ବୁଥ୍ ବାହୁଡ଼ା ମତ: ଡବଲ ଇଞ୍ଜିନ ନା ଯୋଡ଼ି ଶଙ୍ଖ

Spread the love

ବୁଥ୍‌ ବାହୁଡ଼ା ମତକୁ ନେଇ କମ୍ପନ। କିଏ କହୁଛି ବିଜେଡିର ସିଟ୍ ବଢ଼ୁଛି ତ କିଏ କହୁଛି ବିଜେପିର। ପୁଣି କାହାର ସର୍ଭେ ଅନୁସାରେ ବିଜେଡି-ବିଜେପି ସମାନ ସ୍ଥିତିରେ ରହିପାରନ୍ତି। ବଡ଼ କଥା ହେଲା ଲୋକସଭାକୁ ନେଇ ଏଭଳି ଆକଳନ ହୋଇଥିଲା ବେଳେ ବିଧାନସଭାକୁ ନେଇ ସମସ୍ତଙ୍କର ଆଖି ରହିଛି। ତେବେ ଜାତୀୟ ସଂସ୍ଥା ବିଜେପି ସିଟ୍ ବଢ଼ିବ ବୋଲି ଆକଳନ କରୁ଼୍ଥିଲା ବେଳେ ସବୁ ଭୁଲ୍ ପ୍ରମାଣିତ ହେବ ବୋଲି କହୁଛି ବିଜେଡି। ଆଉ କଂଗ୍ରେସର କହିବା କଥା, ଜନତାର ଏକଜିଟ ପୋଲ୍ ଆଗରେ ସରକାରୀ ମ୍ୟାନେଜମେଣ୍ଟ ଏକଜିଟ୍ ପୋଲ୍‌ ଭୁଲ ପ୍ରମାଣିତ ହେବ।ତୃଣମୂଳସ୍ତରର ରିପୋର୍ଟ ଅନୁସାରେ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ।

ଲୋକସଭାରେ ଅଧିକାଂଶ ସଂସ୍ଥାର ଆକଳନ ହେଉଛି ଯେ, ବିଜେପି ବଢ଼ିବ। ବିଜେଡି ଛିଡ଼ିବ।କଂଗ୍ରେସ ବହୁ କଷ୍ଟରେ ଗୋଟି଼ଏ ଆସନରେ ଜିତିପାରେ। ଏକକ ସଂଖ୍ୟାରେ ବିଜେଡିକୁ ସୀମିତ ରଖିଛନ୍ତି ଅନେକ ସର୍ଭେ ସଂସ୍ଥା। ୧୩ରୁ ୧୮ ସିଟ୍ ବିଜେପି ଖାତାକୁ ଚାଲିଯିବ। ଆଉ ବିଧାନସଭାରେ କିଛି ହାତଗଣତି ସର୍ଭେ ସଂସ୍ଥା କିନ୍ତୁ ବିଜେଡି- ବିଜେପିକୁ ସମାନ ସ୍ଥିତିରେ ରଖିଛନ୍ତି। ୬୨ରୁ ୮୦ ସିଟ୍ ଉଭୟ ହାସଲ କରିପାରନ୍ତି ବୋଲି ଆକଳନ ଲଗାଇଛନ୍ତି। ଏହି ଆକଳନରେ କଂଗ୍ରେସକୁ ୫ରୁ ୮ଟି ଆସନ ଦିଆଯାଇଛି।ହେଲେ ଏଭଳି ଆକଳନକୁ ଅଗ୍ରାହ୍ୟ କରିଛି ବିଜେଡି। ୨୦୧୯ ନିର୍ବାଚନ ବେଳେ ଏସି ରୁମରେ ବସି ଜାତୀୟ ସଂସ୍ଥା କରିଥିବା ଏକଜିଟ୍ ପୋଲ କେତେ ପ୍ରତିଶତ ସତ ଥିଲା, ତାହା ସମସ୍ତେ ଦେଖିଥିଲେ। ଏଥର ବି ସେୟା ହେବ। ବିଜେଡି ୧୨ ଲୋକସଭା ଓ ବିଧାନସଭାରେ ତିନି ଚତୁର୍ଥାଂଶ ଆସନ ଦଖଲ କରି ଷଷ୍ଠ ଥର ଲାଗି ସରକାର କରିବା ଥୟ ବୋଲି କହିଛି ବିଜେଡି। ଟାଇମ୍ସ ନାଓ ଓ ଇଟିଜି ରିପୋର୍ଟରେ ଦର୍ଶାଯାଇଛି, ବିଧାନସଭାରେ ପୁଣି ଥରେ ସେଞ୍ଚୁରୀ ପାର୍ କରିବ ବିଜେଡି।

