ନିର୍ଣ୍ଣାୟକ ମୋଡ଼ରେ ଯୁଦ୍ଧ ,କିଏ ହେବ ପ୍ରଭାବିତ ?

ଇସ୍ରାଏଲ-ହେଜବୁଲ୍ଲା ଯୁଦ୍ଧ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଗଲା ୩ ଦିନର ସଂଘର୍ଷରେ ଲେବାନନରେ ଛାରଖାର ଅବସ୍ଥା ଦେଖିବାକୁ ମିଳିଛି। ୯୦ହଜାରରୁ ଅଧିକ ବିସ୍ଥାପିତ ହେଲେଣି। ବୋମା ବର୍ଷାରେ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି। ଗାଜାରେ ଇସ୍ରାଏଲର ଆକ୍ରମଣ ପରେ ଯେଉଁ ବିନାଶକାରୀ ସ୍ଥିତି ସୃଷ୍ଟି ହୋଇଛି, ଅନୁରୂପ ସ୍ଥିତି ଲେବାନନରେ ବି ଉପୁଜିବାର ଆଶଙ୍କା ରହିଛି। ଯୁଦ୍ଧ ହେଲେ, ଏହାର ପ୍ରଭାବ ଭାରତ ଉପରେ ବି ପଡ଼ିବାର ଆଶଙ୍କା ରହିଛି। ସେଥିଲାଗି ଭାରତ ବି ବେଶ୍ ସତର୍କତାର ସହ ପରିସ୍ଥିତି ପ୍ରତି ନଜର ରଖିଛି।

ଗଲା ୧୧ ମାସ ହେଲା ଇସ୍ରାଏଲ ଓ ଲେବାନନ ଆତଙ୍କବାଦୀ ସଂଗଠନ ଭିତରେ ବୃଦ୍ଧି ପାଇଥିବା ଉତ୍ତେଜନା ସ୍ଥିତି ଉଭୟଙ୍କୁ ଯୁଦ୍ଧମୁହାଁ କରିସାରିଲାଣି। ଲେବାନନସ୍ଥିତ ହେଜବୁଲ୍ଲା ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ଉପରେ ଇସ୍ରାଏଲ ବଡ଼ ଧରଣର ଆକ୍ରମଣ କରିବାରୁ ଲେବାନନ ଏକପ୍ରକାର ଛାରଖାର୍ ହୋଇଗଲାଣି। ଇସ୍ରାଏଲ ସେନାର ଏୟାର ଷ୍ଟ୍ରାଇକରେ ମୃତ୍ୟୁ ସଂଖ୍ୟା ୬ଶହ ଡେଇଁଲାଣି। ମୃତକଙ୍କ ଭିତରେ ପିଲା ଓ ମହିଳା ବି ଅଛନ୍ତି। ହଜାର ହଜାର ଆହତ ହୋଇଛନ୍ତି। ୨୦୦୬ ଯୁଦ୍ଧ ପରେ ଲେବାନନରେ ଇସ୍ରାଏଲର ସବୁଠୁ ବଡ଼ ଘାତକ ଆକ୍ରମଣ ବୋଲି କୁହାଯାଉଛି। ସେପ୍ଟେମ୍ୱର ୧୭ ଓ ୧୮ରେ ଲେବାନନରେ ହୋଇଥିବା ପେଜର୍ ଓ ଓ୍ୱାକିଟକି ବିସ୍ଫୋରଣରେ ହେଜବୁଲ୍ଲାର ୩୭ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ୩ହଜାରରୁ ଅଧିକ ଆହତ ହୋଇଥିଲେ। ଏହାର ଜବାବରେ ହେଜବୁଲ୍ଲା ପ୍ରାୟ ୨ଶହ ରକେଟ୍ ମାଡ଼ ପରେ ଇସ୍ରାଏଲ ତାହାର ଆକ୍ରମଣକୁ ଅଧିକ ଭୀଷଣ କରିଛି। ହେଜବୁଲ୍ଲାର  ୧୬ଶହ ସ୍ଥାନକୁ ଟାର୍ଗେଟ କରି ବୋମାମାଡ଼ ସହ ଦକ୍ଷିଣ ଲେବାନନର ଲୋକଙ୍କୁ ଘରଦ୍ୱାର ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲା ଇସ୍ରାଏଲ ସେନା।

ଗାଜାରେ ଥିବା ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହମାସକୁ ସମର୍ଥନ ଜଣାଇ ହେଜବୁଲ୍ଲା ଉତ୍ତର-ଇସ୍ରାଏଲ ଉପରେ ରକେଟ୍, କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରିଥିଲା। ଆଉ ଏହାର ପ୍ରତିଶୋଧ ନେବାକୁ ହେଜବୁଲ୍ଲାକୁ ମୂଳପୋଛ କରିବାକୁ ପଣ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ହେଜବୁଲ୍ଲା ସହ ବିବାଦର ସମାଧାନ ପାଇଁ କୌଣସି କୂଟନୈତିକ ସମାଧାନ ନାହିଁ। ଯେହେତୁ ଏହା ଏକ ଆତଙ୍କି ସଂଗଠନ। ଏହା ସହ କୌଣସି ସାଲିସର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ନେତାନ୍ୟାହୁ। ସେପଟେ ଇସ୍ରାଏଲ ଆତଙ୍କକୁ ପ୍ରୋତ୍ସାହନ ଦେବା ସହ ବିସ୍ତାର କରୁଛି ବୋଲି ପାଲଟା ଆରୋପ ଲଦିଛନ୍ତି ଲେବାନନ ପ୍ରଧାନମନ୍ତ୍ରୀ ନାଜିବ୍ ମିକାଟି। ଲେବାନନକୁ କୌଣସି ପରିସ୍ଥିତିରେ ଆଉ ଏକ ଗାଜାରେ ପରିଣତ କରିବାକୁ ଦିଆଯିବନି। ତା ସହ ଇସ୍ରାଏଲକୁ ନିଜର କର୍ମ ଲାଗି ଶାସ୍ତି ମିଳିବ ବୋଲି କହିଛି ଇରାନ୍। ୟୁନ୍ ସିକ୍ୟୁରିଟି କାଉନସିଲର ଦୃଷ୍ଟି ଆକର୍ଷଣ କରି ନାଜିବ୍ କହିଛନ୍ତି ଯେ, ସୋମବାରରୁ ଇସ୍ରାଏଲର ଘନ ଘନ ବୋମାମାଡ଼ରେ ୬ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଇସ୍ରାଏଲ-ହେଜବୁଲ୍ଲା ଭିତରେ ଯୁଦ୍ଧକୁ ନେଇ ଜାତୀୟ ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ଡାକିଥିଲା ଫ୍ରାନ୍ସ। ଯୁଦ୍ଧବିରତି ଲାଗି ସାମୟିକ ସମାଧାନ ଲାଗି ବୁଧବାର ଡକାଯାଇଥିଲା ବୈଠକ। ନ୍ୟୁୟର୍କରେ ନାଜିବ୍ କହିଛନ୍ତି ଯେ, ଇସ୍ରାଏଲ ଲେବାନନର ସାର୍ବଭୌମତ୍ୱ ଉପରେ ଆକାଶମାର୍ଗରୁ ଆକ୍ରମଣ କରିଛି। ଇଲେକ୍ଟ୍ରୋନିକ୍ସ ଡିଭାଇସରେ ଆକ୍ରମଣ କରି ଲେବାନନବାସୀଙ୍କୁ ଭୟଭୀତ କରାଇଛି। ସେଥିଲାଗି ଯୁଦ୍ଧ ବିରତି ତୁରନ୍ତ ଜରୁରୀ। ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିନ୍ ବାରୋଟ କହିଛନ୍ତି, ତାଙ୍କ ଦେଶ ଲେବାନନର ସ୍ଥିତିକୁ ନେଇ ଚିନ୍ତିତ। ଆମେରିକା ସହ ଆଲୋଚନା କରି ଅସ୍ଥାୟୀ ଭାବେ ୨୧ ଦିନ ପାଇଁ ଆପୋଷ ସହମତି ଭିତ୍ତିରେ ଯୁଦ୍ଧ ବନ୍ଦ ପ୍ଲାଟଫର୍ମ ସୃଷ୍ଟି ଲାଗି ଉଦ୍ୟମ ହେଉଛି। ଜାତିସଂଘର ୟୁଏସ ଉପ-ରାଷ୍ଟ୍ରଦୂତ ରୋବର୍ଟ ଉଡ୍ ବି କହିଛନ୍ତି, ଯୁଦ୍ଧ ବିରତି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଶାନ୍ତି ପ୍ରତିଷ୍ଠା ସହ କୂଟନୈତିକସ୍ତରରେ ସମାଧାନ ହୋଇପାରିବ।

