
ନୂଆଦିଲ୍ଲୀ: ଜ୍ଞାନବାପୀ ମାମଲାରେ ଦାଖଲ ସମସ୍ତ ଯାଚିକାଗୁଡିକୁ ଜିଲ୍ଲା ଜଜଙ୍କ କୋର୍ଟକୁ ଟ୍ରାନ୍ସଫର କରିବାକୁ ସୁପ୍ରିମକୋର୍ଟରେ ଯାଚିକା ଦାୟର କରି ଅପିଲ କରାଯାଇଛି। ଏହି ମାମଲାର ଶୁଣାଣି କରିବାକୁ ସର୍ବୋଚ୍ଚ କୋର୍ଟ ସହମତି ପ୍ରକାଶ କରିଛନ୍ତି। ଜ୍ଞାନବାପୀ ବିବାଦକୁ ନେଇ ବହୁ ଯାଚିକା ଦାଖଲ ହୋଇଛି। ସମସ୍ତ ଯାଚିକା ବାରାଣସିର ବିଭିନ୍ନ କୋର୍ଟରେ ପଡିରହିଛି। ଏହା ଉପରେ ଏପ୍ରିଲ ୨୧ ତାରିଖରେ ଶୁଣାଣି ହେବ। ସୂଚନାଯୋଗ୍ୟ, ପୂର୍ବରୁ ସୁପ୍ରିମ କୋର୍ଟ ହିଁ ଏହି ମାମଲାକୁ ଜିଲ୍ଲା ଜଜଙ୍କ କୋର୍ଟରେ ଟ୍ରାନ୍ସଫର କରିଥିଲେ।
ଯାଚିକାକର୍ତ୍ତାଙ୍କ ପକ୍ଷରୁ ଓକିଲ ବିଷ୍ଣୁ ଜୈନ ସିଜେଆଇଙ୍କ ଖଣ୍ଡପୀଠରେ ଜଣାଇଥିଲେ କି, ଜ୍ଞାନବାପୀ ମସ୍ଜିଦକୁ ନେଇ ଅନେକ ଯାଚିକା ଦାଖଲ ହୋଇଛି। କିନ୍ତୁ ସେସବୁ ବାରାଣସିର ବିଭିନ୍ନ କୋର୍ଟରେ ପଡିରହିଛି। ସମସ୍ତ ଯାଚିକାକର୍ତ୍ତା ଜିଲ୍ଲା ଜଜଙ୍କ କୋର୍ଟରେ ଯାଚିକାଗୁଡିକୁ ଟ୍ରାନ୍ସଫର କରିବାକୁ ସହମତି ପ୍ରକାଶ କରିଛନ୍ତି, କିନ୍ତୁ ଜିଲ୍ଲା ଜଜଙ୍କ କୋର୍ଟ ବାରମ୍ବାର ଆଦେଶକୁ ଟାଳି ଚାଲିଛନ୍ତି। ବିଷ୍ଣୁ ଜୈନ ଆହୁରି କହିଛନ୍ତି କି, ଆମେ ସୁପ୍ରିମକୋର୍ଟରେ ଅପିଲ କରି ସମସ୍ତ ମାମଲାକୁ ମୁଖ୍ୟ ମାମଲା ସହ ଜିଲ୍ଲା କୋର୍ଟକୁ ଟ୍ରାନ୍ସଫର କରିବାକୁ ଅପିଲ କରିଛୁ। ଏହି ମାମଲାରେ ଶୁଣାଣି ହେବା ଆବଶ୍ୟକ ବୋଲି ଯୁକ୍ତି ବାଢିଛନ୍ତି ଜୈନ।