ମିଳିମିଳାକୁ ନେଇ ଚେତାଇଲା ଡବ୍ଲୁଏଚଓ

Spread the love

ନୂଆଦିଲ୍ଲୀ: ମିଳିମିଳାକୁ ନେଇ ଚେତାଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ। ଏହା ମଧ୍ୟ ସାଂଘାତିକ ରୂପ ନେଇପାରେ। ଜଣେ ମିଳିମିଳା ଆକ୍ରାନ୍ତ ୧୨ରୁ ୧୮ଜଣଙ୍କୁ ସଂକ୍ରମିତ କରିପାରେ ବୋଲି କହିଛି ଡବ୍ଲୁଏଚଓ। ସାରା ବିଶ୍ୱରେ ବଢି ଚାଲିଥିବା ମିଳିମିଳା ଉପରେ ଏପରି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛି ଡବ୍ଲ୍ୟୁଏଚଓ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ମିଳିମିଳା ଜଟିଳ ହେବାକୁ ଲାଗିଛି।

ଡବ୍ଲୁଏଚଓ ଅନୁସାରେ, ୨୦୨୧ରେ ସାରା ବିଶ୍ୱରେ ୯୦ଲକ୍ଷ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିବା ବେଳେ ୧ଲକ୍ଷ ୮୦ ହଜାର ରୋଗୀଙ୍କ ମୃତ୍ୟୁ ହୋଇଥିଲା। ୨୨ଟି ଦେଶରେ ଏହି ମାରାତ୍ମକ ଭୂତାଣୁ ବ୍ୟାପିଥିଲା। ଏଥିପାଇଁ ଟିକାକରଣ ଏବଂ ସତର୍କତା ଅଭାବକୁ ମୁଖ୍ୟ କାରଣ ବୋଲି କୁହାଯାଇଥିଲା। ବର୍ତ୍ତମାନ ମହାମାରୀ କରୋନା ପାଇଁ ଟିକାକରଣରେ ହ୍ରାସ ଘଟିବା ଏବଂ ଲୋକେ ଖାମଖିଆଲ ଆଚରଣ କରିବା ଚିନ୍ତାର କାରଣ ସାଜିଛି।

ଗତବର୍ଷ ୪କୋଟି ଶିଶୁଙ୍କୁ ମିଳିମିଳା ଟିକାକରଣ ହୋଇନଥିଲା, ଯେଉଁଥିରୁ ଅଢୋଇ କୋଟି ଶିଶୁ ଟିକାର ପ୍ରଥମ ଡୋଜ୍ ନେଇନାହାଁନ୍ତି। ୧ କୋଟି ୪୭ ଲକ୍ଷ ଶିଶୁ ଟିକାର ଦ୍ୱିତୀୟ ଡୋଜ୍ ନେଇ ପାରି ନାହାଁନ୍ତି। ବିଶ୍ୱର ସବୁଠୁ ସଂକ୍ରାମକ ଭୂତାଣୁ ମଧ୍ୟରୁ ମିଳିମିଳା ଭୂତାଣୁ ଅନ୍ୟତମ। ଟିକାକରଣ ଦ୍ୱାରା ହିଁ ଏହାକୁ ରୋକାଯାଇ ପାରିବ। ସାରା ବିଶ୍ୱରେ ମିଳିମିଳାକୁ ନିୟନ୍ତ୍ରଣ କରିବାକୁ ହେଲେ ୯୫ ପ୍ରତିଶତଙ୍କୁ ଟିକାକରଣ ଜରୁରୀ।

ଏହାରି ଭିତରେ ମୁମ୍ବାଇରେ ମିଳିମିଳାର ସଂକ୍ରମଣ ଚିନ୍ତା ବଢାଇଛି। ଏଯାଏଁ  ୨୩୩ ଜଣ ମିଳିମିଳାରେ ଆକ୍ରାନ୍ତ ହୋଇଥିବା ବେଳେ ୧୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ନିଜ ନିଜ ଶିଶୁଙ୍କୁ ଭ୍ୟାକସିନ୍ ଦେବାକୁ ବିଏମସି ପକ୍ଷରୁ ଅପିଲ କରାଯାଇଛି।

Leave a Reply

Your email address will not be published. Required fields are marked *