ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ବିଚାରବିଭାଗ ଓ ପ୍ରଧାନ ବିଚାରପତିଙ୍କ ଉପରେ ନିଶିକାନ୍ତ କରିଥିବା ମନ୍ତବ୍ୟ ଦାୟିତ୍ୱହୀନତାର ଶୀର୍ଷରେ ବୋଲି ଟିପ୍ପଣୀ କରିଛନ୍ତି ସୁପ୍ରିମକୋର୍ଟ। ଅବଶ୍ୟ ସମାନ୍ତରାଳ ଭାବେ ସିଜେଆଇ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଦୁବେଙ୍କ ବିରୁଦ୍ଧରେ କୌଣସି ଆକ୍ସନ ନେବାରୁ ଦୂରେଇ ରହିଲେ। ନ୍ୟାୟାଳୟ ଓ ବିଚାରପତିଙ୍କ ବାବଦରେ ସାଧାରଣ ଜନତାର ବିଶ୍ୱାସ ଏଭଳି ମନ୍ତବ୍ୟରେ ଦୋହଲିପାରିବନି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ। ଏହା ସହ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି, କୌଣସି ପ୍ରକାର ଘୃଣା ମନ୍ତବ୍ୟ ସାମ୍ପ୍ରଦାୟିକ ଉତ୍ତେଜନା ଲାଗି ଦିଆଗଲେ, ଏହାକୁ ଶକ୍ତ ଭାବେ ମୁକାବିଲା କରିବା ଜରୁରୀ। ଘୃଣା ମନ୍ତବ୍ୟ କୌଣସି ପ୍ରକାର ବରଦାସ୍ତ କରାଯିବନି। ସାମ୍ୱଧାନିକ କୋର୍ଟର ଭୂମିକା, ଏହା ଉପରେ ଥିବା ଦାୟିତ୍ୱ ଓ ପ୍ରତିବଦ୍ଧତା ନେଇ ସାଂସଦ ଦୁବେ କେତେ ଦୂର ଅଜ୍ଞ ବୋଲି ତାଙ୍କର ମନ୍ତବ୍ୟରୁ ସ୍ପଷ୍ଟ ବୋଲି କଡ଼ା ଟିପ୍ପଣୀ ବି ଦେଇଛନ୍ତି ଅଦାଲତ। ଦୁବେଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା କରିଥିଲେ ଆଇନଜୀବି ବିଶାଳ ତିଓ୍ୱାରୀ। ନିଶିକାନ୍ତ ସୁପ୍ରିମକୋର୍ଟ ଓ ସିଜେଆଇଙ୍କ ବିରୁଦ୍ଧରେ ଅପମାନଜନକ ଓ ନିନ୍ଦନୀୟ ଟିପ୍ପଣୀ ଦେଇଥିବା ଆରୋପ ଲଦିଥିଲେ ବିଶାଳ। ଭାରତରେ ଗୃହଯୁଦ୍ଧ ଲାଗି ସିଜେଆଇ ଦାୟୀ ବୋଲି କହିଥିଲେ ଦୁବେ। ଗଲା ସୋମବାର ଦୁବେଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ପ୍ରୋସିଡିଂ ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ସୁପ୍ରିମକୋର୍ଟ।

Naxatra News is now on Whatsapp
Join and get latest news update delivered to you via whatsapp
Join Now