ବିଜେପି କହିଛି, ମୋଦିଙ୍କ ବିକଶିତ ଭାରତର ପ୍ରତିଫଳନ ସର୍ଭେରୁ ଜନମତ ପ୍ରତିଫଳିତ ହୋଇସାରିଛି। ଓଡ଼ିଶାରେ ୧୫ରୁ ଅଧିକ ଲୋକସଭା ବିଜେପି ଜିତିବା ଥୟ। ଆଉ ବିଧାନସଭାରେ ଆଖିଦୃଶିଆ ଆସନ ଆଣି ପ୍ରଥମ ଥର ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ହେବା ସ୍ପଷ୍ଟ ବୋଲି ଆଭାସ ମିଳିସାରିଛି। ଓଡ଼ିଆ ଅସ୍ମିତାର ରକ୍ଷା ଲାଗି ଏଥର ଅଣଓଡ଼ିଆଙ୍କ ହାତରେ ରିମୋଟ୍ କଣ୍ଟ୍ରୋଲ୍‌ର ସରକାର ନ ଦେବାକୁ ଓଡ଼ିଶାବାସୀ ସ୍ଥିର କରି ପରିବର୍ତ୍ତନ ଆଣିସାରିଛନ୍ତି।

କଂଗ୍ରେସ କହିଛି, ଦେଶରେ ଏକଜିଟ ପୋଲର ଡ୍ରାମା ଚାଲିଛି। ଭିନ୍ନ ଏକ ମାହୋଲ ସୃଷ୍ଟି ଲାଗି ଚେଷ୍ଟା ହେଉଛି। ସରକାରୀ ମ୍ୟାନେଜମେଣ୍ଟ ଏକଜିଟ୍ ପୋଲର ଆକଳନ ଭୁଲ୍ ପ୍ରମାଣିତ ହେବ। ଜନତା ସର୍ଭେରେ ବିଶ୍ୱାସ କରେ କଂଗ୍ରେସ। ଓଡ଼ିଶାରେ ଭଲ ପ୍ରଦର୍ଶନ କରିଛି କଂଗ୍ରେସ। ଉଭୟ ଲୋକସଭା ଓ ବିଧାନସଭାରେ କଂଗ୍ରେସର ଉତ୍ତମ ପ୍ରଦର୍ଶନକୁ ଗୌଣ କରି ସର୍ଭେରେ ଦର୍ଶାଯାଇଛି।

ଜୁନ୍ ୪ରେ ଫଳାଫଳ। ତା ଆଗରୁ ଜନମତ ସର୍ଭେ ସଂସ୍ଥାର ଆକଳନ କେତେ ସତ ହେଉଛି। ନବୀନଙ୍କ ନେତୃତ୍ୱରେ ବିଜେଡି ଷଷ୍ଠ ଥର ସରକାର କରି ବିରଳ ରେକର୍ଡ ରଚୁଛି ନା ଓଡ଼ିଶାରେ ପରିବର୍ତ୍ତନର ହାଓ୍ୱାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର କରିବାକୁ ବିଜେପି ସକ୍ଷମ ହେଉଛି। ନା ପୂର୍ବଥର ଭଳି ସ୍ପ୍ଲିଟ୍ ଭୋଟିଂ ବିଜେପିକୁ ଲୋକସଭାରେ ସହାୟକ ହେବା ସହ ଓଡ଼ିଶାରେ ନବୀନଙ୍କୁ ପୁଣି କ୍ଷମତାସୀନ କରାଇବାରେ ଭୋଟର ଅକୁଣ୍ଠ ସମର୍ଥନ ଢାଳିଛନ୍ତି। କଂଗ୍ରେସର ଭୋଟ ପ୍ରତିଶତ ଓ ସିଟ୍‌ ସଂଖ୍ୟା ଗଲାଥର ତୁଳନାରେ ବଢ଼ୁଛି ନା କମୁଛି, ତାହା କେତେଦୂର ନର୍ଣ୍ଣାୟକ ସାଜୁଛି ତା ଉପରେ ବି ନଜର।

Leave a Reply

Your email address will not be published. Required fields are marked *