ସ୍ବଚ୍ଛତା କ୍ଷେତ୍ରରେ ଇନ୍ଦୋର ଜାରି ରଖିଛି ରେକର୍ଡ

ଇନ୍ଦୋର: ସ୍ବଚ୍ଛତା କ୍ଷେତ୍ରରେ ଲଗାତର ଇନ୍ଦୋରର ସଫଳତା। ଦେଶରେ ଷଷ୍ଠ ଥର ପାଇଁ ଇନ୍ଦୋର ସ୍ବଚ୍ଛତାରେ ସର୍ବାଗ୍ରରେ ରହିଛି। ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ସ୍ବଚ୍ଛତା ସର୍ବେକ୍ଷଣ-୨୦୨୨ର ଆୱାର୍ଡ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପୁରସ୍କାରକୁ ନେଇ ଇନ୍ଦୋରବାସୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଛି।
ଲଗାତର ୬ ଥର ଧରି ଇନ୍ଦୋର ସହର ସ୍ବଚ୍ଛତା କ୍ଷେତ୍ରରେ ପ୍ରଥମସ୍ଥାନ ବଜାୟ ରଖିଥିବାରୁ ଲୋକଙ୍କ ଭିତରେ ଖୁସି। ଏହି ପୁରସ୍କାର ପାଇଁ ସହରର ବିଭିନ୍ନ ଛକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଟେଣ୍ଟ ବାନ୍ଧି, ଚୌକି ପକାଇ, ସାଉଣ୍ଡବକ୍ସ ବଜାଇ ଏହି ସଫଳତାକୁ ସେଲିବ୍ରେଟ କରିଛନ୍ତି ଲୋକେ। ଲୋକଙ୍କୁ ମଧ୍ୟ ମିଠା ବଣ୍ଟାଯାଇଛି। ନବରାତ୍ରୀ ପାଇଁ ଇନ୍ଦୋରରେ ଗର୍ବା ଚାଲିଥିବାରୁ ଏହି ସଫଳତା ପରେ ପ୍ରଶାସନ ପକ୍ଷରୁ ଗର୍ବା କାଳରେ ସ୍ବଚ୍ଛତାର ଗୀତ ମଧ୍ୟ ସାମିଲ କରିବାକୁ କୁହାଯାଇଛି।
ଇନ୍ଦୋର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗୁଜୁରାଟର ସୁରଟ ଦ୍ବିତୀୟ ସ୍ଥାନ ଓ ମହାରାଷ୍ଟ୍ରର ନବି ମୁମ୍ବାଇ ତୃତୀୟ ସ୍ବଚ୍ଛ ସହରର ମାନ୍ୟତା ହାସଲ କରିଛି ୨୦୨୨ ବର୍ଷରେ।