ଢେଙ୍କାନାଳର ପରଜଙ୍ଗ ଓ କଙ୍କଡାହାଡରେ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ ପାଇଁ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Spread the love

ନୂଆଦିଲ୍ଲୀ/ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଏବଂ କଙ୍କଡାହାଡ ବ୍ଲକରେ ନିରନ୍ତର ବିଜୁଳି ଯୋଗାଣ ପାଇଁ ପୃଥକ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ କରିବାକୁ ଓଡ଼ିଶା ସରକାରଙ୍କ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପରଜଙ୍ଗ ବ୍ଲକରେ ପ୍ରାୟ ୨ ଲକ୍ଷ ଏବଂ କଙ୍କଡାହାଡ ବ୍ଲକରେ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ବସବାସ କରୁଛନ୍ତି । ଉଭୟ ଅଞ୍ଚଳର ନାଗରିକ ମାନେ ବିଦ୍ୟୁତ୍ ପାଇଁ ତାଳଚେର ଠାରେ ଥିବା ଚାଇଁପାଳ ଗ୍ରୀଡ୍ ଉପରେ ନିର୍ଭର କରୁଛନ୍ତି । ମାତ୍ର ଓଭର ଲୋଡିଂ କାରଣରୁ ଲୋକମାନେ ବିଦ୍ୟୁତ କାଟର ସମ୍ମୁଖୀନ ହେଉଛନ୍ତି । ଫଳରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ, ଶିକ୍ଷା ସମେତ ଅନ୍ୟାନ୍ୟ କାମରେ ବ୍ୟାଘାତ ସୃଷ୍ଟି ହେଉଛି । ଚାଇଁପାଳରୁ ପରଜଙ୍ଗ ଏବଂ କଙ୍କଡାହାଡ ୩୩ କେଭି ସପ୍ଲାଏରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖାଯାଉଛି । ଏହି କାରଣରୁ ଉପଭୋକ୍ତାଙ୍କୁ ନିରନ୍ତର ବିଜୁଳି ମିଳିପାରୁନାହିଁ । ତେଣୁ ନିରନ୍ତର ବିଦ୍ୟୁତ ସେବା ପ୍ରଦାନ କରିବା ପାଇଁ ପଦକ୍ଷେପ ନେବା ତଥା ଉଭୟ ଅଞ୍ଚଳରେ ୨୨୦/୩୩ କେଭି ଗ୍ରୀଡ୍ ସବଷ୍ଟେସନ ପ୍ରତିଷ୍ଠା କରିବା ଉପରେ ବିଚାର କରିବା ପାଇଁ ପ୍ରଧାନ ଶକ୍ତି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପରଜଙ୍ଗରେ ଗ୍ରୀଡ୍ ସବଷ୍ଟେସନ ପାଇଁ ୨୦୨୦ ମସିହା ଜାନୁଆରୀ ୧୦ ତାରିଖରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟିଅରିଂ କମିଟିରେ ଗ୍ରୀଡ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇସାରିଛି । ପରଜଙ୍ଗ ଏବଂ କଙ୍କଡାହାଡରେ ପୃଥକ ପୃଥକ ୨୨୦/୩୩ କେଭି ଗ୍ରୀଡ୍ ସବଷ୍ଟେସନ ପ୍ରତିଷ୍ଠା କରାଗଲେ ଉଭୟ ଅଂଚଳର ଲୋକଙ୍କୁ ନିରନ୍ତର ବିଦ୍ୟୁତ୍ ସେବା ମିଳିପାରିବ । ପରଜଙ୍ଗ ତଥା କଙ୍କଡାହାଡ ବ୍ଲକର ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

Leave a Reply

Your email address will not be published. Required fields are marked *