ଜାତୀୟ

ଆଦାନୀ ଉପରୁ ନିବେଶକଙ୍କ ତୁଟୁଛି ଭରସା

() ଆଦାନୀ ଉପରୁ ନିବେଶକଙ୍କ ଭରସା କ୍ରମାଗତ ତୁଟିବାରେ ଲାଗିଛି। ସେପଟେ  ଆଦାନୀ କମ୍ପାନୀଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଉଥିବାରୁ ଆରବିଆଇ ବି ଚିନ୍ତିତ। ଆଦାନୀଗ୍ରୁପକୁ ଦିଆଯାଇଥିବା ଋଣ ବିଷୟରେ ବ୍ୟାଙ୍କଗୁଡିକଠୁ ରିପୋର୍ଟ ତଲବ କରିଛି। କେବଳ ଦେଶ ଭିତରେ ନୁହେଁ, ବାଂଲାଦେଶରେ କମ୍ପାନୀର ଅଡ଼ୁଆ ବି ବଢ଼ିଲାଣି। ପାଓ୍ୱାର ପ୍ଲାଣ୍ଟ ଚୁକ୍ତିର ସଂଶୋଧନ ଲାଗି କହିଲାଣି ବାଲାଂଦେଶ। ସେୟାର ବଜାରରେ ହଲଚଲ ସୃଷ୍ଟି ହୋଇଛି।

ଶୁକ୍ରବାର ଷ୍ଟକ୍ ବଜାର ଖୋଲୁ ଖୋଲୁ ଆରମ୍ଭରୁ ଆଦାନୀ ଗ୍ରୁପକୁ ଲାଗିଛି ଝଟକା। ଗଲା ସପ୍ତାହ ଧରି କ୍ରମାଗତ ଆଦାନୀ ଗ୍ରୁପର ସେୟାର ଖସିଆସୁଛି। ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟର ନକରାତ୍ମକ ପ୍ରତିଫଳନ ଭୋଗୁଛି ଆଦାନୀ ଗ୍ରୁପ୍। ଶୁକ୍ରବାର ସକାଳୁ ସେନସେକ୍ସ ୨୩୬ ପଏଣ୍ଟକୁ ଉଠି ୬୦ହଜାର ୧୮୫.୪୯ରେ ରହିଥିଲା। ସେହିଭଳି ଏନଏସଇ ନିଫଟି ୧୭ ପଏଣ୍ଟ ହାସଲ କରି ୧୭ହଜାର୬୨୭.୮୦ରେ ରହିଥିଲା। ଆଦାନୀ ଗ୍ରୁପର ଫ୍ଲାଗସିପ ଫାର୍ମ ଆଦାନୀ ଏଣ୍ଟରପ୍ରାଇଜେସର ସେୟାର ଶୁକ୍ରବାର ସକାଳୁ ୨୭.୪୭ ପ୍ରତିଶତକୁ ଖସି ୧୧୪୩ ଟଙ୍କା ୫୦ ପଇସାରେ ସୀମିତ ଥିଲା। ସେନସେକ୍ସ ତଥ୍ୟକୁ ଦେଖିଲେ ପାଞ୍ଚଟି ଟ୍ରେଡିଂ ସେସନରେ ଏହି ଗ୍ରୁପ୍ ୬୨ ପ୍ରତିଶତ ସେୟାରକୁ ଖସି ଆସିଛି। କହିବାକୁ ଗଲେ ସେୟାର ମୂଲ୍ୟରେ ୧୯୨୬ଟଙ୍କା୫୫ ପଇସା କ୍ଷତି ସହିଛି। ଗଲା ୫ ଦିନର ହିସାବ ଦେଖିଲେ, ଆଦାନୀ ଗ୍ରୀନ୍‌ର ସେୟାର ୧୦ ପ୍ରତିଶତ ଖସିଛି। ପ୍ରତି ସେୟାରରେ ୩୯୨ ଟଙ୍କା ୩୦ ପଇସା କ୍ଷତି ସହି ୨୯.୫୪ ପ୍ରତିଶତକୁ ଖସିଛି। ସେହିଭଳି ଆଦାନୀ ପୋର୍ଟସ ଓ ଏସଇଜେଡ୍ ଶୁକ୍ରବାର ସକାଳୁ ପ୍ରତି ସେୟାର ମୂଲ୍ୟରେ ୩୯ଟଙ୍କା୯୫ ପଇସା କ୍ଷତି ସହିଛି। ଆଉ ୫ ଦିନର ହିସାବ ଦେଖିଲେ ଏହି ଫାର୍ମ ୨୨୭ ଟଙ୍କା ୨୦ ପଇସା ହାରରେ ୩୫ ପ୍ରତିଶତ ଅବକ୍ଷୟ ଦେଖିବାକୁ ମିଳିଛି। ଅନୁରୂପ ଭାବରେ ଆଦାନୀ ଟ୍ରାନ୍ସମିଶନ ସେୟାରରେ ୧୦ ପ୍ରତିଶତ ଖସିଛି। ୧ହଜାର୩୯୬ ଟଙ୍କାରେ ଟ୍ରେଡିଂ କରୁଥିଲା କମ୍ପାନୀ। ଗଲା ୫ ଦିନରେ ୩୭୧ଟଙ୍କା୨୫ ପଇସା ହରାଇ ୨୧ ପ୍ରତିଶତ ତଳକୁ ଏହାର ସେୟାର ଖସିଗଲାଣି।

ଏଫଏମସିଜି ଫାର୍ମ ଆଦାନୀ ଓ୍ୱିଲମର ବି କ୍ଷତି ସହିଛି। ୫ ପ୍ରତିଶତ ହାରରେ ୩୯୯ ଟଙ୍କା ପ୍ରତି ସେୟାରରେ ହରାଇଛି ଗ୍ରୁପ୍। ଆଉ ୫ ଦିନର ହିସାବ ଦେଖିଲେ, ୯୧ ଟଙ୍କା ହରାଇଛି ଏହି କମ୍ପାନୀ। ଆଦାନୀ ଗ୍ରୁପ ଅନ୍ତର୍ଗତ ଆଦାନୀ ପୋର୍ଟସ ଓ ସ୍ପେଶିଆଲ ଇକୋନୋମିକ୍ ଜୋନ୍ ଦ୍ୱାରା ଜାରି ତିନୋଟି ବଣ୍ଡ୍ ପେମେଣ୍ଟ ଉପରେ ସୁଧକୁ ହିସାବ ଦେଖିଲେ, ଆଜିକା ତାରିଖରେ ପ୍ରାୟ ୨୪ ମିଲିୟନ ୟୁଏସ ଡଲାର ପରିଶୋଧ କରିବାକୁ ପଡ଼ିବ ଆଦାନୀକୁ। ଯାହାର ଫେବୃଆରୀ ୨ ତାରିଖରେ ଅବଧି ପୁରିଯାଇଛି। ୨୦୩୧, ୨୦୩୨ ଓ ୨୦୪୧ରେ ମ୍ୟାଚୁରୁଟି ପାଇବ ଏ ସବୁ ବଣ୍ଡ୍। ଆଦାନୀ ଗ୍ରୀନର ବଣ୍ଡ୍ ସେପ୍ଟେମ୍ୱର ୨୦୨୪ରେ ମ୍ୟାଚୁରୁଟି ପୁରୁଛି। ରିଉଟର ତଥ୍ୟ ଅନୁସାରେ ଆଦାନୀ ଗ୍ରୀନ୍ସ ସବୁଠୁ ଅଧିକ କ୍ଷତି ସହିଲାଣି। ୧୧.୬୯ ପ୍ରତିଶତରୁ ୬୦.୫୬ ପ୍ରତିଶତ ଯାଏ ଏହାର ସେୟାର ମୂଲ୍ୟ ଖସିଲାଣି। ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶିଆଲ ଇକୋନୋମିକ ଜୋନ୍, ଆଦାନୀ ଟ୍ରାନ୍ସମିଶନ ଓ ଆଦାନୀ ଇଲେକ୍ଟ୍ରିସିଟି ମୁମ୍ୱାଇର ୟୁଏସ ଡଲାର ଡୋମିନେଟେଡ୍ ବଣ୍ଡ୍‌ ଟ୍ରେଡିଂରେ କ୍ରମାଗତ ଖସିବାରେ ଲାଗିଛି। ଗୋଟିଏ ପଟେ ଆଦାନୀ ଉପରୁ ନିବେଶକଙ୍କ ଭରସା ତୁଟିବାକୁ ଲାଗିଛି।

ଯଦିଓ ନିବେଶକଙ୍କ ଟଙ୍କା ସୁରକ୍ଷିତ ଥିବା ନେଇ ଗୌତମ ଆଦାନୀ ସ୍ପଷ୍ଟିକରଣ ଦେବା ପରେ ଆଦାନୀ ଏଣ୍ଟରପ୍ରାଇଜେସ୍ ପକ୍ଷରୁ ଅଣାଯାଇଥିବା ୨୦ହଜାର କୋଟି ଟଙ୍କାର ଫଲୋଅନ୍ ପବ୍ଲିକ ଅଫର ବା ଏଫପିଓଙ୍କୁ ନିବେଶକ ସବସ୍କ୍ରାଇବ କରିଥିଲେ। କିନ୍ତୁ ଏହାର ସେୟାର ମୂଲ୍ୟରେ କ୍ରମାଗତ ହ୍ରାସ ହେବା ଦେଖି ବୁଧବାର ହିଁ ଆଦାନୀ ବୋର୍ଡ ଏଫପିଓକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲା। ସେୟାର ମାର୍କେଟ ଉଠାପକା ସ୍ଥିତି ଲାଗି ଏଫପିଓ ରଦ୍ଦ କରିବା ସହ ନିବେଶକଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ନେଇ ନିଷ୍ପତ୍ତି ନେଇଥିଲା କମ୍ପାନୀ। ନିବେଶକ ଏବେ ଆଦାନୀ ଗ୍ରୁପକୁ ସନ୍ଦେହ ଦୃଷ୍ଟିରେ ଦେଖିବା ଆରମ୍ଭ କରିଛନ୍ତି। କେବଳ ଦେଶ ଭିତରେ ନୁହେଁ, ବିଦେଶରେ ବି ଆଦାନୀ ଗ୍ରୁପ୍ ଅଡ଼ୁଆରେ ପଡ଼ିଛି। ୨୦୧୭ ନଭେମ୍ୱରରେ ବାଂଲାଦେଶ ପାଓ୍ୱାର ଡେଭେଲପମେଣ୍ଟ ବୋର୍ଡ ଓ ଆଦାନୀ ପାଓ୍ୱାର ଭିତରେ ହୋଇଥିବା ଡିଲ୍‌ ରଦ୍ଦ ହେବାର ଆଶଙ୍କା ବଢ଼ିଛି। ୨୫ ବର୍ଷିଆ ପାଓ୍ୱାର ପର୍ଚ୍ଚେଜିଂ ଏଗ୍ରିମେଣ୍ଟ ହୋଇଥିଲା। କିନ୍ତୁ ଆଦାନୀ ଗ୍ରୁପ ଏଭଳି ସଙ୍କଟରେ ପଡ଼ିଥିବାରୁ ଏହି ଚୁକ୍ତିର ପୁଣି ସମୀକ୍ଷା ହେବ ବୋଲି ଆଦାନୀ ପାଓ୍ୱାରକୁ ଚିଠି ଲେଖିବା ପରେ ପାଓ୍ୱାର ଡିଲ୍‌ର ସ୍ଥିତିକୁ ନେଇ ପ୍ରଶ୍ନ ଉଠୁଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button