ସୀତାମାଢ଼ି ଜିଲ୍ଲାରେ ୭ହଜାରରୁ ଅଧିକ ଏଚଆଇଭି- ୪ଶହ ପିଲା ବି ସଂକ୍ରମିତ

ବିହାରର ସୀତାମାଢି ସାଜିଛି ଏଚଆଇଭିର ଏପିସେଣ୍ଟର। ୭ହଜାରରୁ ଉର୍ଦ୍ଧ୍ୱ ଏଚଆଇଭି ରୋଗୀ ଏଠାରୁ ଚିହ୍ନଟ ହେଲେଣି। ବିଡ଼ମ୍ୱନାର କଥା ଆକ୍ରାନ୍ତଙ୍କ ଭିତରେ ୪ଶହ ଛୋଟ ପିଲା ବି ଅଛନ୍ତି। ମୋଟ୍ ୭ହଜାର୪ଶହ ଏଚଆଇଭି ଆକ୍ରାନ୍ତଙ୍କ ଭିତରୁ ୩ହଜାର୫୪୪ ମହିଳା ଓ ୨ହଜାର୭୩୩ ପୁରୁଷ ଅଟନ୍ତି। ଏତେ ସଂଖ୍ୟକ ସଂକ୍ରମିତ ଦେଖି ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଯାଇଛି। ସୀତାମାଢ଼ି ଜିଲ୍ଲା ହସ୍ପିଟାଲରେ ଏଆରଟି ସେଣ୍ଟରରୁ ମିଳିଥିବା ତଥ୍ୟ ସମସ୍ତଙ୍କୁ ତାଜୁବ କରିଛି। ପିଲାଙ୍କୁ ସଂକ୍ରମଣ ସେମାନଙ୍କ ବାପା ମାଆଙ୍କ ପାଖରୁ ବ୍ୟାପିଛି। ପ୍ରତି ମାସରେ ୪୦ରୁ ୬୦ ଏଚଆଇଭି ରୋଗୀ ଚିହ୍ନଟ ହେଉଛନ୍ତି। ଏଆରଟି ସେଣ୍ଟରରୁ ପ୍ରତି ମାସରେ ପ୍ରାୟ ୫ହଜାର ରୋଗୀଙ୍କୁ ନିୟମିତ ଔଷଧ ଦିଆଯାଉଛି। ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଚିନ୍ତାର କାରଣ ସାଜିଛି। ସୀତାମାଢ଼ି ସେଣ୍ଟରକୁ ପୁରା ବିହାରର ହାଇଆଲର୍ଟ ସେଣ୍ଟର ଘୋଷଣା କରାଯାଇଛି। ଡାକ୍ତରଙ୍କ କହିବା କଥା, ଏ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଓ ଚିନ୍ତାଜନକ। ସମାଜରେ ଯଥେଷ୍ଟ ସଚେତନତା ଜରୁରୀ। କାରଣ ୪ଶହ ପିଲା ବି ଏହି ଭାଇରସ ଜାଲରେ ପଡ଼ିଛନ୍ତି। ଅଧିକାଂଶ ଲୋକ ବିନା ରକ୍ତପରୀକ୍ଷାରେ ବିବାହ କରୁଛନ୍ତି। ଲମ୍ୱା ସମୟ ଧରି ପ୍ରବାସୀ ମଜଦୁରଙ୍କ ସହ ସମ୍ପର୍କରୁ ବି ଏ ସଂକ୍ରମଣ ବ୍ୟାପୁଛି। ସାମାଜିକ ଲଜ୍ଜା କାରଣରୁ ପରୀକ୍ଷା କରିବାକୁ ଅମଙ୍ଗ ଆଦି ଅନେକ କାରଣ ଦାୟୀ ବୋଲି କୁହାଯାଉଛି।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *