ଆସନ୍ତା କାଲି ଖୋଲିବ ରତ୍ନଭଣ୍ଡାର, ଏସଓପି ପ୍ରଦାନ କଲେ ରାଜ୍ୟ ସରକାର

ରାତି ପାହିଲେ ଅର୍ଥାତ ଜୁଲାଇ ୧୪ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବ। ଏଥି ପାଇଁ ପୂର୍ବରୁ ଦିନ ନିର୍ଦ୍ଧାରିତ ହୋଇସାରିଛି। ଏହା ପୂର୍ବରୁ ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜୁର (ଏସ୍‌ଓପି) ପ୍ରସ୍ତୁତ କରିଛନ୍ତି। ଏହି ଏସ୍‌ଓପିକୁ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି। କେଉଁ ପ୍ରକିୟା ଦେଇ ରତ୍ନଭଣ୍ଡାର ଖୋଲାଯିବ, ସେନେଇ ଏସ୍‌ଓପିରେ ଉଲ୍ଲେଖ କରାଯାଇଛି। ତେବେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଜରୁରୀକାଳୀନ ବୈଠକ ହୋଇଛି।

ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଆସନ୍ତାକାଲି (ରବିବାର) ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ରେ ଏଏସ୍‌ଆଇ ଓ ଆରବିଆଇର ପ୍ରତିନିଧି ଅଛନ୍ତି। ସେହିପରି ସେବାୟତ, ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଅଛନ୍ତି। ବିଶେଷଜ୍ଞ କମିଟି ରତ୍ନଭଣ୍ଡାରକୁ ପ୍ରବେଶ କରିବା ପୂର୍ବରୁ ସତର୍କତାର ସହିତ ନୀତିକାନ୍ତି, ଗଣତି, ମଣତି ପ୍ରତିଟି ଦିଗକୁ ତଯର୍ମା କରାଯାଇଛି। ରତ୍ନଭଣ୍ଡାର ଖୋଲିବା ନେଇ ଆସନ୍ତାକାଲି ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଗଣତି, ମଣତି ପ୍ରକ୍ରିୟାକୁ ସ୍ବଚ୍ଛତା ରଖାଯିବ। ଗଣତି ମଣତିର ଡିଜିଟାଲ ସହାୟତା ନିଆଯିବ। ପ୍ରତିଟି ଅଳଙ୍କାରର ମୂଲ୍ୟ ସହ ଡିଜିଟାଲ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ । ଯାହା ଫଳରେ କି ଭବିଷ୍ୟତରେ ରତ୍ନଭଣ୍ଡାରର ଗଣତି ମଣତି ସହଜ ହେବ। ରତ୍ନଭଣ୍ଡାର ଖୋଲାଯିବା ପରେ ପରବର୍ତ୍ତୀ ପ୍ରକ୍ରିୟା ଆଗକୁ ଜାରି ରହିବ। ରତ୍ନଭଣ୍ଡାର ମରାମତି କାମ ଚାଲିଲେ ବି ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରରେ ଶ୍ରୀଜୀଉଙ୍କ ଦର୍ଶନ କରିବେ ତାହାକୁ ଗୁରୁତ୍ବ ଦିଆଯିବ। ତା ସହିତ ମହାପ୍ରଭୁଙ୍କର ନୀତିକାନ୍ତିରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *