‘ଜଣେ ମୁଖ୍ୟମନ୍ତ୍ରୀଙ୍କୁ କିପରି ପୁନଃ ସ୍ଥାପିତ କରାଯିବ ଯିଏ ଫ୍ଲୋର ଟେଷ୍ଟ ଦେଇ ନାହାନ୍ତି’

ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମକୋର୍ଟ ମହାରାଷ୍ଟ୍ରରେ ପୁଣି ଉଦ୍ଧବ ଠାକରେ ସରକାରର ପୁନଃ ପ୍ରତିଷ୍ଠା ଅପିଲ ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି କୋର୍ଟ। କୋର୍ଟ କହିଛନ୍ତି କି, କିପରି ଠାକରେ ସରକାରକୁ ପୁନଃ ସ୍ଥାପନ କରାଯାଇ ପାରିବ। ରାଜ୍ୟପାଳଙ୍କ ଦ୍ବାରା ଆସ୍ଥା ଭୋଟ ତାଙ୍କୁ ଅବୈଧ ଅନୁଭୂତ ହୋଇଥିଲେ ବି ସେ ଏହାର ସମ୍ମୁଖୀନ ନ କରି ପଦରୁ ଇସ୍ତଫା ଦେଇ ଥିଲେ, ଯାହା ପ୍ରମାଣିତ କରିଛି କି, ବିଧାନସଭାରେ ସେ ସଂଖ୍ୟାଗରିଷ୍ଠତା ସ୍ଥିତିରେ ନଥିଲେ।
କୋର୍ଟ ଆହୁରି କହିଛନ୍ତି କି, ଏହା ଯୁକ୍ତିସଂଗତ ହୋଇଥାନ୍ତା, ଯଦି ଉଦ୍ଧବ ସରକାର ବିଶ୍ବାସ ମତରେ ହାରି ଯାଇଥାନ୍ତେ। ଯାହାବି ହେଉ ଆପଣଙ୍କୁ କ୍ଷମତାରୁ ବାହାର କରିଦିଆଯାଇଛି, କାରଣ ଆପଣ ବିଶ୍ବାସ ମତକୁ ଏଡାଇ ଦେଇଥିଲେ। ଶିବସେନାର ରାଜନୈତିକ ସଂକଟକୁ ନେଇ ଦାୟର ମାମଲାର ଶୁଣାଣି ପାଇଁ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ ଖଣ୍ଡପୀଠ ଗଠନ କରାଯାଇଥିଲା।
ଖଣ୍ଡପୀଠ ମାମଲାର ଚୂଡାନ୍ତ ଶୁଣାଣି କାଳରେ ତତ୍କାଳୀନ ରାଜ୍ୟପାଳ ଭାଗତ ସିଂହ କୋଶ୍ୟାରୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। କୋଶ୍ୟାରୀ ଉଦ୍ଧବ ସରକାର ଭାଙ୍ଗିବା ସମୟରେ ପକ୍ଷପାତିତା କରିଥିବା କହିଛନ୍ତି। ଶିବସେନାର ଏହା ଏକ ଆଭ୍ୟନ୍ତରିଣ ଆଦର୍ଶଗତ ବିବାଦ, ଏଥିରେ ରାଜ୍ୟପାଳଙ୍କର ହସ୍ତକ୍ଷେପ କରିବାର ନ ଥିଲା। ସେହିପରି ଖଣ୍ଡପୀଠ ଆହୁରି କହିଛନ୍ତି କି, ଶିବସେନାର ୩୯ ବିଧାୟକ ବିଦ୍ରୋହ କରିବା ପରେ ରାଜ୍ୟପାଳଙ୍କ ଦ୍ବାରା ବିଶ୍ବାସ ମତ ପାଇଁ ଆହ୍ବାନ ନିଷ୍ପତ୍ତି ତରବରିଆ ଥିଲା। ରାଜ୍ୟପାଳଙ୍କୁ ଜାଣିବା ଉଚିତ ଥିଲା କି, ଠାକରେଙ୍କୁ ବିଶ୍ବାସ ମତ ପାଇଁ କହିବା ଦ୍ବାରା ସରକାର ଭାଙ୍ଗି ଯିବ। ସେପଟେ ବହୁମତ ସାବ୍ୟସ୍ତ ଉଦ୍ଧବଙ୍କ ପାଇଁ ଅସମ୍ଭବ ଜାଣି ସେ ୨୯ ଜୁଲାଇ ୨୦୨୨ରେ ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟପାଳଙ୍କ ପଦକ୍ଷେପ ଏକନାଥ ଗୋଷ୍ଠୀକୁ ଜିତାଇବା ପାଇଁ ଉଦ୍ଦିଷ୍ଟ ଥିଲାବୋଲି କହିଛନ୍ତି କୋର୍ଟ।
ଏଥିସହ ବହୁମତ ସାବ୍ୟସ୍ତ କରିବାରେ ଅସର୍ଥତା ପାଇଁ ଇସ୍ତଫା ଦେଇଥିବାରୁ ଉଦ୍ଧବ ଗୋଷ୍ଠୀ ଗୃହରେ ସଂଖ୍ୟା ଲଘୁ ସାବ୍ୟସ୍ତ ହୋଇଛି, ତେଣୁ ଏପରି ସ୍ଥଳେ କିପରି ସରକାର ଗଠନ ପାଇଁ ଦିଆଯିବ ବୋଲି ଠାକରେଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ।