ଗାଁ ସାରା ନାଲି ପିମ୍ପୁଡି ସାଲୁବାଲୁ, ଅତିଷ୍ଠ ହୋଇ ପଡିଲେଣି ଲୋକେ। କେଉଁ ବନ୍ୟ ଜନ୍ତୁ, ବା ଚୋର ତସ୍କରଙ୍କ ଦୌରାତ୍ମ କଥା ଶୁଣିଛେ। ହେଲେ ପିମ୍ପୁଡିର ଦୌରାତ୍ମ କଥା ଟିକେ ଅଡ଼ୁଆ ଅଡ଼ୁଆ ଲାଗୁଥିଲେ ବି ସତ । ପିମ୍ପୁଡି ଦୌରାତ୍ମରେ ଅସ୍ତବ୍ୟସ୍ତ ଜୀବନ ହୋଇପଡିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟାତର ସୀମାପଲି ଗାଁ ଲୋକଙ୍କର। ଗାଁ ଲୋକଙ୍କୁ କଲ ବଲ୍ କରୁଛି ନାଲି ପିମ୍ପୁଡ଼ି। ରାସ୍ତା ଘାଟଠୁ ଆରମ୍ଭ କରି ଘର ଭିତର ଏବଂ ମଧ୍ୟ ରୋଷେଇ ଘର ହେଉ ଅବା, ଶୋଇବା ଘର ସବୁଠି ଦୌରାତ୍ମ୍ୟ ସୃଷ୍ଟି କରୁଛି ଏହି ନାଲି ପିମ୍ପୁଡ଼ି। ଏମିତି କି ଗାଁ ଦାଣ୍ଡରେ ପ୍ରବଳ ମାତ୍ରାରେ ନାଲି ପିମ୍ପୁଡ଼ି ଦେଖିବାକୁ ମିଳିଛି। ଏହି ଦୃଶ୍ୟ ହେଉ ଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସୀମାପଲ୍ଲୀ ଗ୍ରାମର। ସୀମାପଲ୍ଲୀ ଗ୍ରାମର ପ୍ରତିଟି ଘରେ ଏବଂ ଗାଁ ଦାଣ୍ଡରେ ଲୋକଙ୍କୁ ଅତିଷ୍ଠ କରୁଛି ଏହି ନାଲି ପିମ୍ପୁଡ଼ି। ଗୋଟେ ନୁହେଁ କି ଦୁଇଟା ନୁହେଁ ଏମିତି ଯୁଆଡ଼େ ଦେଖିବେ ସିଆଡେ କେବଳ ନାଲି ପିମ୍ପୁଡ଼ିର ଧାର ଲମ୍ବିଛି। ଏ ଘଟଣା ଦିନେ କି ଦୁଇ ଦିନର ନୁହେଁ, ପୁରା ୬ ମାସ ରୁ ଉର୍ଦ୍ଧ୍ୱ ହେବ ସୀମାପଲ୍ଲୀ ଗ୍ରାମରେ ଆତଙ୍କ ସୃଷ୍ଟି କଲେଣି ଏହି ନାଲି ପିମ୍ପୁଡ଼ି। କେବଳ ସେତିକି ନୁହେ ଖାଇବା ଶୋଇବା ବେଳେ ମଧ୍ୟ ପିମ୍ପୁଡ଼ି ବଡ ସମସ୍ୟା ସୃଷ୍ଟି କରୁଛନ୍ତି, କେଉଁଠି ଦେହରେ ଚଢ଼ିଯାଉଛନ୍ତି ତ ପୁଣି ଭାତ କଂସାରେ ଭାସୁଛନ୍ତି,ଟିକେ ଶାନ୍ତିରେ ଖାଇ ପାରୁ ନାହାନ୍ତି ଲୋକେ। ରାତିରେ ଶୋଇବା ବେଳେ ଲକ୍ଷ୍ମଣ ରେଖା ଗାର ଟାଣି ଶୋଉ ଥିବା ବେଳେ ଛୋଟ ଛୋଟ ପିଲା ମାନେ କାନରେ ତୁଳା ଦେଇ ସୋଇଥାନ୍ତି, ନଚେତ କାନରେ ପସିଯାଉଛନ୍ତି ଏହି ନାଲି ପିମ୍ପୁଡି। ଅନେକ କ୍ଷେତ୍ରରେ ମଧ୍ୟ ଏହି ନାଲି ପିମ୍ପୁଡ଼ି ଠାରୁ ରକ୍ଷା ପାଇବା ପାଇଁ କେହି କେହି ନଡ଼ା ଜଳୁଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now