ ଅଧା କର୍ମଚାରୀଙ୍କୁ ଚାକିରିରୁ ବିଦା କରି ସାରିଛି। ଆୟ ଓ ସେୟାର ମୂଲ୍ୟରେ ହ୍ରାସ ଘଟିବା ଯୋଗୁଁ କମ୍ପାନୀ ଗୁଡିକ ଖର୍ଚ୍ଚକାଟ କରିବାକୁ ଛଟେଇ କରିଛନ୍ତି। ଆଗାମୀ କିଛି ମାସ ମଧ୍ୟରେ ଆହୁରି ଅନେକ କମ୍ପାନୀ ଛଟେଇ ନୀତି ଆପଣେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ତେବେ ଭାରତରେ କରୋନା କାଳରେ ଅନଲାଇନ କମ୍ପାନୀ ସହ ଯେଉଁଭଳି ୟୁଜର ଯୋଡି ହୋଇଥିଲେ, ସେହି ସଂଖ୍ୟାରେ ଦିନକୁ ଦିନ ହ୍ରାସ ଘଟିଛି। ଅନଲାଇନ କଣ୍ଟେଣ୍ଟ ଅଧିକରୁ ଅଧିକ ବ୍ୟବହାର କରିବା ପରିବର୍ତ୍ତେ ଦୁନିଆ ଏବେ ପୁଣିଥରେ ପୂର୍ବାବସ୍ଥାକୁ ଫେରିବାରେ ଲାଗିଛି। ଦୁନିଆର ନାମୀ ଦାମୀ କମ୍ପାନୀ ଆମାଜାନ ହେଉ ଅବା ଭାରତର ଏଜୁକେଟ କମ୍ପାନୀ ବାଇଜୁସ୍ ସମସ୍ତଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି। ଫେସବୁକର ମାଲିକାନା କମ୍ପାନୀ ମେଟାରେ ମଧ୍ୟ ହଜାର ହଜାର ସଂଖ୍ୟାକ କର୍ମଚାରୀଙ୍କ ଛଟେଇ ହୋଇପାରେ ବୋଲି ଜଣାପଡିଛି। ମାଇକ୍ରୋସଫ୍ଟ କମ୍ପାନୀ ମଧ୍ୟ ପ୍ରାୟ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିସାରିଛି। ଏସବୁ ଦେଖିଲେ ମନେ ହେଉଛି ଆଗକୁ ଦୁନିଆ ଦେଖିବା ଆଉ ଏକ ମାନ୍ଦାବସ୍ଥା।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *