ପୁଟିନଙ୍କ ଘର ଉପରେ ଡ୍ରୋନ ଆଟାକ୍। ଋଷ୍ ଦାବି କରିଛି ଯେ, ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କି ହିଁ ଋଷ ସ୍ଥିତ ଘରେ 91 UAV ଡ୍ରୋନରେ ଆକ୍ରମଣ କରିବାକୁ ପ୍ରୟାସ କରିଛନ୍ତି। ଯାହାକୁ ଏୟାର ଡିଫେନ୍ସ ମାରିକି ତଳେ ପକାଇଦେଲା। ତେବେ ଏଭଳି ଆରୋପକୁ ଖଣ୍ଡନ କରିଛି ୟୁକ୍ରେନ। ଏହି ଘଟଣାକ୍ରମ ଶାନ୍ତି ବାର୍ତ୍ତାକୁ ଝଟକା ଦେଇଛି। ସ୍ଥିତି ବିଗୁଡ଼ିଥିବା ଦେଖି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ଫ୍ଲୋରିଡ଼ାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ବୈଠକ ପୂର୍ବରୁ ପୁଟିନଙ୍କ ସହ ସକାଳୁ ରାଷ୍ଟ୍ରପତି ଟ୍ରମ୍ପ କଥାବାର୍ତ୍ତା କରିଥିଲେ। ଆଉ ଏଭଳି ଆକ୍ରମଣରେ ସେ ଅସନ୍ତୁଷ୍ଟ ବୋଲି କହିଛନ୍ତି ଟ୍ରମ୍ପ। କିନ୍ତୁ ୟୁକ୍ରେନ ଯେ ଆକ୍ରମଣ କରିଥିବ, ସେ ଦାବି ଭୁଲ୍ ବି ହୋଇପାରେ। ଯଦି ଏ ଘଟଣା ସତ ପ୍ରମାଣିତ ହୁଏ, ତାହେଲେ ଉଭୟ ଋଷ ଓ ୟୁକ୍ରେନ ଭିତରେ ଉତ୍ତେଜନା ବଢ଼ିପାରେ। ଋଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋ ଏହି ଡ୍ରୋନ ଆକ୍ରମଣକୁ ରାଜ୍ୟ ପ୍ରାୟୋଜିତ ଆତଙ୍କବାଦ କହିଛନ୍ତି। ଏହା ବିରୁଦ୍ଧରେ ଋଷ୍ ସଶସ୍ତ୍ର ବଳ ଦ୍ୱାରା ଜବାବୀ କାର୍ଯାନୁଷ୍ଠାନ କରିବ। ଏଭଳି ସ୍ଥିତିରେ ଶାନ୍ତି ବାର୍ତ୍ତାର ସମୀକ୍ଷା ହେବ।
ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କି କହିଛନ୍ତି, ମିଛର ଆଉ ଏକ ଅଧ୍ୟାୟ ଆରମ୍ଭ କରିଛି ଋଷ୍। ଋଷ ଏଭଳି ଦାବି କରି ଅନ୍ତରାଷ୍ଟ୍ରୀୟ ଚାପରୁ ରକ୍ଷା ପାଇବାକୁ ଚାହୁଁଛି। ଶାନ୍ତି ବାର୍ତ୍ତାକୁ କମଜୋର କରିବାକୁ ପ୍ରୟାସ କରୁଛି। ଉଭୟ ରାଷ୍ଟ୍ର ଭିତରେ ଚାଲିଥିବା ଦୀର୍ଘ ବର୍ଷର ଯୁଦ୍ଧ ପରିସମାପ୍ତି ହେବାର ଯେଉଁ ଆଶା ସଞ୍ଚାର ହୋଇଥିଲା, ତାହା ଏବେ ସମ୍ଭବ ନୁହେଁ ବୋଲି ଜଣାପଡ଼ୁଛି। ଦୁଇ ଦେଶ ଭିତରେ କୂଟନୈତିକଲ ଉତ୍ତେଜନା ବଢ଼ିବାରେ ଲାଗିଲାଣି। ଭାରତର ପ୍ରଧାନମନ୍ତ୍ରୀ ମୋଦି ବି ଏଭଳି ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।
ଗଲା ୨୪ ଘଣ୍ଟା ଭିତରେ ପୁଟିନଙ୍କ ସହ ଦୁଇ ଥର କଥା ହୋଇସାରିଲେଣି ଟ୍ରମ୍ପ। ଏହାର ଦିନକ ଆଗରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କିଙ୍କ ସହ ବି ଭେଟିଥିଲେ। ପୁଟିନଙ୍କ ସହ ତାଙ୍କ କଥାବାର୍ତ୍ତା ସକରାତ୍ମକ ରହିଲା ଓ କିଛି ଜଟିଳ ମୁଦ୍ଦା ସତ୍ତ୍ୱେ ଶାନ୍ତିର ଆଶା ସରିନି ବୋଲି କହିଥିଲେ ଟ୍ରମ୍ପ। ହେଲେ ଏହି ଡ୍ରୋନ୍ ଆଟାକ୍ ପରିସ୍ଥିତିକୁ ବିଗାଡ଼ିଦେଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now