ୟୁପିର ଉନ୍ନାଓରେ ମର୍ମନ୍ତୁଦ ଦୁର୍ଘଟଣା। ବିହାରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଡବର ଡେକର ବସ୍ ଓଭରଟେକ୍ କରୁଥିବା ବେଳେ ପଛପଟୁ କ୍ଷୀର ଟାଙ୍କରକୁ ପିଟିବାରୁ ୧୮ଜଣଙ୍କ ଜୀବନ ଚାଲିଗଲା। ୧୯ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ବଡ଼ି ଭୋରରୁ ଲକ୍ଷ୍ମୌ-ଆଗ୍ରା ଏକ୍ସପ୍ରେସ ଓ୍ୱେ ରେ ଏହି ଦୁର୍ଘଟଣା ଘଟିଥିଲା।
ୟୁପିର ଉନ୍ନାଓରେ ବଡ଼ ଧରଣର ଦୁର୍ଘଟଣା। ଯାତ୍ରୀବାହୀ ବସ୍ ଓଭରଟେକ୍ କରୁ଼୍ଥିଲା ବେଳେ କ୍ଷୀର ଟାଙ୍କର ସହ ପିଟି ହେବାରୁ ଚାଲିଯାଇଛି ୧୮ଜଣଙ୍କ ଜୀବନ। ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସ ଓ୍ୱେ ରେ ବୁଧବାର ଭୋର୍ ୫ଟା ୧୫ରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା। ମୃତକଙ୍କ ଭିତରେ ୧୪ ପୁରୁଷ, ୨ ମହିଳା ଓ ୨ଜଣ ଶିଶୁ ଅଛନ୍ତି। ବସଟି ବିହାରର ସିଓ୍ୱାନରୁ ଦିଲ୍ଲୀ ଯାଉଥିଲା। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ଓ୍ୱେର ବାଙ୍ଗରମଉ କେତଓ୍ୱାଲି ପାଖରେ ଏହି ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍ ଡ୍ରାଇଭରଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଅନେକ ଯାତ୍ରୀ ବାହାରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଅନେକଙ୍କ ଜୀବନ ଚାଲିଗଲା। ରାସ୍ତାରେ ଶବଗୁଡ଼ିକ ପଡ଼ିଥିଲା। ବସର ଗୋଟିଏ ଭାଗ ପୁରା ଉଡ଼ିଯାଇଥିଲା। କ୍ଷୀର ଟାଙ୍କରକୁ ଓଭରଟେକ୍ ବେଳେ ଗାଡ଼ିଚାଳକ ନିୟନ୍ତ୍ରଣ ହରାଇ କ୍ଷୀର ଟାଙ୍କରକୁ ପିଟିବା ପରେ ଓଲଟି ପଡ଼ିଥିଲା। ବସରେ ୫୯ ଯାତ୍ରୀ ଥିଲେ। ଏମାନଙ୍କ ଭିତରୁ ୨୨ ଜଣ ସୁରକ୍ଷିତ ଅଛନ୍ତି। ଗୁରୁତର ୧୯ ଜଣଙ୍କ ଭିତରୁ ୧୫ ଆହତଙ୍କୁ ବାଙ୍ଗାରମାଉ ସିଏଚସିରେ ଚିକିତ୍ସା କରାଯାଇଥିଲା ବେଳେ ୪ ସଂକଟାପନ୍ନଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ରେଫର୍ କରାଯାଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଭୋର୍ ସମୟ ହେତୁ ଅଧିକାଂଶ ଯାତ୍ରୀ ଶୋଇଥିଲେ। ବସ୍ର ବେଗ ବି ଅଧିକ ଥିଲା। କିଛି ଯାତ୍ରୀ ଗାଡ଼ି କମ୍ ବେଗରେ ଚଳାଇବାକୁ ଡ୍ରାଇଭରକୁ କହିବା ସତ୍ତ୍ୱେ ଡ୍ରାଇଭର ମାନିନଥିଲେ। ପଛରେ ବସିଥିବା ଯାତ୍ରୀ ସୌଭାଗ୍ୟବଶତଃ ରକ୍ଷା ପାଇଗଲେ। ଖବର ପାଇ ସ୍ଥାନୀୟ ଲୋକଙ୍କ ସହ ପୁଲିସ ଓ ପ୍ରଶାସନ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା। ଦୁର୍ଘଟଣା ପରେ ଏକ୍ସପ୍ରେସ ଓ୍ୱେ ରେ ଟ୍ରାଫିକ୍ ଜାମ୍ ହୋଇଥିଲା। କ୍ରେନ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ରାସ୍ତାରୁ ହଟାଯିବା ପରେ ଚଳାଚଳ ସ୍ୱାଭାବିକ ହୋଇଥିଲା। ପ୍ରଶାସନ ଟୋଲ ଫ୍ରି ନମ୍ୱର ଜାରି କରିଥିଲା। ଅନ୍ୟ ବସ୍ ଯୋଗେ ଯାତ୍ରୀଙ୍କୁ ନିଜର ଗନ୍ତବ୍ୟ ସ୍ଥଳକୁ ପଠାଇବାକୁ ପ୍ରଶାସନ ବ୍ୟବସ୍ଥା କରିଥିଲା। ଶବଗୁଡ଼ିକୁ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି। ବିହାର ସରକାର ସହ ନିରନ୍ତର ସମ୍ପର୍କରେ ରହି ଯାଞ୍ଚ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ୟୁପି ସରକାର।
ଏଭଳି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।
ବ୍ୟୁରୋ ଇନପୁଟ୍ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।
Naxatra News is now on Whatsapp
Join and get latest news update delivered to you via whatsapp
Join Now