ସ୍ୱାତୀ ମାଲିଓ୍ୱାଲଙ୍କୁ ଆକ୍ରମଣ ଓ ଅସଦାଚରଣ ମାମଲାରେ ଅଭିଯୁକ୍ତ ବିଭବ କୁମାରଙ୍କୁ ବଡ଼ ଆଶ୍ୱସ୍ତି। ସୁପ୍ରିମକୋର୍ଟରୁ ବିଭବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ଶହେ ଦିନରୁ ଅଧିକ ଦିନ ହେଲା ବିଭବ ଜେଲରେ ରହିଲେଣି। ଯେହେତୁ ଚାର୍ଜସିଟ୍ ଫାଇଲ ହୋଇସାରିଛି। ଆଉ ତଦନ୍ତ ସମ୍ପୂର୍ଣ୍ଣ ହୋଇଛି। ସେଥିଲାଗି ତାଙ୍କୁ ଜେଲରୁ ମୁକ୍ତିରେ ତଦନ୍ତ ଉପରେ କୌଣସି ପ୍ରଭାବ ପକାଇବନି ବୋଲି ସୁପ୍ରିମକୋର୍ଟ ହୃଦବୋଧ କରିଛନ୍ତି। ବିଭବ ଏଣିକି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କ ବାସଭବନରେ ପଶିପାରିବେନି। ସରକାରଙ୍କ କୌଣସି ପ୍ରମୂଖ ଭୂମିକାରେ ବିଭବ ରହିବେନି ବୋଲି ସର୍ତ୍ତ ଖଞ୍ଜିଛନ୍ତି ସୁପ୍ରିମକୋର୍ଟ। କେଜ୍ରିଓ୍ୱାଲଙ୍କ ବ୍ୟକ୍ତିଗତ ସଚିବ ଥିଲେ ବିଭବ। ବିଭବ ଜାମିନ୍ ପାଇବାକୁ ଯୋଗ୍ୟ। ଏହାକୁ ବିରୋଧ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁଙ୍କୁ କହିଥିଲେ ଜଷ୍ଟିସ ଉଜ୍ୱଳ ଭୂୟାଁ। ଏସଭି ରାଜୁ ଦିଲ୍ଲୀ ପୁଲିସକୁ ପ୍ରତିନିଧିତ୍ୱ କରିଥିଲେ। ରାଜୁ କହିଥିଲେ, ବିଭବଙ୍କୁ ଜାମିନ୍ ଦେଲେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି। ସେଥିଲାଗି ସମସ୍ତ ସାକ୍ଷୀଙ୍କ ଅନୁଧ୍ୟାନ ସମ୍ପୂର୍ଣ୍ଣ ପରେ ହିଁ ଜାମିନ୍ ଦିଆଯାଉ। ଯେହେତୁ ମାମଲା ମହିଳା ବିରୋଧୀ ହିଂସା ସହ ଜଡ଼ିତ। ସିସିଟିଭି ଫୁଟେଜ୍ ଟାମ୍ପରିଂ ହୋଇଥିଲା। ସେଥିଲାଗି ବିଭବଙ୍କ ଜାମିନକୁ ବିରୋଧ କରିଥିଲେ ରାଜୁ। କିନ୍ତୁ ବିଭବଙ୍କ ଓକିଲ ଅଭିଷେକ ମନୁ ସିଂଘଭି କହିଥିଲେ, ଯେହେତୁ ସ୍ୱାତୀଙ୍କ କ୍ଷତ ସାଧାରଣ ଥିଲା। ସାକ୍ଷୀମାନେ ସବୁ ଦିଲ୍ଲୀ ପୁଲିସର ଅଧିକାରୀ ଥିଲେ। ସେଥିଲାଗି କୌଣସି କ୍ଷେତ୍ରରେ ସାକ୍ଷୀଙ୍କୁ ପ୍ରଭାବିତ କରିବାର ସୁଯୋଗ ହିଁ ନାହିଁ। ମେ ୧୩ରେ କେଜ୍ରିଓ୍ୱାଲଙ୍କୁ ଭେଟିବାକୁ ଯାଇଥିବା ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ୱାଲଙ୍କୁ ବିଭବ କୁମାର କୁଆଡ଼େ ଆକ୍ରମଣ ସହ ଅସଦାଚରଣ କରିଥିବାର ଅଭିଯୋଗ ହୋଇଥିଲା। କୁମାରଙ୍କୁ ଏହି ମାମଲାର ମେ ୧୮ରେ ଗିରଫ କରାଯାଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now