ପୁଣି ରାଜଧାନୀରେ କୃଷକ ମେଳି

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ରାମଲୀଳା ମୈଦାନରେ ଏକତ୍ରୀତ ହୋଇ କୃଷି ଓ କୃଷକ ସମ୍ବନ୍ଧିତ ବିଭିନ୍ନ ମୁଦ୍ଦାରେ ଫାଟୁଛି ଅଞ୍ଚଳ। ନିଜର ବହୁ ଦାବିକୁ ନେଇ କୃଷକ ଗର୍ଜନ ମୋର୍ଚ୍ଚାରେ ସାମିଲ ହେଉଛନ୍ତି ଦେଶର ବିଭିନ୍ନ ପ୍ରାନ୍ତର ଚାଷୀ। କୃଷି ସହ ଜଡିତ ସମସ୍ତ ସାମଗ୍ରୀ ଉପରୁ ଜିଏସଟି ଉଠାଇବା, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିର ଅର୍ଥ ବଢାଇବା ପରି ବହୁ ଦାବି ନେଇ ରାମଲୀଳା ମୈଦାନରେ କୃଷକଙ୍କ ମହାସମାଗମ।ସେପଟେ ଚାଷୀଙ୍କ ମେଳିକୁ ଦେଖି ପୁଲିସ ପକ୍ଷରୁ ନିଆଯାଇଛି ବ୍ୟାପକ ବ୍ୟବସ୍ଥା।
ନିଜର ବିଭିନ୍ନ ଦାବି ନେଇ ଏକଜୁଟ ହୋଇଛନ୍ତି ହଜାର ହଜାର ସଂଖ୍ୟାରେ କୃଷକ। ଦୀର୍ଘ ଦିନରୁ ସରକାର ଦ୍ବାରା କୃଷକଙ୍କ ଦାବି ପୂରଣ ନ ହେବାକୁ ନେଇ ଖପ୍ପା ଚାଷୀ। ସରକାର ବିରୋଧୀ ନାରା ସହ ନିଜ ବିଭିନ୍ନ ଦାବି ପୂରଣ କରିବାକୁ ଲଗାଇଛନ୍ତି ଭିଡ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବା ଆରଏସଏସର ଭାରତୀୟ କୃଷକ ସଂଘ, ବିକେସି ସୋମବାର ଦିନ ଦିଲ୍ଲୀର ରାମଲୀଳା ମୈଦାନରେ କେନ୍ଦ୍ର ବିରୋଧରେ ଆରମ୍ଭ କରିଛି କୃଷକ ଗର୍ଜନ ମୋର୍ଚ୍ଚା। ନେତା। ସେମାନଙ୍କ ବିଭିନ୍ନ ଦାବି ନେଇ ଗର୍ଜୁଛନ୍ତି କୃଷକ।
କୃଷି ସମ୍ବନ୍ଧିତ ସାମଗ୍ରୀରୁ ଜିଏସଟି ଉଠାଇବା, ଚାଷରେ ଖର୍ଚ୍ଚ ବଢିବା ଅନୁପାତରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିର ବୃଦ୍ଧି, ଖାଦ୍ୟ ସବସିଡି, ଡିବିଟି ଓ ସିଞ୍ଚନ ତଥା ନଦୀ ଲିଙ୍କ ଯୋଜନାଗୁଡିକ ମାଧ୍ୟମରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଦାବିରେ ହୋଇଛି ସାମିଲ । ଏହା ବ୍ୟତୀତ ସଂଘ ପକ୍ଷରୁ ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ଜୈବିକ ଚାଷକୁ ପ୍ରୋତ୍ସାହନା ଦେବା, କୃଷକଙ୍କ ଆୟ ବୃଦ୍ଧି ଓ ଗ୍ରାମୀଣ କୃଷି ବଜାରରେ ୨୨ହଜାର ହାଟର ବିକାଶ କରିବାକୁ ଦାବି ଜୋର ଧରିଛି।
ସେହିପରି ବିକେଏସ କୃଷକ କାର୍ଡର ସୀମା ୩ ଲକ୍ଷରୁ ବୃଦ୍ଧି କରି ୧୦ ଲକ୍ଷ କରିବାକୁ, କାର୍ଡଧାରକଙ୍କୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ବ୍ୟବସ୍ଥା ସହ ସାର୍ଟିଫିକେଟ ବିନା ମାଇକ୍ରୋ ପ୍ରୋସେସିଂ ଫୁଡ ୟୁନିଟ ସ୍ଥାପନ କରିବାକୁ ଲାଇସେନ୍ସ ଦେବାକୁ ଦାବି ହେଉଛି। ସଂଘ ପକ୍ଷରୁ କୁହାଯାଇଛି କି, ସରକାର ନିକଟରେ ପୂର୍ବରୁ କୃଷକ କ୍ରେଡିଟ କାର୍ଡଧାରକଙ୍କ ସଂଖ୍ୟା ରହିଛି, ସେହି ଆଧାରରେ ଚାଷୀଙ୍କୁ ଉଦ୍ୟୋଗୀ ଲାଇସେନ୍ସ ଦିଆଯାଉ। ଚାଷୀଙ୍କ ଦାବି ପୂରଣ ଦିଗରେ ସରକାର ତୁରନ୍ତ ଧ୍ୟାନ ନ ଦେଲେ ଆଗାମୀ ଦିନରେ ସରକାର ପାଇଁ ସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଛି।
ଏହିପରି ବହୁ ଦାବି ସହ ରାଜଧାନୀର ରାମଲୀଳା ମୈଦାନରେ ବିକେଏସ ଆହ୍ବାନରେ ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ପରି ଦେଶର ଭିନ୍ନ ରାଜ୍ୟରୁ ଚାଷୀ ସମାବେଶ ହୋଇଛି। ସୋମବାର ସଂଧ୍ୟାସୁଦ୍ଧା ଏହି ସମାବେଶରେ ୫୫ହଜାରରୁ ଅଧିକ କୃଷକ ଏକଜୁଟ ହୋଇଥିବା ବେଳେ ଏହି ପ୍ରଦର୍ଶନ ଦିନ ୧୧ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ରାଜଧାନୀକୁ ବସ, ଟ୍ରକ, ଟ୍ରାକ୍ଟର, ମୋଟରସାଇଲେରେ ଚାଷୀ ପହଞ୍ଚିଥିବା ଏକ ବୟାନରେ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ସେପଟେ ଚାଷୀଙ୍କ ଗର୍ଜନ ରାଲି ଦିଲ୍ଲୀବାସୀଙ୍କ ପାଇଁ ଯେମିତି ସମସ୍ୟା ସୃଷ୍ଟି ନ କରେ, ଯେମିତି ଟ୍ରାଫିକ ଜାମ ନ ହୁଏ, ସେଥିପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୁଲିସ ବହୁ ମାର୍ଗରେ ଟ୍ରାଫିକ ରୁଟକୁ ଡାଇଭର୍ଟ କରି ଦେଇଛି। ରାମଲୀଳା ମୈଦାନ ଓ ତାର ଆଖପାଖ ଅଞ୍ଚଳରେ ବ୍ୟାପକ ପୁଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି। ସ୍ପେସାଲ ବ୍ରାଞ୍ଚ ସ୍ଥିତି ଉପରେ ରଖିଛି ତୀକ୍ଷ୍ନ ନଜର।