ବାତ୍ୟା ଦାନାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି l ମୁଖ୍ୟ ପ୍ରଶାସକ ସମସ୍ତ ବ୍ୟବସ୍ଥାର ଟିକିନିଖି ଭାବେ ତଦାରଖ କରିବା ସହ ପ୍ରଶାସକ ତଥା ଅନ୍ୟ ଅଧିକାରୀ କର୍ମଚାରୀ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି l ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହେବ ସେ ଦିଗରେ, ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ସେବକ ତଥା କର୍ମଚାରୀଙ୍କୁ ମଧ୍ୟ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି lବାତ୍ୟାକୁ ଦୃଷ୍ଟିରେ ରଖି ଆନନ୍ଦ ବଜାରରେ ଅସ୍ଥାୟୀ ଟିଣ ତଥା ପାଲ ଛାତ ବାହାର କରି ଦିଆଯାଇଛି l ବର୍ଷା ପାଣିରୁ ରକ୍ଷା ପାଇଁ ଅସ୍ଥାୟୀ ଖଟ ସେଜ ଘର ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି l ସିଂହଦ୍ୱାର ସମ୍ମୁଖ LED screen କୁ ଅପସାରଣ କରାଯାଇ ଥିବା ବେଳେ ସୂଚନା କେନ୍ଦ୍ର କାଚ ସ୍ଥାନରେ ply wood ଲଗାଯାଇଛି l କୋଇଲି ବୈକୁଣ୍ଠ ପରିସର ସ୍ଥିତ ଗୃହ ଗୁଡିକର ଟିଣ ସିଟ୍ ଛାତ ଉପରେ ବାଲି ବସ୍ତା ଦିଆ ଯାଇଛି l ସାତପାହାଚ ନିକଟରେ ଭକ୍ତମାନଂକ ସୁବିଧା ପାଇଁ ଥିବା ଧାଡ଼ି ବ୍ୟବସ୍ଥା ବ୍ୟାରିକେଡ ଉପର ଛାତ କଢ଼ା ଯାଇଥିବା ବେଳେ ଉପବନରୁ ସୌନ୍ଦର୍ଯ୍ୟକରଣ ଲାଇଟ ବାହାର କରାଯାଇଛି l ସିଂହଦ୍ଵାର ସମ୍ମୁଖ ଧାଡ଼ି ବ୍ୟବସ୍ଥା ଉପର ପାଲ କଢ଼ା ଯାଇଥିବା ବେଳେ ସମସ୍ତ ହାଲୁକା ବ୍ୟାରିକେଡକୁ ଗୋଟିଏ ଯାଗାରେ ଜମା କରି ଦଉଡି ଦ୍ଵାରା ବନ୍ଧା ଯିବା ପାଇଁ ବ୍ୟବସ୍ଥା ହୋଇଛି । ସମସ୍ତ ଜେନେରେଟର ସେଟ ଡିଜେଲ ଭର୍ତ୍ତି କରାଯିବା ସହ ଗୋଟିଏ JCB ରିଜର୍ଭ ରଖାଯାଇଛି l ସେହିପରି CCTV ବ୍ୟବସ୍ଥା ଯେପରି ପ୍ରଭାବିତ ନ ହେବ ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି l ଏସବୁ ବ୍ୟବସ୍ଥା ସହ ଆବଶ୍ୟକ ସ୍ଥଳେ ASI ଏବଂ OBCC ସହ ପରାମର୍ଶ କରି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ମଧ୍ୟ ସମସ୍ତ ବ୍ୟବସ୍ଥାର ତତ୍ତ୍ଵାବଧାନ କରିବାକୁ ମୁଖ୍ୟ ପ୍ରଶାସକ କହିଛନ୍ତି l
Naxatra News is now on Whatsapp
Join and get latest news update delivered to you via whatsapp
Join Now