ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆଉ ୧୪ ଟି ଜିଲ୍ଲାର ୫୫ଟି ବ୍ଲକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠିତ

Spread the love

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ ରୁ ୨୩ କୁ ବୃଦ୍ଧି

ଭୁବନେଶ୍ୱର, ୧୪ ମଇ – ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଲିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଛନ୍ତି । ଏହି ନୂତନ ଜିଲ୍ଲା ଗୁଡିକ ହେଉଛି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଓ ସମ୍ବଲପୁର ।

ଏହାଦ୍ୱାରା ଜନଜାତି କଳା, ସଂସ୍କୃତି ଓ ସାହିତ୍ୟର ସଂରକ୍ଷଣ ପାଇଁ ୨୦୧୭-୧୮ରୁ ଗଠିତ ହୋଇଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ରୁ ୨୩କୁ ବୃଦ୍ଧି ପାଇଛି ।

ଆଜି ସ୍ଥାନୀୟ ଇଉନିଟ ୧ ସ୍ଥିତ ଆଦିବାସୀ ପଡିଆ ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ପୂର୍ବରୁ ୯ଟି ଜିଲ୍ଲାର ୧୧୭ଟି ବ୍ଲକରେ କାର୍ଯ୍ୟକାରୀ ହେଉଥିଲା । ଏଥିରେ ୬୪ ଲକ୍ଷ ଲୋକ ସାମିଲ ହୋଇଛନ୍ତି ।ଏବେ ଏହା ୨୩ଟି ଜିଲ୍ଲାର ୧୭୨ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ୨୦୨୩-୨୪ ଆର୍ôଥକ ବର୍ଷରେ ରାଜ୍ୟ ସରକାର ୨୨୩ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି କାର୍ଯ୍ୟକ୍ରମରେ ଅଶି ଲକ୍ଷ ରୁ ଅଧିକ ଜନଜାତି ଲୋକ ସାମିଲ ହୋଇ ନିଜ କଳା ଓ ସଂସ୍କୃତିର ବିକାଶ ପାଇଁ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତି ସହିତ ଜନଜାତି ସଂସ୍କୃତିର ଗଭୀର ସମ୍ପର୍କ ଅଛି । ଏଥିରେ ପ୍ରକୃତି ଓ ପରିବେଶର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରକୃତିର ପୂଜା ଓ ଭାଇଚାରା ଆଦିବାସୀ ସଂସ୍କୃତିର ମୁଖ୍ୟ ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବିକାଶର ପରିଭାଷାରେ କଳା ଓ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ରାଜନୀତି ଠାରୁ ଆରମ୍ଭ କରି ସାହିତ୍ୟ, ସଂସ୍କୃତି, ଭାଷା, ରାଜନୀତି ସବୁ କ୍ଷେତ୍ରରେ ଜନଜାତି ବର୍ଗର ଲୋକଙ୍କ ଅବଦାନ ରହିଛି । ଓଡ଼ିଶାର ସଂସ୍କୃତିକୁ ସେମାନେ ଗୌରବମୟ କରିଛନ୍ତି । ମୁଁ ସେମାନଙ୍କ ପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନୂଆ ପରିଷଦ ଗଠନ ଦ୍ୱାରା ସବୁ ଛୋଟ ଛୋଟ ବର୍ଗର ଜନଜାତି ଗୋଷ୍ଠୀ ସେମାନଙ୍କ କଳା ଓ ଐତିହ୍ୟ ର ସୁରକ୍ଷା ପାଇଁ ମଧ୍‌ଯ ନିଜର ଗୁରୁତ୍ୱ ପୁର୍ଣ୍ଣ ଅବଦାନ ରଖି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଜନଜାତି କଳା ଓ ସଂସ୍କୃତି ପ୍ରତି ଲୋକଙ୍କ ଆଗ୍ରହ ରହିଛି ବୋଲି ପ୍ରକାଶ କରି ମୁଖ୍ୟ ମନ୍ତ୍ରୀ କହିଲେ ଯେ ଭୁବନେଶ୍ୱର ର ଜନଜାତୀୟ ସଂଗ୍ରହାଳୟ ଏବେ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଆକର୍ଷଣ ହୋଇଛି ।

ଜନଯାତି ସଂସ୍କୃତି, ଜୀବନ ପ୍ରତି ସେମାନଙ୍କ ଦୃଷ୍ଟିଭଙ୍ଗୀ, ପ୍ରକୃତିର ସଂରକ୍ଷଣ ଓ ସେମାନଙ୍କ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ଅଧିକ ଗବେଷଣା ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ସୂଚନା ଯୋଗ୍ୟ ଯେ ୨୦୧୭ରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ଦ୍ୱାରା ଜନଜାତି ବର୍ଗର ଅନନ୍ୟ ସଂସ୍କୃତିର ସୁରକ୍ଷା ଦିଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ପଦକ୍ଷେପ ନେଇଥିଲା । ଏଥିରେ ଜନଜାତି ଲୋକଙ୍କ ପବିତ୍ର ବୃକ୍ଷ ର ସଂରକ୍ଷଣ, ସଂସ୍କୃତି କ୍ଲବ୍ ଗଠନ, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ, ଆଦି ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ବର୍ତମାନ ସୁଦ୍ଧା, ଏହି କାର୍ଯ୍ୟକ୍ରମରେ ୬୦ ହଜାରରୁ ଅଧକ ପ୍ରକଳ୍ପର କର୍ଯ୍ୟାନ୍ୱୟନ ହୋଇ ସାରିଛି ।

ଏହି ଅବସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଲେ ଯେ ଆଦିବାସୀ ମାନଂକ ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀ ମାନଂକ ପାଇଁ ବିକାଶର ