କୃଷ୍ଣମୟ ସାରା ଗୋପପୁର

Spread the love

ବରଗଡ: ବରଗଡ଼ ଧନୁଯାତ୍ରାର ସପ୍ତମ ଦିବସ, ଗୋପରେ ନାବକେଲି, ଧନୁଯାତ୍ରା ଘୋଷଣା, ଅକ୍ରୁରଙ୍କୁ କଂସଙ୍କ ଗୋପପୁର ପ୍ରେରଣ ପରି କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।

ସାରା ଗୋପପୁର ହୋଇଉଠିଛି କୃଷ୍ଣମୟ । କୃଷ୍ଣପ୍ରେମରେ ରାଧାଙ୍କ ସହ ଷୋହଳ ସହସ୍ର ଗୋପୀ ହୋଇ ଉଠିଛନ୍ତି ଆତ୍ମବିଭୋର । ନଟଖଟିଆ କାହ୍ନା ବି କମ ନୁହନ୍ତି । ଗୋଟିଏ ପରେ ଗୋଟିଏ ଲୀଳା କରି ଚାଲିଛନ୍ତି । କେତେବେଳେ ଗୋପୀଙ୍କ ଦଧିହାଣ୍ଡି ଭାଙ୍ଗୁଛନ୍ତି ତ ଆଉ କେତେବେଳେ ବସ୍ତ୍ରହରଣ କରୁଛନ୍ତି। ତେବେ ପ୍ରତିଦିନ ପରି ରାଧା ଗୋପୀ ମାନଙ୍କ ସହ ଯମୁନା ପାରି ହୋଇ ଗୋପପୁରକୁ ଫେରୁଥିବା ବେଳେ ଭଗବାନ ଶ୍ରୀକୃଷ୍ଣ ବୃଦ୍ଧ ନାଉଁରୀ ବେଶରେ ଘାଟ ଜଗି ରାଧାଙ୍କ ସହ ନାବକେଳି ରଚାଇଛନ୍ତି । ଧନୁଯାତ୍ରାର ସପ୍ତମ ଦିନରେ ସ୍ଥାନୀୟ ମନାବନ୍ଧ ଠାରେଏହି ଦୃଶ୍ୟ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ଭିଡ ଲାଗିଥିବାବେଳେ ସମସ୍ତେ ଆତ୍ମବିଭୋର ହୋଇ ପଡିଥିଲେ ।

ଏପଟେ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ମହାରାଜ କଂସ କରି ଚାଲିଛନ୍ତି ଷଡଯନ୍ତ୍ର । କଳେ ବଳେ କୌସଲେ କିପରି କୃଷ୍ଣବଳରାମଙ୍କୁ ହତ୍ୟା କରିବେ ସେନେଇ ଦେବର୍ଷି ନାରଦଙ୍କ ପରାମର୍ଶ ଭିକ୍ଷା କରିଛନ୍ତି । ତେବେ ଦେବର୍ଷି ନାରଦ ଛଳନାର ଧନୁଯାତ୍ରାର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଧନୁଯାତ୍ରା ଦେଖିବାକୁ କୃଷ୍ଣବଳରାମଙ୍କୁ ଧରି ଆସିବା ପାଇଁ ଅକ୍ରୁରଙ୍କ ହାତରେ ଏକ ଚିଟାଉ ଦେଇ ପଠାଇଛନ୍ତି ଗୋପପୁରକୁ । ଅନ୍ୟ ପଟେ ଅତିଥି ଭାବରେ ମହାରାଜଙ୍କ ଦରବାରରେ ଆଜି ଉତ୍ତରାଞ୍ଚଳ ଆଇ.ଜି. ଡ. ଦୀପକକୁମାର, ପଦ୍ମପୁର ବିଧାୟିକା ବର୍ଷା ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଧାବିକା ଦୂତୀ ଚାନ୍ଦ ପ୍ରମୁଖ ଯୋଗ ଦେଇଥିବା ବେଳେ ଜନତାଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟବସ୍ଥା କୁ ନେଇ ଉତ୍ତରାଞ୍ଚଳ ଆଇ.ଜି ଙ୍କୁ ସଠିକ ଧ୍ୟାନ ଦେବାକୁ କହିଥିଲେ ମହାରାଜ କଂସ l

ବରଗଡ ଧନୁଯାତ୍ରାର ଅଷ୍ଟମ ଦିନରେ ମହାରାଜ କଂସଙ୍କ ନଗର ଭ୍ରମଣ,‌କଂସଙ୍କ ଚିଟାଉ ନେଇ ଅକ୍ରୁରଙ୍କ ଗୋପପୁର ଗମନ ସହ ହେବ । ସେହିପରି  ଗୋପପୁରରେ ଅକ୍ରୁରଙ୍କ ପ୍ରବେଶ ଏବଂ ଯମୁନାବାଳିରେ କୃଷ୍ଣପାଦ ଦର୍ଶନ ସହ ଶଙ୍ଖଚୁଡ ବଧ ଦୃଶ୍ୟ ଅନୁଷ୍ଠିତ ହେବ ।

ଧ୍ରୁବ କର୍ମୀ

Leave a Reply

Your email address will not be published. Required fields are marked *