ଜେଲରେ ରହି ବିଜୟୀ: କଅଣ କହୁଛି ଆଇନ୍?

Spread the love

ଜେଲରେ ଥାଇ ନିର୍ବାଚନ ଲଢ଼ି ସଂସଦକୁ ଏଥର ନିର୍ବାଚିତ ହୋଇଛନ୍ତି। ଜଣେ ହେଲେ ପଞ୍ଜାବର ଅମ୍ରିତପାଲ ସିଂ ଓ ଅନ୍ୟ ଜଣେ ହେଲେ ବାରାମୁଳାର ଅବଦ୍ଦୁଲ ରସିଦ୍। ସ୍ୱାଧୀନରେ ଲଢ଼ି ବିପୁଳ ଭୋଟ ବ୍ୟବଧାନରେ ଜିତିଛନ୍ତି ଏହି ଦୁଇ ସାଂସଦ। ତେବେ ଏବେ ଏମାନେ ସଂସଦକୁ ଯାଇପାରିବେ କି। କଥାରେ ଅଛି ବାଲାଟ ବୁଲେଟରୁ ଅଧିକ ଶକ୍ତିଶାଳୀ। ଗଣତନ୍ତ୍ରରେ ଅବାଧ ଓ ନିରପେକ୍ଷ ଭାବେ ନିର୍ବାଚିତ କରିବାକୁ ଲୋକଙ୍କୁ ସୁଯୋଗ ଦେଇଛି ବ୍ୟବସ୍ଥା। ତେବେ ଅମ୍ରିତଙ୍କୁ ଜେଲରୁ ମୁକ୍ତ ଲାଗି ସମସ୍ତ ଆଇନଗତ ପ୍ରକ୍ରିୟାକୁ ସୁନିଶ୍ଚିତ କରାଯାଉଛି ବୋଲି କହିଛନ୍ତି ଅମ୍ରିତଙ୍କ ଓକିଲ। ଖଦୁର ଆସନରୁ ଏଥର ଜିତିଛନ୍ତି ଅମ୍ରିତ୍। କଂଗ୍ରେସର କଲବୀର ସିଂ ଜିରାଙ୍କୁ ୧ଲକ୍ଷ ୯୭ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ଅମ୍ରିତ୍। ଏପ୍ରିଲ ୨୦୨୩ରୁ ଜେଲରେ ଅଛନ୍ତି ଅମ୍ରିତ୍। ଜାତୀୟ ନିରାପତ୍ତା ଆଇନ ବଳରେ ଅନ୍ୟ ଖଲିସ୍ତାନୀ ସଦସ୍ୟଙ୍କ ସହ ଗିରଫ ହୋଇଥିଲେ। ଯେହେତୁ ପଞ୍ଜାବରେ ଆପ୍ ସରକାର ଓ କେନ୍ଦ୍ରରେ ଏନଡିଏ ସରକାର ଅଛି। ସେଥିଲାଗି ଅମ୍ରିତଙ୍କୁ ତୁରନ୍ତ ରିଲିଜ୍ କରିବା ଦରକାର ବୋଲି କହିଛନ୍ତି ଅମ୍ରିତଙ୍କ ଓକିଲ। ରାଜନୈତିକ ଫାଏଦା ପାଇଁ ମିଛ ମାମଲାରେ ଅମ୍ରିତଙ୍କୁ ଜେଲରେ ପୁରାଇଥିଲେ ଆପ୍ ସରକାର। ନିଶାମୁକ୍ତ ପଞ୍ଜାବ ପାଇଁ ନିରନ୍ତର ଉଦ୍ୟମ କରିଆସୁଥିଲେ ଅମ୍ରିତ୍। ଅମ୍ରିତଙ୍କ ଗିରଫଦାରୀ ଅସାମ୍ୱିଧାନିକ ଓ ବେଆଇନ୍ ଥିଲା।

ସେପଟେ ବାରାମୁଳାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର୍ ଅବଦୁଲ୍ଲାଙ୍କୁ ହରାଇଥିବା ଇଞ୍ଜିନିୟର ଅବଦ୍ଦୁଲ ରସିଦ କେବେ ଜେଲରୁ ବାହାରି ସଂସଦକୁ ଯିବେ, ତାକୁ ନେଇ ଲାଗିରହିଛି ଚର୍ଚ୍ଚା। ଶେକ୍ ଅବଦ୍ଦୁଲ ରସିଦ୍ ଇଞ୍ଜିନିୟର ରସିଦ ଭାବେ ଜଣାଶୁଣା। ଜମ୍ମୁକଶ୍ମୀର ଆଓ୍ୱାମି ଇତେହାଦ୍ ପାର୍ଟିର ପ୍ରତିଷ୍ଠାତା। ୨୦୦୮ ଓ ୨୦୧୪ରେ ଜମ୍ମୁକଶ୍ମୀରର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ରସିଦ୍। ୨୦୧୯ରେ ନିର୍ବାଚନ ହାରିଯାଇଥିଲେ। ୫୬ ବର୍ଷୀୟ ରସିଦ୍୨୦୧୯ରେ ଗିରଫ ହୋଇଥିଲେ। ଦେଶଦ୍ରୋହ ମାମଲାରେ ଏନଆଇଏ ତାଙ୍କୁ ଗିରଫ କରିଥିଲା। ଆଣ୍ଟି-ଟେରର ଲ ଅନୁସାରେ ଗିରଫ ହୋଇ ଜେଲ୍ ଯିବାରେ ରସିଦ ଥିଲେ ପ୍ରଥମ ମେନଷ୍ଟ୍ରିମ୍ ପଲିଟିସିଆନ। ଅଗଷ୍ଟ ୯, ୨୦୧୯ରୁ ତିହାର ଜେଲରେ ବନ୍ଦୀ ଅଛନ୍ତି ରସିଦ୍। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଭଳି ସଙ୍ଗୀନ ଅଭିଯୋଗରେ ଜେଲରେ ଅଛନ୍ତି।

ଅବଶ୍ୟ ସାମ୍ୱିଧାନିକ ବିଧିବ୍ୟବସ୍ଥା ଅନୁସାରେ ସଂସଦରେ ସାଂସଦ ଭାବେ ଶପଥ ନେଇପାରିବେ। ଯେହେତୁ ତାଙ୍କୁ ଏ ଯାଏ ଦୋଷୀ ବୋଲି ଦଣ୍ଡବିଧାନ କରିନାହାନ୍ତି ଅଦାଲତ। କିନ୍ତୁ ଶପଥ ନେବା ପରେ ପୁଣି ଥରେ ଜେଲ୍ ଯିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *