ମଦ୍ରାସାର ସ୍ୱୀକୃତି ପ୍ରତ୍ୟାହାର ଉପରେ ଲାଗିଲା ରୋକ୍, ସୁପ୍ରିମକୋର୍ଟ ଲଗାଇଲେ ରହିତାଦେଶ

ଆରଟିଇ ଆକ୍ଟ ଅନୁପାଳନ କରୁନଥିବା ମଦ୍ରାସାର ସ୍ୱୀକୃତି ପ୍ରତ୍ୟାହାର କର। ଏଭଳି ସନ୍ଦର୍ଭରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଥିଲା ଏନସିପିସିଆର ବା ଜାତୀୟ ଶିଶୁ ସୁରକ୍ଷା ଆୟୋଗ। ଏନସିପିସିଆରର ଏଭଳି ନିର୍ଦେଶ ଓ ସୁପାରିଶ ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ। ୟୁପି ଓ ତ୍ରିପୁରା ସନ୍ଦର୍ଭରେ ଏଭଳି ରହିତାଦେଶ ଲାଗିଛି। ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପର୍ଦ୍ଦିଓ୍ୱାଲା ଓ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ମୁସଲିମ ସଂଗଠନ ଜମାତ୍ ଉଲେମା-ଇ-ହିନ୍ଦର ଆବେଦନ ଉପରେ ଶୁଣାଣୀ କରି ଏଭଳି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ମଦ୍ରାସାରୁ ପିଲାଙ୍କୁ ସରକାରୀ ସ୍କୁଲକୁ ସ୍ଥାନାନ୍ତର କରାଯିବନି। ମଦ୍ରାସାକୁ ଫଣ୍ଡିଂ ବି ଜାରି ରହିବ। ମଦ୍ରାସା ବନ୍ଦ ହେବନି। ୟୁପି ସରକାରଙ୍କ ଏଭଳି ନିଷ୍ପତ୍ତି ଅସାମ୍ୱିଧାନିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଜମାତ ଉଲେମା-ଇ-ହିନ୍ଦ୍ ସଂଗଠନ ୟୁପି ଓ ତ୍ରିପୁରା ସରକାରଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରିଥିଲା। ଅଣପଞ୍ଜୀକୃତ ମଦ୍ରାସାର ଛାତ୍ରଛାତ୍ରୀ ସରକାରୀ ସ୍କୁଲକୁ ସ୍ଥାନାନ୍ତର ହେବେ ବୋଲି ନିର୍ଦେଶ ଜାରି କରିଥିଲେ ୟୁପି ଓ ତ୍ରିପୁରା ସରକାର। ଜୁନ୍ ୭ ଓ ଜୁନ୍ ୨୫ରେ ଏନସିପିସିଆର ଦ୍ୱାରା ଜାରି ହୋଇଥିବା ନିର୍ଦେଶକୁ ଅନୁପାଳନ କରାଯିବନି ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ଜୁନ୍ ୭ରେ ୟୁପିର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏନସିପିସିଆର ଏଭଳି ଆରଟିଇ ଆକ୍ଟର ଅନୁପାଳନ କରୁନଥିବା ମଦ୍ରାସାର ସ୍ୱୀକୃତି ପ୍ରତ୍ୟାହାର ଲାଗି କହିଥିଲେ। ଜୁନ୍ ୨୫ରେ କେନ୍ଦ୍ର ସରକାରଙ୍କ ଶିକ୍ଷା ସଚିବଙ୍କୁ ନିର୍ଦେଶ ଦେଇଥିଲେ ଯେ, ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଏଭଳି ମଦ୍ରାସାକୁ ୟୁଡିଆଇଏସଇ କୋଡ୍ ସହ ଯାଞ୍ଚ କରନ୍ତୁ। ମଦ୍ରାସାର ୟୁଡିଆଇଏସଇ ସିଷ୍ଟମକୁ ବର୍ଦ୍ଧିତ  ନ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲା ଏନସିପିସିଆର।

ଜୁନ୍ ୨୬ରେ ଏହି ନିର୍ଦେଶାନାମା ବଳରେ ୟୁପି ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରି କହିଥିଲେ ଯେ, ରାଜ୍ୟରେ ଥିବା ସମସ୍ତ ସରକାରୀ ଅନୁଦାନପ୍ରାପ୍ତ, ପଞ୍ଜୀକୃତ ମଦ୍ରାସା ଯେଉଁଠି ଅଣମୁସଲିମଙ୍କୁ ଆଡମିଟ୍ କରାଯାଇଛି, ସେମାନଙ୍କୁ ଚିହ୍ନଟ କରି ତୁରନ୍ତ ସରକାରୀ ସ୍କୁଲରେ ଭର୍ତ୍ତି କରାଯିବ। ସମାନ ନିର୍ଦେଶାନାମା ଅଗଷ୍ଟ ୨୮ରେ ତ୍ରିପୁରା ସରକାର ବି ଜାରି କରିଥିଲେ। ଜୁଲାଇ ୧୦ରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏନସିପିସିଆରର ନିର୍ଦେଶକୁ ଅନୁପାଳନ ଲାଗି ଚିଠି ଲେଖିଥିଲେ। ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା ଅଦାଲତରେ।  ସଂଖ୍ୟାଲଘୁଙ୍କ ଧାର୍ମିକ ଅଧିକାର ଉପରେ ଏହା ଅଯଥା ହସ୍ତକ୍ଷେପ। ସମ୍ୱିଧାନର ଧାରା ୩୦ ଅନୁସାରେ ଧାର୍ମିକ ଶିକ୍ଷା ଦେବାର ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି କହି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା ଏହି ନିର୍ଦେଶକୁ। ସେପ୍ଟେମ୍ୱର ୧୧ରେ ଏନସିପିସିଆର ସୁପ୍ରିମକୋର୍ଟରେ କହିଥିଲା ଯେ, ଗୁଣାତ୍ମକ ଶିକ୍ଷା ଦିଆଯାଉନି ମଦ୍ରାସାରେ। ଏଭଳି ମଦ୍ରାସାରେ ଶିକ୍ଷାର ସଠିକ୍ ମାହୋଲ ନାହିଁ। ସ୍ୱେଛାଚାରିତା ଭାବେ କାମ ହେଉଛି। ମଦ୍ରାସାରେ ଧର୍ମଭିତ୍ତିକ ତାଲିମ୍ ଅଧିକ ଦିଆଯାଉଛି। ଯାହା ଫଳରେ ଅନ୍ୟ ଧର୍ମ ପ୍ରତି ଉଦାରତା ବଦଳରେ କଟ୍ଟରତା ଦୃଷ୍ଟିଭଙ୍ଗୀ ରଖିବାକୁ ଶିକ୍ଷା ଦିଆଯାଉଛି। ପିଲାଙ୍କୁ ମୁଖ୍ୟସ୍ରୋତର ଶିକ୍ଷା ମିଳୁପାରୁନି। ସରକାରୀ ପାଠ୍ୟକ୍ରମ ଓ ପୁସ୍ତକକୁ ପରିବର୍ତ୍ତନ କରି ପିଲାଙ୍କୁ ପଢ଼ାଯାଉଛି। ୟୁପିରେ ପ୍ରାୟ ୨୫ହଜାର ମଦ୍ରାସା ଅଛି। ଯେଉଁଥିରୁ ୧୬ହଜାର ୫ଶହ ମଦ୍ରାସା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦରୁ ମାନ୍ୟତା ପାଇଛି। ଏଥିରୁ ୫୬୦ ମଦ୍ରାସାକୁ ରାଜ୍ୟ ସରକାର ଅନୁଦାନ ଦେଉଥିଲା ବେଳେ ୮ହଜାରରୁ ବେଶୀ ମଦ୍ରାସା ଅଣପଞ୍ଜୀକୃତ ଅଟନ୍ତି। ମଦ୍ରାସାରେ ଅଣମୁସଲିମଙ୍କୁ ବି ପଢାଯାଉଛି। ୟୁପି, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗରେ ଥିବା ଅନେକ ମଦ୍ରାସାରୁ ଏଭଳି ଅଭିଯୋଗ ଆସୁଛି ବୋଲି ଦର୍ଶାଇଥିଲା ଏନସିପିସିଆର। ଦେଓବନ୍ଦର ଦାରୁଲ୍ ଉଲୁମ ମଦ୍ରାସା ଦେଶତମାମ ଅନେକ ମଦ୍ରାସାକୁ ପରିଚାଳିତ କରୁଛି। କିନ୍ତୁ ଏହି ସଂଗଠନର ଓ୍ୱେବସାଇଟରେ ଅନେକ ଆପତ୍ତିଜନକ କଥା ରହିଛି। ନାବାଳିକା ଝିଅଙ୍କ ଶାରୀରିକ ସମ୍ପର୍କର କଥା ଉଲ୍ଲେଖ ରହିଛି ଓ୍ୱେବସାଇଟରେ ଯାହା ପୋକ୍ସୋ ଆକ୍ଟର ଉଲ୍ଲଂଘନ କରୁଛି। ଏନସିପିସିଆର ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋ କହିଥିଲେ, ସେ କେବେ ବି ମଦ୍ରାସା ବନ୍ଦ କରିବାକୁ କହିନାହାନ୍ତି। ସେ କେବଳ ସୁପାରିଶ କରିଥିଲେ, ଏଭଳି ସଂସ୍ଥାକୁ ଦିଆଯାଉଥିବା ସରକାରୀ ଅନୁଦାନ ବନ୍ଦ କର। କାରଣ ଗରିବ ମୁସଲିମ ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ କରୁଛି ମଦ୍ରାସା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *