ଭାରତରେ ଖୋଲିବ ବିଦେଶୀ ବିଶ୍ବବିଦ୍ୟାଳୟର ଶାଖା

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ଆସିବାକୁ ଯାଉଛି ବଡ ପରିବର୍ତ୍ତନ। ବିଦେଶରେ ଶିକ୍ଷା ଅଧ୍ୟୟନ କରିବାକୁ ଅକ୍ଷମ ଛାତ୍ରଛାତ୍ରୀ ଦେଶରେ ଏହି ସୁବିଧା ପାଇପାରିବେ। ଆଗକୁ ୟେଲ, ଅକ୍ସଫୋର୍ଡ, ଷ୍ଟେନଫୋର୍ଡ ପରି ବିଦେଶୀ ବିଶ୍ବବିଦ୍ୟାଳୟ ଭାରତରେ ସେମାନଙ୍କ କ୍ୟାମ୍ପସ ଖୋଲିବା ସହ ଡିଗ୍ରୀ ପ୍ରଦାନ କରିବାକୁ କେନ୍ଦ୍ର ସରକାରର ଅନୁମତି ପାଇବାକୁ ଯାଉଛନ୍ତି। ଏପରି ହେଲେ ଅନ୍ୟ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଭାରତ ପ୍ରଥମ ପସନ୍ଦ ହୋଇପାରେ।
ଏନେଇ ଗୁରୁବାର ଦିନ ୟୁଜିସି ପକ୍ଷରୁ ସାର୍ବଜନୀନ ପ୍ରତିକ୍ରିୟା ପାଇଁ ଏକ ଡ୍ରାପ୍ଟ ଜାରି କରାଯାଇଛି, ଯେଉଁଥିରେ ପ୍ରଥମ ଥର ଦେଶରେ ବିଦେଶୀ ସଂସ୍ଥା ପ୍ରବେଶ ଓ ପରିଚାଳନା ସୁବିଧା ଚାହୁଁଥିବା ଉଲ୍ଲେଖ ରହିଛି। ଏଥିସହ ସ୍ଥାନୀୟ କ୍ୟାମ୍ପସ ଘରୋଇ ଓ ବିଦେଶୀ ଛାତ୍ରଙ୍କ ନାମଲେଖା ମାନଦଣ୍ଡ, ଫି ଓ ଛାତ୍ରବୃତ୍ତି ଉପରେ ନିଷ୍ପତ୍ତି ନେଇ ପାରିବେ । ସଂସ୍ଥାସବୁକୁ ସେମାନଙ୍କ ଫ୍ୟାକଲ୍ଟି ଓ କର୍ମଚାରୀ ନିଯୁକ୍ତି ଉପରେ ସ୍ବତନ୍ତ୍ରତା ରହିବ ବୋଲି କୁହାଯାଇଛି।
ଏସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏପରି ହେବା ଦ୍ବାରା ଭାରତୀୟ ଛାତ୍ରଛାତ୍ରୀ ଶସ୍ତାରେ ବିଦେଶୀ ଯୋଗ୍ୟତା ହାସଲ କରିପାରିବେ ଓ ଭାରତକୁ ଏକ ଆକର୍ଷଣୀୟ ବୈଶ୍ବିକ ଶିକ୍ଷା କେନ୍ଦ୍ର କରିବାକୁ ଦେଶର ସର୍ବାଧିକ ନିୟନ୍ତ୍ରିତ ଶିକ୍ଷା କ୍ଷେତ୍ରରେ ମୂଳରୁ ପରିବର୍ତ୍ତନର ଉପରେ ଜୋର ଦିଆଯାଇଛି। ଏହି ପଦକ୍ଷେପ ଦ୍ବାରା ବିଦେଶୀ ସଂସ୍ଥାଗୁଡିକ ଦେଶର ଯୁବପିଢିକୁ ଆକର୍ଷିତ କରିବାକୁ ସହାୟତା ମିଳିବ ବୋଲି ମୋଦି କହିଛନ୍ତି।