ଏଭଳି ଆଲୋଚନା ଜାରି ଭିତରେ ଯୁଦ୍ଧ ସ୍ଥିତିକୁ ଅଧିକ ଶାଣିତ କରିବାକୁ ଗୁରୁବାର ନ୍ୟୁୟର୍କରେ ପହଞ୍ଚିଛନ୍ତି ବେଞ୍ଜାମିନ୍। ଇସ୍ରାଏଲ ସରକାରର ମିଲିଟାରି ଅପେରସନକୁ ଯୁକ୍ତିଯୁକ୍ତ ଓ ଯଥାର୍ଥ ବୋଲି ଜାତିସଂଘରେ ଦର୍ଶାଇଛନ୍ତି ବେଞ୍ଜାମିନ୍। ହିଂସା ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରେ ଇରାନର ଅସାଧୁ ଉଦ୍ଦେଶ୍ୟ ଓ ମେଣ୍ଟକୁ ଦାୟୀ କରିଛି ଇସ୍ରାଏଲ। ଇସ୍ରାଏଲ ବି ଲେବାନନରେ ସମ୍ଭାବ୍ୟ ଗ୍ରାଉଣ୍ଡ ଅପରେସନ ଲାଗି ନିଜର ସେନାକୁ ପ୍ରସ୍ତୁତ କରି ରଖିଛି। ତେଲ୍ ଅବିବକୁ ଟାର୍ଗେଟ କରି କାଦର-୧ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା ହିଜବୁଲ୍ଲା। ଏହା କେନ୍ଦ୍ରୀୟ ଇସ୍ରାଏଲ ଯାଏ ପହଞ୍ଚିବାରେ ସକ୍ଷମ ହୋଇଥିବାରୁ ଇସ୍ରାଏଲ ବାୟୁସେନାକୁ ହାଇଆଲର୍ଟରେ ରଖିଛି। ଇସ୍ରାଏଲ-ଲେବାନନ ସୀମାରେ ଜାତିସଂଘ ଶାନ୍ତି ରକ୍ଷାବାହିନୀ ମଧ୍ୟ ମୁତୟନ ଅଛନ୍ତି। ଏଥିରେ ଭାରତୀୟ ସେନାର ୬ଶହ ଜବାନ ଅଛନ୍ତି। ପରିସ୍ଥିତି ଉପରେ ଭାରତୀୟ ସେନାର ବି ସତର୍କ ନଜର ରହିଛି। ଯୁଦ୍ଧ ଭାରତରୁ ୩ହଜାର୮୧୬ କିଲୋମିଟର ଦୂରରେ ହେଉଛି। କିନ୍ତୁ ଭାରତର ବି ଟେନସନ ବଢ଼ିଛି। ଭାରତ ସହ ଲେବାନନର ବ୍ୟବସାୟିକ ସମ୍ପର୍କ ରହିଛି। କିଛି ବର୍ଷ ହେଲା ଲେବାନନରୁ ଭାରତ କ୍ୟାଲସିୟମ ଫସଫେଟ୍ କିଣୁଛି। ୨୦୨୨ ପରିସଂଖ୍ୟାନ କହୁଛି, ଲେବାନନରୁ ଭାରତ ୪୭.୪ ମିଲିୟନ ଡଲାରର କ୍ୟାଲସିୟମ ଫସଫେଟ୍ କିଣିଛି। ଏହି କ୍ୟାଲସିୟମ ଫସଫେଟ୍ ଅଧିକନ୍ତୁ ଔଷଧରେ ବ୍ୟବହାର ହୋଇଥାଏ। ଡେଣ୍ଟାଲ ପାଉଡ଼ର, ଜମିରେ ଫର୍ଟିଲାଇଜରରେ ମୁଖ୍ୟ କମ୍ପୋନେଟ୍ ଭାବେ ଏହାର ବ୍ୟବହାର ହୁଏ। କ୍ୟାଲସିୟମ ଫସଫେଟ ବ୍ୟତୀତ ସ୍କ୍ରାପ୍ ଆଇରନ, ସ୍କ୍ରାପ୍ ଆଲୁମିନିୟମ ବି ଲେବାନନରୁ ଭାରତ ଆମଦାନୀ କରେ। ଏମିତିରେ ଇସ୍ରାଏଲ ସହ ଭାରତର ବନ୍ଧୁତା ବି ବେଶ୍ ପୁରୁଣା। ଭାରତର ବିପଦ ସମୟରେ ଇସ୍ରାଏଲ ସହଯୋଗର ହାତ ବଢାଇଆସିଛି। ଭାରତ-ଇସ୍ରାଏଲ ଭିତରେ ୮୯ହଜାର କୋଟି ଟଙ୍କାର ବ୍ୟବସାୟିକ କାରବାର ଚାଲିଛି। ବିପୁଳ ମାତ୍ରାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବି ଇସ୍ରାଏଲରୁ ଆମଦାନୀ କରିଥାଏ ଭାରତ। ଭାରତ ଗଲା ୧୦ ବର୍ଷ ଭିତରେ ରାଡ଼ାର୍ସ, ସର୍ଭେଲାନ୍ସ, ଯୁଦ୍ଧ ଡ୍ରୋନ୍ ଓ ମିସାଇଲ୍ସ କିଣିଛି। ଯଦି ଦୁଇ ଦେଶରେ ଯୁଦ୍ଧ ହୁଏ, ଏହାର ପ୍ରଭାବ ସପ୍ଲାଏ-ଚେନ୍ ଉପରେ ପଡ଼ିବ।

ନିର୍ଣ୍ଣାୟକ ଯୁଦ୍ଧମୁହାଁ ଆଡ଼କୁ ଅଗ୍ରସର ହେଉଛନ୍ତି ଇସ୍ରାଏଲ ଓ ଲେବାନନ। ତେବେ ଏହାକୁ ରୋକିବାରେ ଜାତିସଂଘ ସୁରକ୍ଷା ପରିଷଦ କେତେଦୂର ସକ୍ଷମ ହେଉଛି, ତା ଉପରେ ନଜର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *