ଭାରତ ରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ମୁସ୍ଲିମ ସାଉଦି ଆରବକୁ ହଜ ପାଇଁ ଯାଇଥାନ୍ତି। କୋଭିଡ ମହାମାରୀ କାରଣରୁ ଦୁଇ ବର୍ଷ ହଜ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଥିଲା। ଚଳିତ ବର୍ଷ ଏହି ପ୍ରତିବନ୍ଧକ ହଟାଇ ଦିଆଯାଇଛି। ଚଳିତ ବର୍ଷ ୧୦ ଲକ୍ଷ ହଜ ଯାତ୍ରୀଙ୍କ ସାଉଦୀ ଆରବରେ ପହଞ୍ଚୁଛନ୍ତି। ତେଣୁ ଯାତ୍ରୀଙ୍କ ସୁବିଧା ପାଇଁ ଏକ ନୂଆ ପଦକ୍ଷେପ ନିଆଯାଇଛି। ତେଣୁ ଆରବ ଦେଶ ୧୪ ଭାଷାରେ ହଜ ଯାତ୍ରୀଙ୍କ ପାଇଁ ଜାରି ହୋଇଛି ହଜ ଗାଇଡ। କିନ୍ତୁ ଭାରତରୁ ଅଧିକାଂଶ ଯାତ୍ରୀ ହଜ ଯାତ୍ରାରେ ଯାଉଥିବା ବେଳେ ହିନ୍ଦୀ ଭାଷାକୁ ସାମିଲ କରାଯାଇ ନାହିଁ।
ଚଳିତ ବର୍ଷ ୧୦ ଲକ୍ଷ ହଜ ଯାତ୍ରୀ ସାଉଦୀ ଆରବ ଯାଉଥିବା ବେଳେ ଭାରତରୁ ଅଛନ୍ତି ୭୯,୨୩୭। ଏହି ଯାତ୍ରୀମାନଙ୍କ ପାଇଁ ଭାରତ ସରକାର ପକ୍ଷରୁ ୧୬୮ ବିଶେଷ ବିମାନର ବ୍ୟବସ୍ଥା ହୋଇଛି। ଏତେ ସଂଖ୍ୟାରେ ହଜ୍ ଯାତ୍ରୀ ଭାରତରୁ ଯାଉଥିବା ବେଳେ କିନ୍ତୁ ହଜ ଗାଇଡରୁ ହିନ୍ଦୀକୁ ବାଦ ଦିଆଯାଇଛି ଓ ଉର୍ଦ୍ଦୁକୁ ସାମିଲ କରାଯାଇଛି। ସାମିଲ ହୋଇଥିବା ଭାଷା ମଧ୍ୟରେ ଆରବୀ, ଇଂରାଜୀ, ଫ୍ରେଞ୍ଚ, ଉର୍ଦ୍ଦୁ, ବଙ୍ଗାଳୀ, ଇଣ୍ଡୋନେସିଆଇ, ମଳୟ, ହୌସା, ଅମ୍ହାରିକ, ଫାର୍ସି, ସ୍ପେନିଶ, ତୁର୍କୀ, ରୁଷୀ ଓ ସିଂହଳୀ ଭାଷା ରହିଛି। ଗାଇଡଲାଇନଟି ୧୦,୧୭୮ ପୃଷ୍ଠାର ହୋଇଥିବା ବେଳେ ଏହାକୁ ଜେନେରାଲ ଅଥୋରିଟି ଫର ଅବକାଫ ଓ ଅନ୍ୟ ସରକାରୀ ସଂଗଠନ ମିଳିତଭାବେ ପ୍ରସ୍ତୁତ କରିଛନ୍ତି।
କିଏ କରିପାରିବେ ହଜ ଯାତ୍ରା
ସାଉଦୀ ସରକାର ଦ୍ବାରା ପ୍ରସ୍ତୁତ ଗାଇଡ ଲାଇନ ଅନୁଯାୟୀ, ହଜ ପାଇଁ କେବଳ ସେହି ବ୍ୟକ୍ତି ମକ୍କା ଯାତ୍ରା କରିପାରିବେ, ଯେଉଁମାନଙ୍କ ବୟସ ୬୫ରୁ କମ ହୋଇଥିବ। କରୋନାର ଦୁଇଟି ଯାକ ଭ୍ୟାକ୍ସିନ ନେଇଥିବେ ଓ ସାଉଦୀରେ ପ୍ରବେଶର ୭୨ ଘଣ୍ଟା ପୂର୍ବରୁ ହୋଇଥିବ ଆରଟିପିସିଆର ଟେଷ୍ଟ। ଯଦି କୌଣସି ମହିଳା ବିନା ପୁରୁଷ ସମ୍ପର୍କୀୟରେ ମକ୍କା ଯାତ୍ରା କରୁଥାନ୍ତି, ତେବେ ତାଙ୍କ ବୟସ ୪୫ରୁ ଅଧିକ ହୋଇଥିବ। ତାଙ୍କ ସହ ଅନ୍ୟ ୪ ମହିଳା ଯାତ୍ରୀ ଥିବେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now