ଜାତୀୟମନୋରଞ୍ଜନ

ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ନିଧନ

ଚେନ୍ନାଇ: ଭାରତୀୟ ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ପଦ୍ମ ପୁରସ୍କାରରେ ସମ୍ମାନିତ ବାଣୀ ଜୟରାମଙ୍କ ନିଧନ। ଚେନ୍ନାଇର ହଡ୍ଡୋସ ରୋଡସ୍ଥିତ ନିଜ ବାସଭବନରେ ବାଣୀ ଜୟରାମଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଶନିବାର ଦିନ ତାଙ୍କ ବାସ ଭବନରେ ତାଙ୍କୁ ମୃତ ଠାବ କରାଯାଇଛି। ତେବେ କିପରି ତାଙ୍କ ମୃତ୍ୟୁ ହୋଇଛି ସେ ସମ୍ପର୍କରେ ସଠିକ କାରଣ ଜଣାପଡିନଥିବା ବେଳେ ତାଙ୍କ ମଥାରେ ଆଘାତ ଦେଖିବାକୁ ମିଳିଛି। ତାଙ୍କ ନିଧନ ଖବର ମିଳିବା ପରେ ଭାରତୀୟ ସଂଗୀତରେ ଖେଳିଯାଇଛି ଶୋକର ଛାୟା।

ଜାନୁଆରୀ ୨୫ ତାରିଖରେ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣ ପାଇଁ ତାଙ୍କ ନାମ ଘୋଷିତ ହୋଇଥିଲା।  ନିକଟରେ ସେ କଣ୍ଠଦାନ କ୍ଷେତ୍ରରେ ୫୦ ବର୍ଷ ପୂରଣ କରିଥିଲେ। ସେ ତାଙ୍କ କ୍ୟାରୀୟରରେ ୧୦ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଥିବା ବେଳେ ଆରଡି ବର୍ମନ, କେଭି ମହାଦେବନ, ଓପି ନାୟର, ମଦନ ମୋହନଙ୍କ ସମେତ ବହୁ ପ୍ରତିଷ୍ଠିତ ସଂଗୀତକାରଙ୍କ ସହ କାମ କରିଛନ୍ତି। ତାମିଲ, ହିନ୍ଦୀ, ତେଲୁଗୁ, କନ୍ନଡ, ମାଲାୟଲମ, ଉର୍ଦ୍ଦୁ, ମରାଠି, ବଙ୍ଗଳା, ଭୋଜପୁରୀ, ଓଡିଆ ପରି ୧୯ ଭାଷାରେ କଣ୍ଠଦାନ କରିଛନ୍ତି। ସେ ବେଷ୍ଟ ଫିମେଲ ପ୍ଲେବ୍ୟାକ ସିଂଗର  କ୍ୟାଟେଗୋରୀରେ ତିନି ଥର ଜାତୀୟ ଫିଲ୍ମ ଆୱାର୍ଡ ହାତେଇଛନ୍ତି । ଏହା ବ୍ୟତୀତ ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ଓଡିଶା, କେରଳ, ଗୁଜୁରାଟରୁ ରାଜ୍ୟସ୍ତରୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି।

୧୯୪୫ ମସିହା ନଭେମ୍ବର ୩୦ ତାରିଖରେ ବାଣୀ ଜୟରାମ ତାମିଲନାଡୁର ଭେଲୋରରେ ଜନ୍ମଗ୍ରହଣ କରିଥିଲେ। ପିଲା ଦିନରୁ ନିଜ ପରିବାରରୁ ସେ କ୍ଲାସିକାଲ ସଂଗୀତ ଶିକ୍ଷା ଗ୍ରହଣ କରିଥିଲେ ମଧ୍ୟ ସବୁ ପ୍ରକାର ସଂଗୀତ ଗାନରେ ସେ ଥିଲେ ନିପୁଣ। ତାଙ୍କ କ୍ୟାରିୟରରେ ସେ ହିନ୍ଦୁସ୍ଥାନୀ, ଗଜଲ, ହାଲକାଫୁଲକା ସଂଗୀତ, ପପ୍ ସଂଗୀତ ଗାନ କରିବା ସହ ବହୁ ଲୋକପ୍ରୀୟ ଫୋକ ସଂଗୀତରେ ମଧ୍ୟ କଣ୍ଠଦାନ କରିଥିଲେ।

 ତେବେ ତାଙ୍କ ସଂଗୀତ କ୍ୟାରିୟର ଆରମ୍ଭ ହୋଇଥିଲା ୧୯୭୧ରେ ବଲିଉଡ ଫିଲ୍ମ ଗୁଡ୍ଡିରୁ। ପୁରୁଣା ଓଡିଆ ଫିଲ୍ମରେ ମଧ୍ୟ ବାଣୀ ଜୟରାମ  କଣ୍ଠଦାନ କରି କୋଟିକୋଟି ଓଡିଆଙ୍କ ହୃଦୟ ଜୟକରିଥିଲେ। ସଙ୍ଖମହୁରୀ, ବଳୀଦାନ, ତପସ୍ୟା, ଦେବଜାନୀ ପରି ବହୁ ଓଡିଆ ଫିଲ୍ମ ତାଙ୍କ କୋକୀଳ କଣ୍ଠରେ ସମୃଦ୍ଧ ହୋଇଛି।  ଆଧୁନିକ ଯୁଗର ମୀରା ଭାବେ ମଧ୍ୟ ବାଣୀ ପରିଚିତ। ଆଜି ତାଙ୍କ ନିଧନରେ ଭାରତୀୟ ସଂଗୀତ ଜଗତରେ ଖେଳିଯାଇଛି ଶୋକର ଛାୟା। ସଂଗୀତ ଜଗତରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ କ୍ଷତି।

Related Articles

Leave a Reply

Your email address will not be published.

Back to top button