ଯାହାକୁ କୋମାରେ ପଡ଼ିଛି ବୋଲି କହିଥିଲା ହସ୍ପିଟାଲ। ସେ ରୋଗୀ ଆଇସିୟୁରୁ ନିଜେ ବାହାରିଲେ। ଆଉ କେମିତି ମିଛରେ ଆଇସିୟୁରେ ଭର୍ତ୍ତି କରି କୋମାରେ ପଡ଼ିଛି କହି ହସ୍ପିଟାଲ ତାଙ୍କ ପରିବାରଠୁ ଟଙ୍କା ଲୁଟିବାର ଯୋଜନା କରୁଥିଲା, ତାହାର ଫର୍ଦ୍ଦଫାସ କଲେ। ଏଭଳି ଅଭାବନୀୟ ଘଟଣା ଆସିଛି ମଧ୍ୟପ୍ରଦେଶର ଏକ ଘରୋଇ ହସ୍ପିଟାଲରୁ। ହସ୍ପିଟାଲ ଲକ୍ଷେ ଟଙ୍କା ରୋଗୀଙ୍କ ପରିବାରଠୁ ଝାଡ଼ିବାକୁ ଏଭଳି କାରସାଦି କରୁଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ। ଆଇସିୟୁରେ ବଣ୍ଟିଙ୍କୁ କୋମା ରୋଗୀ କହି ହସ୍ପିଟାଲର ଟଙ୍କା ଝାଡ଼ିବାର କାରସାଦି ଧରାପଡ଼ିଗଲା।
ରବିବାର ରାତିରେ ଆହତ ହୋଇ ବଣ୍ଟି ନିନାମା ଆଗ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ପରିବାର ତାଙ୍କୁ ରାଟଲାମ ସିଟିରେ ଘରୋଇ ହସ୍ପିଟାଲକୁ ସିଫ୍ଟ କରିଥିଲେ। ଘରୋଇ ହସ୍ପିଟାଲ ଚିକିତ୍ସା ପାଇଁ ଲକ୍ଷେ ଟଙ୍କା ଦାବି କରିଥିଲା। ଆଡମିସନ ବେଳେ ବିଲ୍ ହୋଇଥିଲା ମାତ୍ର ୮ହଜାର ଟଙ୍କା। ହସ୍ପିଟାଲ କହିବାରୁ ପରିବାର ଲୋକେ ୪୦ହଜାର ଟଙ୍କା ଜମା କରିଥିଲେ। କିନ୍ତୁ ଲକ୍ଷେ ଟଙ୍କା ନେବାକୁ କୁଆଡ଼େ ହସ୍ପିଟାଲ ଫନ୍ଦି କରି ବଣ୍ଟିଙ୍କୁ ଆଇସିୟୁକୁ ସିଫ୍ଚ କରି କୋମାରେ ଅଛନ୍ତି କହି ମିଛ କହିଥିବାର ଅଭିଯୋଗ ଆସିଛି।
ସେପଟେ ଏଭଳି ସଙ୍ଗୀନ ଅଭିଯୋଗର ତଦନ୍ତ ଲାଗି ସରକାର ତିନି ଜଣିଆ କମିଟି ଗଠନ କରିଛନ୍ତି। ଆଇସିୟୁ ବେଡ୍ରୁ ଉଠି ଯେଭଳି ଦୟନୀୟ ଅବସ୍ଥାରେ ବଣ୍ଟି ହସ୍ପିଟାଲ ବିରୁଦ୍ଧରେ ଆରୋପ ଲଦିଲେ, ଏହାର ଭିଡ଼ିଓ ଭାଇରାଲ ପରେ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି। ବଣ୍ଟିଙ୍କ ବୟାନ ରେକର୍ଡ ହୋଇଛି। ହସ୍ପିଟାଲ ବିଲ୍ ମଗାଯାଇଛି। ବାସ୍ତବରେ ତାଙ୍କ ରୋଗ ଲାଗି କେତେ ଖର୍ଚ୍ଚ ହେବା କଥା, ତାହାର ଏଷ୍ଟିମେଟ୍ ସରକାରୀ ହସ୍ପିଟାଲରୁ ମଗାଯାଇଛି। ତଦନ୍ତ ଜାରି ରହିଛି। ଆସନ୍ତା ଦୁଇରୁ ତିନି ଦିନ ଭିତରେ ରିପୋର୍ଟ ଆସିଲେ ଆକ୍ସନ ହେବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।
କୋମାରେ ପଡ଼ିଛି କହି ରୋଗୀକୁ ଆଇସିୟୁରେ ଲକ୍ କରିବା ଭଳି ଅଭାବନୀୟ ଘଟଣା ପଛର ରହସ୍ୟ ପଦାକୁ ଆସିବା ଦରକାର।

Naxatra News is now on Whatsapp
Join and get latest news update delivered to you via whatsapp
Join Now