ଅଜବ ପରିବାର। ଯାଆଁଳା ଭାଇ ଯାଆଁଳା ଭଉଣୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେଲେଙ୍ଗାନାର ଏକ ଗାଁ ସାଜିଲା ରିଅଲ ଲାଇଫ୍ ଫିଲ୍ମର ସେଟ୍। କୋମାରେଡ୍ଡି ଜିଲ୍ଲାରେ ହୋଇଥିବା ଏହି ବିବାହକୁ ନେଇ ସବୁଠି ଚର୍ଚ୍ଚା। ଧନପୁର ଗାଁରେ ବିଜୟ ଓ ବିନୟ ଜାଆଁଳା ଭାଇ ଅଟନ୍ତି। ଦୁହିଁଙ୍କର ଚେହେରା ଏତେ ମିଶିଯାଏ ଯେ, ଅନେକ ଥର ସମ୍ପର୍କୀୟ ବି ସେମାନଙ୍କୁ ଚିହ୍ନିବାରେ ଦ୍ୱନ୍ଦ୍ୱରେ ପଡ଼ିଥାଆନ୍ତି। ତେବେ ଦୁହିଁଙ୍କର ବିବାହ ସ୍ଥିର ହୋଇଥିବାରୁ ଲୋକେ ଅନାଇ ବସିଥିଲେ, ଯାହାକୁ ବାହା ହେବେ ସେମାନେ ତାଙ୍କର ସ୍ୱାମୀ କିଏ ବୋଲି କେମିତି ଜାଣିବେ। ସେମାନେ ବି କନଫ୍ୟୁଜନରେ ପଡ଼ିବେନି ତ। ଆଉ ବିବାହ ହେବା ପରେ ଲୋକଙ୍କର ଏହି ଉତ୍କଣ୍ଠା ଏବେ ଅଧିକ ବଢ଼ିଯାଇଛି। କାରଣ ଏହି ଦୁଇ ଭାଇ ଯାହାକୁ ବାହା ହୋଇଛନ୍ତି, ସେମାନେ ବି ଜାଆଁଳା ଭଉଣୀ। ଜଣଙ୍କ ନାଁ କୀର୍ତ୍ତନା ଓ ଅନ୍ୟ ଜଣଙ୍କ ନାଁ କୀର୍ତ୍ତି। ତଡ଼ଓ୍ୱାଇ ମଣ୍ଡଳର ଡେମି କଲାଗାଁର ଏହି ଦୁଇ ଭଉଣୀଙ୍କ ଚେହେରା ବି ପ୍ରାୟ ସମାନ। ବିବାହ ମଣ୍ଡପରେ ଯେବେ ଦୁଇ ଜାଆଁଳା ଯୋଡ଼ି ବସିଥିଲେ। ଅତିଥିଙ୍କ ଗହଣରେ ଫୁସୁରୁଫାସର ଆରମ୍ଭ ହୋଇଗଲା। କାରଣ ଅତିଥି ପଚାରିବାକୁ ଲାଗିଥିଲେ, କେଉଁ ବର କେଉଁ କନ୍ୟାର। ବିବାହରେ ସାମିଲ୍ ଥିବା ଅନେକ କହିଥିଲେ, କୌଣସି ଫିଲ୍ମ ସିନରୁ ଏହା କମ୍ ନଥିଲା। ସେମାନେ ଜୀବନରେ ପ୍ରଥମ ଥର ଏଭଳି ବିବାହ ଦେଖୁଛନ୍ତି। ଲୋକେ ସେମାନଙ୍କ ଭିଡ଼ିଓ ଓ ଫଟୋ ନେଇ ଏହି ମୂହୂର୍ତ୍ତକୁ ଖାସ୍ କରିବାକୁ ଚାହିଁଥିଲେ। ଏହି ସମ୍ପର୍କ ଦୁଇ ପରିବାରର ସହମତିରେ ହୋଇଛି। କିଛି ଲୋକ ଏହାକୁ ଡବଲ ଖୁସିର ବିବାହ ବୋଲି କହୁଛନ୍ତି। ଏଭଳି ନିଆରା ବିବାହ ଯୋଡ଼ି ହୁଏତ ଆଉ ଥରେ ଦେଖିବାକୁ ମିଳିନପାରେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now