ବନ୍ୟା ଟଳିଛି। ହେଲେ ବିପନ୍ନଙ୍କ ଦୁର୍ଦ୍ଦଶା ଯାଇନି

Spread the love

ବନ୍ୟା ଟଳିଛି। ହେଲେ ବିପନ୍ନଙ୍କ ଦୁର୍ଦ୍ଦଶା ଯାଇନି। ଏବେ ବି ବିପନ୍ନ ଦହଗଞ୍ଜ ହେଉଛନ୍ତି। ତେବେ ବିପନ୍ନଙ୍କ ପାଖକୁ ନେତାଙ୍କ ସୁଅ ଛୁଟିଛି। ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ଲାଗି ମନ୍ତ୍ରୀ ପ୍ରତାପ ଦେବ ସେଠାରେ ଡେରା ପକାଇ ବସିଛନ୍ତି। ବୈତରଣୀରେ ଦ୍ୱିତୀୟ ବନ୍ୟା ଲାଗି ଗାଁ ଦାଣ୍ଡରେ ଏବେ ବି ଆଣ୍ଠୁଏ ପାଣି ଚାଲୁଛି। ସେପଟେ ପ୍ରଭାବିତ ଅଞ୍ଚଳକୁ ବିଭିନ୍ନ ଦଳର ନେତା ଗସ୍ତ କରୁଛନ୍ତି। ଏବେ ବି ଘର ଭିତରେ ଆଣ୍ଠୁଏ ପାଣି। ଗାଁ ଦାଣ୍ଡରେ ଲହଡ଼ି ମାରୁଛି। ପାଣି ମୁନ୍ଦେ ପାଇଁ ଲୋକେ ଡହଳବିକଳ। ରିଲିଫ ଖାଦ୍ୟକୁ ଭରସା କରି ଭୋକ ମେଣ୍ଟାଉଛନ୍ତି। ପାଣି ଘେରରେ ଥିବା କଣାସ ବ୍ଲକର ଦୋକନ୍ଦା ଗ୍ରାମବାସୀଙ୍କ ଏ ଦୁର୍ଦ୍ଦଶା। ବିଜିପୁର ପଞ୍ଚାୟତ ବୁଲି ସ୍ଥିତି ପରଖିଛନ୍ତି ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ।

ସେପଟେ ବିଜେପି ନେତା ସମ୍ୱିତ ପାତ୍ର ଅନ୍ୟ ବରିଷ୍ଠ ନେତାଙ୍କ ସହ କଣାସର ବନ୍ୟା ପ୍ରଭାବିତ ଗାଁକୁ ଯାଇ ସ୍ଥିତି ଦେଖିବା ସହ ବିପନ୍ନଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଛନ୍ତି। ଅପରାହ୍ନରେ ଏସଆରସିଙ୍କୁ ଭେଟି ଗ୍ରାଉଣ୍ଡର ବାସ୍ତବତା ଓ ପ୍ରଶାସନିକ ବିଫଳତାକୁ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି। ବୈତରଣୀର ଜଳସ୍ତର କମିବା ପରେ ଭଣ୍ଡାରିପୋଖରୀ ବ୍ଲକର ମମାଦୁଲା ଓ ପଙ୍ଗଟା ଉପର ସାହିରେ ହୋଇଥିବା ଘଳିଆକୁ ମରାମତି କରାଯାଇଛି। ବାଲି ବସ୍ତା ପକାଇ ଅଟକାଯାଇଛି। ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ଅନେକ ଗାଁ ଏବେ ବି ଜଳବନ୍ଦୀ। ଅର୍ଜୁନପୁର ପଞ୍ଚାୟତ ପକ୍ଷରୁ ଶୁଖିଲା ଖାଦ୍ୟର ବ୍ୟବସ୍ଥା ହୋଇଛି। ବାଙ୍କି ରତାଗଡ଼ ପଞ୍ଚାୟତରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢିଛି। ହୁଳୁହୁଳା ପୋଲ ଦେଇ ମହାନଦୀର ପଛୁଆ ପାଣି ପଶିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଯାଜପୁର ଜିଲ୍ଲା ଦଶରଥପୁର ବନ୍ୟାଞ୍ଚଳ ବୁଲିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ। କାଣୀ ନଦୀରେ ଘାଇକୁ ସରକାରୀ ଘାଇ ବୋଲି କହିଛନ୍ତି ପଞ୍ଚାନନ। ସେପଟେ ସୁବର୍ଣ୍ଣରେଖାରେ ବନ୍ୟା ଆସିଥିବାରୁ ବାଲେଶ୍ୱର ଜିଲ୍ଲାରେ ଡେରା ପକାଇଛନ୍ତି ମନ୍ତ୍ରୀ ପ୍ରତାପ ଦେବ। ବାଲିଆପାଳ ବ୍ଲକର ୧୯ଟି ପଞ୍ଚାୟତ କ୍ଷୟକ୍ଷତି ହୋଇଛି। ୪୦ଟି ବୋଟ୍ ମହଜୁଦ ରଖିବା ସହ ୫୦ଟି ସେଣ୍ଟରରେ ଲୋକଙ୍କୁ ରଖି ରନ୍ଧାଖାଦ୍ୟ ଦିଆଯାଉଛି। ବନ୍ୟାପାଣି କମିଲେ କ୍ଷୟକ୍ଷତିର ଆକଳନ ହେବ ବୋଲି କହିଛନ୍ତି ମନ୍ତ୍ରୀ। ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା ଦେଇଛନ୍ତି ରାଜ୍ୟ ସରକାର। ବନ୍ୟା ସ୍ଥିତି ଆହୁରି ୩ ଦିନ ଲାଗି ରହିବ ବୋଲି କୁହାଯାଉଛି। ତା ପଛକୁ ମଙ୍ଗଳବାରରୁ ପୁଣି ବର୍ଷା ବିପନ୍ନଙ୍କ ବିପତ୍ତି ବଢ଼ାଇଦେବ ବୋଲି କୁହାଯାଉଛି।

  • ଭଣ୍ଡାରିପୋଖରୀରୁ ସତ୍ୟବ୍ରତ, ବାଙ୍କିରୁ ମନୋଜ, ପିପିଲିରୁ ସନ୍ତୋଷ, ଭୁବନେଶ୍ୱରରୁ ସ୍ୱରୂପା ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *