ଇସ୍ରାଏଲ ଉପରେ ୨ଶହରୁ ଅଧିକ ମିସାଇଲ ମାଡ଼ କରିଛି ଇରାନ୍

ଲେବାନନ ଉପରେ ଇସ୍ରାଏଲ ସେନାର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ସ୍ଥିତି ଉପୁଜିଲାଣି। ହେଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲା ଓ ହମାସ୍ ନେତା ଇସମାଇଲ ହାନିୟେଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ମଙ୍ଗଳବାର ରାତିରେ ଇସ୍ରାଏଲରେ ରକେଟ୍ ବର୍ଷା କରିଛି ଇରାନ୍। ମାତ୍ର ୧୦ ମିନିଟରେ ଦୁଇଟି ପର୍ଯ୍ୟାୟରେ ୪ଶହ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏମିତିରେ ଗାଜାର ହମାସ୍, ଲେବାନନନ ହେଜବୁଲ୍ଲା ଓ ୟେମେନସ୍ଥିତ ହୁତି ଆତଙ୍କବାଦୀ ସଂଗଠନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଇସ୍ରାଏଲ ଉପରେ ଇରାନ ପରୋକ୍ଷ ଯୁଦ୍ଧ ଚଳାଇଥିଲା। ଏଥର କିନ୍ତୁ ପ୍ରତ୍ୟକ୍ଷ ଯୁଦ୍ଧକୁ ଓହ୍ଲାଇସାରି଼ଛି ଇରାନ୍। ଇରାନର ଅଧିକାଂଶ କ୍ଷେପଣାସ୍ତ୍ରକୁ ଅବଶ୍ୟ ଆୟତ୍ତ କରିବାରେ ଆଇରନ ଡୋମ୍ ସକ୍ଷମ ହୋଇଛି। ଇରାନର ମିସାଇଲ ଆକ୍ରମଣ ମାତ୍ରେ ସାରା ଇସ୍ରାଏଲରେ ଏୟାରରେଡ୍ ସାଇରନ ବାଜିଥିଲା। ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ପଳାଇବାକୁ ପରାମର୍ଶ ଦେଇଥିଲେ ଇସ୍ରାଏଲ ସରକାର। ଏଭଳି ଆକ୍ରମଣର କଡ଼ା ଜବାବ ଦିଆଯିବ ବୋଲି କହିଛି ଇସ୍ରାଏଲ। ଆଉ ଇରାନ ବିରୋଧୀ ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରିଛି ଆମେରିକା। ଇରାନ୍ କ୍ଷେପଣାସ୍ତ୍ରକୁ ଖସାଇଦେବାକୁ ବାଇଡେନ୍‌ ନିର୍ଦେଶ ଦେବା ସହ ଇରାନ ବିରୋଧୀ ଯୁଦ୍ଧର ମୁକାବିଲା ଲାଗି ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ନିର୍ଦେଶ ଦେଇଛନ୍ତି। ହ୍ୱାଇଟ ହାଉସରେ ଜାତୀୟ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ପରିସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। ଇରାନ, ୟେମେନ୍,ସିରିୟା ଓ ଲେବାନନରୁ ମିଳିତ ଆକ୍ରମଣ ହେଉଥିବାରୁ ଇସ୍ରାଏଲକୁ ସହାୟତା ଲାଗି ଆମେରିକା ଆଗେଇଆସିଛି। ତତ୍କାଳ ପଦକ୍ଷେପ ନେବା ସହ କୌଣସି ସାଲିସ ହେବନି ବୋଲି ସ୍ପଷ୍ଟ କରିଦେଇଛନ୍ତି ବାଇଡେନ୍।

ସେପଟେ ଆକ୍ରମଣର ଜବାବ ଦେଲେ ପ୍ରଳୟ ଘଟାଇବାକୁ ବୋଲି ଚେତାବନୀ ଦେଇଛି ଇରାନ୍। ହେଜବୁଲ୍ଲାର ଶୀର୍ଷ ନେତୃତ୍ୱ ମୂଳପୋଛ ପରେ ଇସ୍ରାଏଲ ବିରୁଦ୍ଧରେ ବଡ ଆକ୍ରମଣ କରିଛି ଇରାନ୍। ପ୍ରତିଶୋଧ ନେବାକୁ କୌଣସି ମୂହୂର୍ତ୍ତରେ ଇସ୍ରାଏଲ ଆକ୍ରମଣର ଆଶଙ୍କା କରି ଗୁରୁବାର ଭୋର୍ ୫ଟା ଯାଏ ନିଜର ଏୟାର ସ୍ପେସକୁ ବନ୍ଦ କରିଦେଇଛି ଇରାନ୍। ଭାରତ ଇସ୍ରାଏଲସ୍ଥିତ ନିଜ ନାଗରିକଙ୍କୁ ସତର୍କତା ଜାରି କରିଛି। ସୁରକ୍ଷା ପ୍ରୋଟକଲ ଅନୁପାଳନ ଲାଗି ପରାମର୍ଶ ଦିଆଯାଇଛି। ଇରାନର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଅହମଦିନେଜାଦ୍ ଚାଞ୍ଚଲ୍ୟକର ବୟାନ ଦେଇ ଦାବି କରିଛନ୍ତି ଯେ, ଇରାନର ଜଣେ ଶୀର୍ଷ ଗୁଇନ୍ଦା ସେବା ଅଧିକାରୀ ଇସ୍ରାଏଲର ଗୁପ୍ତଚର ଥିଲେ। ଇସ୍ରାଏଲ ଇରାନରେ ଜଟିଳ ଅପରେସନ ପରିଚାଳନା କରୁଛି। ଅତି ସହଜରେ ଖବର ହାସନ କରିନେଉଛନ୍ତି। ଇରାନ ଗୁଇନ୍ଦା ଟିମରେ ରହି ଇସ୍ରାଏଲ ପାଇଁ ଗୁପ୍ତଚରଗିରିରେ ନିୟୋଜିତ ଥିଲେ। ହେଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ଠିକଣା ସଂକ୍ରାନ୍ତରେ ଇରାନର ଜଣେ ଗୁଇନ୍ଦା ଇସ୍ରାଏଲକୁ ଖବର ଦେବା ଦାବି ପରେ ଅହମଦିନେଜାଦ୍ ଏହି ଦାବି କରିଛନ୍ତି। ଅବଶ୍ୟ ଅହମଦିନେଜାଦ୍ ଏବେକାର ଇରାନ ଶାସନ ବ୍ୟବସ୍ଥାର ଜଣେ କଡା ସମାଲୋଚକ।

ଦକ୍ଷିଣ ଲେବାନନରେ ସକ୍ରିୟ ଥିବା ଇରାନର ସହଯୋଗୀ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଇସ୍ରାଏଲ। ପେଜର, ଓ୍ୱାକିଟକି ବିସ୍ଫୋରଣ ସହ ହେଜବୁଲ୍ଲାର ଶୀର୍ଷନେତୃତ୍ୱଙ୍କୁ ମୂଳପୋଛ କରିଦେଇଛି। ଆଉ ଏହାର ପ୍ରତିଶୋଧ ନେବାକୁ ଇରାନ ଇସ୍ରାଏଲ ଉପରେ ମିସାଇଲ୍ ଆଟାକ୍ କରିଛି। ସେପଟେ ଲେବାନନରେ ଇସ୍ରାଏଲର ସ୍ଥଳ ଅଭିଯାନ ଜାରି ରହିଛି। ଯୁଦ୍ଧ ହେଜବୁଲ୍ଲା ସହ, ଲେବାନନର ଲୋକଙ୍କ ସହ ନୁହେଁ କହି ଇସ୍ରାଏଲ ଆଗେଇଛି। ଆତଙ୍କବାଦୀଙ୍କୁ ନିପାତ କରିବା ଓ ସେମାନଙ୍କ ସମସ୍ତ ଭିତ୍ତିଭୂମି ନଷ୍ଟ କରିବା ପ୍ରକ୍ରିୟା ଜାରି ରହିବ ବୋଲି ସ୍ପଷ୍ଟ କରିଦେଇଛି ଇସ୍ରାଏଲ। ଇସ୍ରାଏଲ-ହେଜବୁଲ୍ଲା ଯୁଦ୍ଧରେ ଗଲା ଦୁଇ ସପ୍ତାହ ଭିତରେ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୦ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହେଲେଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *