କୁଆଁର ପୁନେଇଁ ପାଇଁ ସଦାନନ୍ଦପୁର ଗାଁ ଉତ୍ସବମୁଖର

Spread the love

ଯାଜପୁର: କୁଆଁର ପୁନେଇଁ ଆସିଲେ ଯାଜପୁରର ସଦାନନ୍ଦପୁର ଗାଁ ହୋଇଉଠେ ଉତ୍ସବମୁଖର । ସପ୍ତାହେ ଆଗରୁ କୁମାରୀ ମାନେ ଘର ଅଗଣାର ଚଉଁରା ମୂଳକୁ କଇଁଫୁଲ କୋଠିରେ ସଜାଇଥାନ୍ତି । କୁଆଁର ପୁନେଇଁ ପୂର୍ବଦିନ ପ୍ରତ୍ୟେକ ସାହିରେ ଗାଁ ଦାଣ୍ଡ ଓ ଘର ଅଗଣାରେ ଅଙ୍କା ଯାଇଥାଏ ଭେଳିକି ଭେଳି କୋଠିଚିତ୍ର । ଏଗୁଡିକ ଯେମିତି କୌଣସି ଚିତ୍ରକାର ରଙ୍ଗତୁଳିରେ ଆଙ୍କିଥିବା ପରି ମନେହୁଏ । ଏହାକୁ ନେଇ ସମଗ୍ର ଗାଁରେ ସୃଷ୍ଟି ହୁଏ ନିଆରା ପରିବେଶ । ଅପୂର୍ବ ଏ ସମ୍ଭାର । ପ୍ରାୟ ଦେଢଶହ ବର୍ଷ ତଳେ ଗାଁର ଜଣେ ପୁରୁଖା ଲୋକ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଚିତ୍ରକାବ୍ୟ ବନ୍ଧୋଦ୍ବୟରୁ ଏହି କଇଁଫୁଲ କୋଠିର ଆବିଷ୍କାର କରିଥିଲେ । କାବ୍ୟର ବିଭିନ୍ନ ଚିତ୍ରପଟକୁ କଇଁଫୁଲରେ ଆଙ୍କି ଗାଁର କୁମାରୀ ମାନେ ଭିନ୍ନ ଭିନ୍ନ କୋଠି ପ୍ରସ୍ତୁତ କରିଥାନ୍ତି  ।     

ଯାଜପୁର ରସୁଲପୁର ବ୍ଲକ ସଦାନନ୍ଦପୁର ଗାଁ ଉଠୁଚି ପଡୁଚି । ଗାଁ ଦାଣ୍ଡରୁ ଭାସି ଆସୁଛି ସେହି କୁଆଁର ପୁନେଇ ଜହ୍ନ ଲୋ ଗୀତ । ସକାଳୁ ସନ୍ଧ୍ୟା ଯାଏ ଗାଁ ଦାଣ୍ଡରେ କଇଁଫୁଲ କୋଠି ଆଙ୍କିବାରେ ମାତିଛନ୍ତି ଗାଁର କୁମାରୀ । ସାତଦିନ ବ୍ୟାପି ପ୍ରତ୍ୟେକ ଘରର ଚଉଁରା ମୂଳେ ଅଙ୍କାଯାଇଥାଏ ଛୋଟ ଛୋଟ କୋଠୀ । ପୁନେଇଁ ପୂର୍ବ ଦିନ ହୋଇଥାଏ ଗାଁ ଦାଣ୍ଡ ଓ ଘର ଅଗଣାରେ ବଡ କୋଠି ଅଙ୍କାଯାଇ ଓଷା ଦିନ ଏହାର ଉଦଯାପନୀ କରାଯାଏ । କଇଁଫୁଲ କୋଠିରେ ପୁରିଯାଏ ରାସ୍ତାଘାଟ । ଜମିଥାଏ ଦର୍ଶକଙ୍କ ଭିଡ । କଇଁଫୁଲ ପାଖୁଡାରେ ଅଙ୍କାଯାଏ ଭେଳିକି ଭେଳି ଚିତ୍ର । ସନ୍ଧ୍ୟାରେ କୋଠିଅଙ୍କା ଶେଷପରେ ଝିଅ ମାନେ ବୃନ୍ଦାବତୀ ମୂଳେ ଭୋଗ ଲଗାଇ ଚାନ୍ଦ ବନ୍ଦାପନା କରିଥାନ୍ତି । ତାପରେ ବଡଛୋଟ ସମସ୍ତଙ୍କୁ ବାଣ୍ଟିଥାନ୍ତି ମୁଢି ନଡିଆର ଭୋଗ  ।           

ଗାଁ ଦାଣ୍ଡରେ ପାଦ ପକାଇବାକୁ ବି ଜାଗା ଟିକେ ନାହିଁ । ଯୁଆଡେ ଚାହିଁବେ ଚାରିଆଡେ ଅଙ୍କା ଯାଇଛି ଭେଳିକି ଭେଳି କୋଠିଚିତ୍ର । ବନ୍ଧୁବାନ୍ଧବ ଓ ଅତିଥି ଅଭ୍ୟାଗତରେ ପୁରିଉଠିଛି ଗାଁ ଦାଣ୍ଡ । ଆଉ ରାତିର ମୁଖ୍ୟ ଆକର୍ଷଣ ହେଲା ଗାଁ ଦାଣ୍ଡର କୋଠିଚିତ୍ର, ଆଉ ଗାଁ ଯୁବକଙ୍କ ପାଳଭୂତ ନାଚ । ଯୁବକ ମାନେ ଛଣରେ ପାଳଭୂତ ହୋଇ ଗାଁ ପରିକ୍ରମା କରନ୍ତି । କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଚିତ୍ରକାବ୍ୟ ବନ୍ଧୋଦ୍ବୟରୁ ଉଦ୍ଧୃତ ହୋଇଥିଲା ଏହି କଇଁଫୁଲ କୋଠି । ରାଧାକୃଷ୍ଠ, ଉମାଶଙ୍କର ଓ ରାମସୀତାଙ୍କ ଯୁଗଳମୂର୍ତ୍ତୀ, ଜଗନ୍ନାଥ-ବଳଭଦ୍ର-ସୁଭଦ୍ରା, ଓଡିଶୀ ନୃତ୍ୟ, ମୃଗ, ମୟୁର, ନାଗଫାଶ, ନାଗବନ୍ଧନ ଆଦି ଭେଳିକି ଭେଳି ଚିତ୍ର ଏଥିରେ ସ୍ଥାନ ପାଇଥାନ୍ତି । ଧିରେ ଧିରେ ଏହା ଏକ ଗଣପର୍ବରେ ପରିଣତ ହୋଇଯାଇଛି  । 

ପ୍ରଥମେ ସଦାନନ୍ଦପୁର ଗାଁରେ ଆରମ୍ଭ ହୋଇଥିଲା ଏହି କଇଁଫୁଲ କୋଠି ପରମ୍ପରା  । ଧିରେ ଧିରେ ଉତ୍ସବର କାୟା ବିସ୍ତାର ହେବାରେ ଲାଗିଛି  ଏବେ ଏହା ପାଖ ଗାଁ ଗୁଡିକୁ ମାଡିଲାଣି  ।

Leave a Reply

Your email address will not be published. Required fields are marked *