ଖରାପ କଷ୍ଟମର ସର୍ଭିସିଂକୁ ନେଇ ବିବାଦରେ ଓଲା ଇଭି ଗାଡ଼ି

ଖରାପ କଷ୍ଟମର ସର୍ଭିସିଂକୁ ନେଇ ବିବାଦରେ ଓଲା ଇଭି ଗାଡ଼ି। ଖରାପ ସର୍ଭିସକୁ ନେଇ ଅନେକ ୟୁଜର୍ସ ଓଲାକୁ ଟ୍ରୋଲ କରିବାରେ ଲାଗିଛନ୍ତି। କର୍ଣ୍ଣାଟକରେ ତ ଓଲା ସ୍କୁଟର ସୋରୁମରେ ଉତ୍ୟକ୍ତ ଗ୍ରାହକ ଗଲାମାସରେ ନିଆଁ ଲଗାଇଦେଇଛନ୍ତି। ଓଲାକୁ ନେଇ ଗ୍ରାହକଙ୍କର କ୍ରମାଗତ ଅଭିଯୋଗକୁ ଦୃଷ୍ଟିରେ ରଖି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କେନ୍ଦ୍ର। ସେପଟେ ଏକ୍ସରେ କମେଡ଼ିଆନ କୁନାଲ କାମରା ଓ କମ୍ପାନୀ ସିଇଓ ଭାବିଶ ଅଗ୍ରଓ୍ୱାଲଙ୍କ ଭିତରେ ଯୁକ୍ତିତର୍କ ବେଶ୍ ଭାଇରାଲ ହେବାରେ ଲାଗିଛି।

ଓଲା ଇଲେକ୍ଟ୍ରିକ୍ ସ୍କୁଟରର କଷ୍ଟମର ସର୍ଭିସିଂକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଗଲା ବର୍ଷ ସେପ୍ଟେମ୍ୱରରୁ ଚଳିତ ବର୍ଷ ଅଗଷ୍ଟ ୩୧ ସୁଦ୍ଧା ଓଲା ଇ-ସ୍କୁଟର ବିରୁଦ୍ଧରେ ୧୦ହଜାରରୁ ଅଧିକ ଅଭିଯୋଗ ଜାତୀୟ ଗ୍ରାହକ ହେଲ୍ପଲାଇନରେ ରେକର୍ଡ ହୋଇଛି। ଏଥିରୁ କେବଳ ୩ହଜାର୩୮୯ ମାମଲା ବିଳମ୍ୱିତ ସେବା ସହ ଜଡ଼ିତ ଅଛି। ଖରାପ କଷ୍ଟମର ସର୍ଭିସିଂକୁ ନେଇ ଅନେକ ୟୁଜର୍ସ ଓଲାକୁ ଟ୍ରୋଲ କରିବାରେ ଲାଗିଛନ୍ତି। ସର୍ଭିସରେ ଅସନ୍ତୁଷ୍ଟ ହୋଇ ଗଲା ମାସରେ ତ କର୍ଣ୍ଣାଟକର କାଲବୁର୍ଗିରେ ଥିବା ଓଲା ସୋ ରୁମରେ ନିଆଁ ଲଗାଇଦେଇଥିଲେ ୨୬ ବର୍ଷର ଯୁବକ। ନିଆଁରେ ସୋରୁମରେ ଥିବା ୬ଟି ସ୍କୁଟର ଜଳିଯାଇଥିଲା। ଅଭିଯୁକ୍ତ ଗ୍ରାହକ ମହମ୍ମଦ ନଦୀମକୁ ପୁଲିସ ଗିରଫ କରିଥିଲା। ବାରମ୍ୱାର କହିବା ସତ୍ତ୍ୱେ ତାଙ୍କ ଓଲା ସ୍କୁଟର ରିପାୟରିଂ ନେଇ କମ୍ପାନୀ କୌଣସି ପଦକ୍ଷେପ ନେଇନଥିବାରୁ ଏଥିରେ ଉତକ୍ଷିପ୍ତ ନଦୀମ ଏଭଳି କରିଥିଲେ। କିଛି ଗ୍ରାହକ ତ ଓଲା କମ୍ପାନୀ ଆଗରେ ଅଭିନବ ଢଙ୍ଗରେ ଗୀତ ଗାଇ ଖରାପ ସର୍ଭିସ ପାଇଁ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା। ଗ୍ରାହକଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ସହ ଠିକ୍ ସମୟରେ ସର୍ଭିସ ଦେବାକୁ କମ୍ପାନୀ ରିଡ୍ରେସାଲ ଫୋରମରେ ନୂଆ ଟିମ୍ ନେଇଥିଲା। ମାସିକ ୮୦ହଜାର ସର୍ଭିସ ସମ୍ପର୍କିତ ସମସ୍ୟା ସମାଧାନ କରିବାର ଦକ୍ଷତା ବୃଦ୍ଧି କରିଥିଲା ଓଲା କମ୍ପାନୀ। ପିକ୍ ସମୟରେ ଅଭିଯୋଗ ୬ହଜାରରୁ ୭ହଜାରକୁ ବୃଦ୍ଧି ପାଉଛି। ଦୀର୍ଘ ସମୟ ଅପେକ୍ଷା କରିବା, ସର୍ଭିସ ଠିକଣା ସମୟରେ ନ ପାଇବାରୁ ଗ୍ରାହକଙ୍କ ଅସନ୍ତୋଷକୁ ମୁକାବିଲା କରିବାକୁ କମ୍ପାନୀ ଏଭଳି ପଦକ୍ଷେପ ନେଇଥିଲା ସେପ୍ଟେମ୍ୱରରୁ। ଖରାପ ସର୍ଭିସ କାରଣରୁ ଓଲା ସ୍କୁଟର ବିକ୍ରିରେ ବି ହ୍ରାସ ପାଉଛି। ଅଗଷ୍ଟ ମାସରେ ସବୁଠୁ କମ୍ ବିକିଥିଲା କମ୍ପାନୀ। ମାତ୍ର ୨୭ହଜାର ସ୍କୁଟର ବିକିଥିଲା। ଜୁଲାଇ ତୁଳନାରେ ୩୪ ପ୍ରତିଶତ କମ୍ ବିକ୍ରି ହୋଇଥିଲା ଗାଡ଼ି। ଏହାର ପ୍ରତିଯୋଗୀ କମ୍ପାନୀ ବଜାଜ୍ ଓ ଟିଭିଏସ କମ୍ପାନୀ ନିଜର ବିକ୍ରିକୁ ବଜାୟ ରଖିବାରେ ସକ୍ଷମ ହୋଇଥିଲେ।

ଆଜିଯାଏ ପ୍ରାୟ ୭ଲକ୍ଷ ଓଲା ଇଭି ସ୍କୁଟର ବିକ୍ରି ହେଲାଣି। ଭାରତରେ ୪୩୦ ସର୍ଭିସ ସେଣ୍ଟର ରହିଛି। ସର୍ଭିସ ଆପୋଏଣ୍ଟମେଣ୍ଟ ନେବାରେ ଯେତିକି ବିଳମ୍ୱ, ସର୍ଭିସ ପାଇବାକୁ ତାଠୁ ଅଧିକ ବିଳମ୍ୱ ହେଉଛି। ଏପରିକି ସାମାନ୍ୟ ରିପାୟାରିଂ ପାଇଁ ୩୦ରୁ ୪୫ ଦିନ ଲାଗିଯାଉଛି। ଓଲା ସ୍କୁଟର ସର୍ଭିସ ବିରୁଦ୍ଧରେ ଗ୍ରାହକଙ୍କ ଅସନ୍ତୋଷ ବଢ଼ୁଥିଲା ବେଳେ ଏକ୍ସ-ରେ କମେଡ଼ିଆନ କୁନାଲ କାମରା ଓ କମ୍ପାନୀ ସିଇଓ ଭାବିଶ ଅଗ୍ରଓ୍ୱାଲଙ୍କ ମଧ୍ୟରେ ଯୁକ୍ତିତର୍କ ଚରମସୀମାରେ ପହଞ୍ଚିଛି। ଖରାପ କଷ୍ଟମର ସର୍ଭିସିଂ ଦର୍ଶାଇ କୁନାଲ କରିଥିବା ପୋଷ୍ଟରେ ଭାବିଶ କହିଛନ୍ତି ଯେ, ଟଙ୍କା ନେଇ କୁନାଲ ଏଭଳି ପୋଷ୍ଟ କରୁଛନ୍ତି। କୁନାଲଙ୍କୁ ଫ୍ଲପ୍ କମେଡ଼ିଆନ କହିବା ସହ ଏଭଳି ପେଡ୍ ଟୁଇଟ୍ କରି ବେଶୀ ଟଙ୍କା ରୋଜଗାର କରନ୍ତି ବୋଲି କହିଛନ୍ତି ଭାବିଶ। ତେବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଟ୍ୟାଗ୍ କରି ଓଲା ଇଭିର ବ୍ୟବହାର କରି ଗ୍ରାହକ କି ଦୁର୍ଦ୍ଦଶା ଭୋଗୁଛନ୍ତି, ତାକୁ ଜଣାଇଛନ୍ତି କୁନାଲ। ଓଲା ସର୍ଭିସକୁ ନେଇ କ୍ରମାଗତ ଗ୍ରାହକଙ୍କ ଅଭିଯୋଗକୁ ଦେଖି କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ୍ କଞ୍ଜୁମର ପ୍ରୋଟେକ୍ସନ ଅଥୋରିଟି ଓଲା କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରି ୧୫ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦେଶ ଦେଇଛି।

ଖରାପ କଷ୍ଟମର ସର୍ଭିସକୁ ନେଇ ଓଲା ବ୍ୟବସାୟିକ କ୍ଷେତ୍ରରେ ଓ ସେୟାର ବଜାରରେ କ୍ଷତି ସହିଲାଣି। ଓଲା ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡର ସେୟାର ସୋମବାର ୮ ପ୍ରତିଶତ ଖସିଥିଲା। କ୍ରମାଗତ ୩ ଦିନ ଧରି କମ୍ପାନୀର ସେୟାର କମିବାରେ ଲାଗିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *