ଭାରତ ଇତିହାସରେ ପ୍ରଥମ- ବିଲ୍ ମଞ୍ଜୁରୀ ପାଇଁ ୩ ମାସ ସମୟସୀମା ଧାର୍ଯ୍ୟକଲେ ସୁପ୍ରିମକୋର୍ଟ

ଭାରତ ଇତିହାସରେ ପ୍ରଥମ ଘଟଣା। ତାମିଲନାଡ଼ୁ ସରକାର କୋର୍ଟ ନିର୍ଦେଶ ବଳରେ ରାଜ୍ୟରେ ଆଇନ ଲାଗୁ କଲେ। ରାଜ୍ୟପାଳଙ୍କ ଅନୁମତି ବଦଳରେ କୋର୍ଟ ଅର୍ଡର ବଳରେ ଏହା କରିଛନ୍ତି ସରକାର। ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ବି ଜାରି କରିଛନ୍ତି। ଶୁକ୍ରବାର ରାତିରେ ସୁପ୍ରିମକୋର୍ଟ ନିଜର ଜଜମେଣ୍ଟ ଅପଲୋଡ୍ ପରେ ଶନିବାର ଏହାକୁ ଲାଗୁ କରିଛନ୍ତି ସରକାର। ଏ ବିଲ୍କୁ‌ ନେଇ ରାଷ୍ଟ୍ରପତି ବି ମୋହର ମାରିନାହାନ୍ତି। ଯେଉଁ ୧୦ଟି ବିଲକୁ ଦୀର୍ଘ ସମୟ ଧରି ଅନୁମତି ନ ଦେଇ ରାଜ୍ୟପାଳ ଆର.ଏନ ରବି ନିଜ ପାଖରେ ପକାଇ ରଖିଥିଲେ, ରାଷ୍ଟ୍ରପତିଙ୍କ ପାଖକୁ ଅନୁଧ୍ୟାନ ଲାଗି ପଠାଇବାର ଆଳ ନେଇଥିଲେ, ତାକୁ ଅସାମ୍ୱିଧାନିକ ଓ ବେଆଇନ କହିଥିଲେ ସୁପ୍ରିମକୋର୍ଟ। ଆଉ ତାମିଲନାଡ଼ୁ ସରକାରଙ୍କ ସେଇ ୧୦ଟି ବିଲକୁ ବୈଧ କହିବା ପରେ ସରକାର ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ବିଲରେ ନା ରାଜ୍ୟପାଳଙ୍କ ଦସ୍ତଖତ ଅଛି ନା ରାଷ୍ଟ୍ରପତିଙ୍କ ମଞ୍ଜୁରୀ। ବିଲ୍ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇବା ପରେ ହିଁ ଆଇନରେ ପରିଣତ ହୋଇଥାଏ। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ବଳରେ ଏହାକୁ ଆଇନରେ ପରିଣତ କରି ଲାଗୁ କରିଛନ୍ତି ଷ୍ଟାଲିନ୍ ସରକାର। ବରିଷ୍ଠ ଆଇନଜୀବି ତଥା ଡିଏମକେର ରାଜ୍ୟସଭା ସାଂସଦ ପି.ଓ୍ୱିଲସନ ଏକ୍ସରେ ପୋଷ୍ଟ କରି ଏହା କହିଛନ୍ତି। ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ରାଜ୍ୟପାଳଙ୍କୁ ହଟାଇବା ନେଇ ଆଇନ ଆଣିଥିଲେ ସରକାର। ଜଷ୍ଟିସ ଜେବି ପର୍ଦ୍ଦିଓ୍ୱାଲା ଓ ଜଷ୍ଟିସ ଆର ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ରାଜ୍ୟପାଳ ୧୦ଟି ବିଲକୁ ରିଜର୍ଭ ରଖିପାରିବେନି। କାରଣ ସେ ସବୁ ବିଲ୍ ରାଜ୍ୟ ବିଧାନସଭାରେ ପାରିତ ହୋଇସାରିଛି। ନଭେମ୍ୱର ୧୮, ୨୦୨୩ରୁ ଏ ସବୁ ବିଲ୍ ଅନୁମୋଦିତ ହୋଇଛି ବୋଲି ଧରାଯିବ ବୋଲି କହିଥିଲେ ଖଣ୍ଡପୀଠ। ଏ ତାରିଖରେ ରାଜ୍ୟପାଳଙ୍କ ପାଖକୁ ଦ୍ୱିତୀୟ ଥର ବିଲ୍ ପଠାଇଥିଲା ରାଜ୍ୟ ବିଧାନସଭା। ଗଲା ୮ ତାରିଖରେ ଏହି ରାୟ ଦେଇଥିଲେ ସୁପ୍ରିମକୋର୍ଟ। ୪୧୫ ପୃଷ୍ଠାର ରାୟର ନକଲ ଶୁକ୍ରବାର ରାତି ୧୦ଟା ୪୫ରେ ଅପଲୋଡ୍ ହୋଇଥିଲା। ଆଉ ପ୍ରଥମ ଥର କୌଣସି ବିଲ୍ ଉପରେ ମୋହର ମାରିବାକୁ ଟାଇମଲାଇନ୍ ବି ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟପାଳ କୌଣସି ବିଲ୍ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଲେ, ସୁପାରିଶ ତାରିଖର ୩ ମାସ ଭିତରେ ରାଷ୍ଟ୍ରପତି ଏହାକୁ ମଞ୍ଜୁରୀ ଦେବେ। ଯଦି କୌଣସି ବିଳମ୍ୱ ହୁଏ। ଏଥିଲାଗି ଆବଶ୍ୟକୀୟ କାରଣ ବି ଦର୍ଶାଇବା ସହ ସଂପୃକ୍ତ ରାଜ୍ୟକୁ ଅବଗତ କରାଇବେ। ରାଜ୍ୟ ସରକାର ବି କାହିଁକି ବିଲ୍ ଅନୁମୋଦନରେ ବିଳମ୍ୱ ହେଉଛି, ତାକୁ ଜାଣିବାକୁ ନିଜ ଆଡ଼ୁ ନିରନ୍ତର ଯୋଗାଯୋଗ ରଖିବେ। ସହଯୋଗ କରିବେ। କେନ୍ଦ୍ର ସରକାର କୌଣସି ଗଠନମୂଳକ ପ୍ରସ୍ତାବ ଦେଲେ, ଗ୍ରହଣ କରିବେ। ଯେଉଁଠି ରାଜ୍ୟପାଳ ବିଲ୍ ରିଜର୍ଭ ରଖିବେ କି ରାଷ୍ଟ୍ରପତି ମଞ୍ଜୁରୀ ଦେବାରେ ବିଳମ୍ୱ କରନ୍ତି। ସେ ବାବଦରେ ନିର୍ଦିଷ୍ଟ କାରଣ ଜାଣିବାର ଅଧିକାର ରହିଛି ରାଜ୍ୟ ସରକାରଙ୍କର। ରାଜ୍ୟ ସରକାର ସୁପ୍ରିମକୋର୍ଟ ବି ଆସିପାରିବେ। ସମ୍ୱିଧାନର ଧାରା ୨୦୦ ଅନୁସାରେ ରାଜ୍ୟପାଳଙ୍କ କ୍ଷମତା ଅଛି, ସେ କୌଣସି ବିଲ୍ କୁ ଅଟକାଇପାରିବେ ନଚେତ୍ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ରିଜର୍ଭ ରଖିପାରିବେ। କିନ୍ତୁ ଅନାବଶ୍ୟକ ଭାବେ ଦୀର୍ଘ ଦିନ ଧରି ପକାଇରଖିବା ବେଆଇନ ଓ ଅସାମ୍ୱିଧାନିକ। ଅତୀତରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ନଥିଲା। ସାମ୍ୱିଧାନିକ ବାଧ୍ୟବାଧକତାରୁ ରାଜ୍ୟପାଳ ମନ୍ତ୍ରିମଣ୍ଡଳର ପରାମର୍ଶ ଓ ସହଯୋଗରେ କାମ କରିବେ। କୌଣସି ବିଲ୍ କୁ ରାଷ୍ଟ୍ରପତିଙ୍କ ବିଚାର ଲାଗି ରିଜର୍ଭ ରଖିପାରିବେନି। ବିଶେଷ କରି ଯେଉଁ ବିଲ୍ ଦ୍ୱିତୀୟ ଥର ସରକାର ପଠାଇଥିବେ। କୌଣସି ଆପତ୍ତି ଥିଲେ ରାଜ୍ୟପାଳ ସଂପୃକ୍ତ ବିଲ୍ କୁ ଫେରାଇଦେଇପାରିବେ। କିନ୍ତୁ ସର୍ବାଧିକ ୩ ମାସ ଭିତରେ ଏହାକୁ ଅନୁମୋଦନ ଦେବାକୁ ବାଧ୍ୟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *