ଦୁର୍ଗାପୂଜା ପାଇଁ ଜାରିହେଲା କଟକଣା

ଭୁବନେଶ୍ବର: ମା’ ଦୁର୍ଗାଙ୍କ ନବରାତ୍ରି ଉପାସନାକୁ ବାକି ୨ ଦିନ। ଟ୍ବିନ ସିଟିରେ ଥିବା ଦେବୀ ମନ୍ଦିରରେ ଭକ୍ତଙ୍କ ଭିଡ ଜମିବ। ମଣ୍ଡପରେ ମଧ୍ୟ ଜମିବ ମାଙ୍କ ପୂଜା। ଆସନ୍ତା ୧ ତାରିଖରୁ ଷଷ୍ଠୀ ପୂଜା ଆରମ୍ଭ ହୋଇଯିବ। ଅକ୍ଟୋବର ୫ ତାରିଖରେ ଦଶହରା ପର୍ବ ପାଳନ ହେବ। ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ବିନା କରୋନା କଟକଣାରେ ମାଙ୍କ ପୂଜା ହେବାକୁ ଥିବାରୁ ପ୍ରବଳ ଭିଡ ଆଶା କରାଯାଉଛି। ତେଣୁ ଭିଡକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ।
ଦୁର୍ଗାପୂଜା ପାଇଁ କମିସନରେଟ ପୁଲିସ ପକ୍ଷରୁ କଟକଣା ଲାଗୁ ହୋଇଯାଇଛି। ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ସୋ ପାଇଁ କଟକଣା ଲାଗୁ କରାଯାଇଛି । ଲାଉଡ ସ୍ପିକର ସାଉଣ୍ଡ ୬୫ ଡେସିବିଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭସାଣି ଶୋଭାଯାତ୍ରାରେ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟିକୁ ଅନୁମତି ଦିଆଯାଇଛି।
ମ୍ୟୁଜିକ ପାର୍ଟି ୪ରୁ ୫ଟି ସାଉଣ୍ଡବକ୍ସ ବ୍ୟବହାର କରିପାରିବେ । ଏଥିପାଇଁ କଟକ ଓ ଭୁବନଶ୍ୱେର ଡିସିପିଙ୍କ ଠାରୁ ଅନୁମତି ନେବାକୁ ପଡିବ। ଶୋଭାଯାତ୍ରାରେ ୬ଟି ଟ୍ରଲିକୁ ଅନୁମତି ମିଳିବ । ଅମାନିଆଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ବୋଲି କମିସନରରେଟ ପୁଲିସ ପକ୍ଷରୁ କୁହାଯାଇଛି ।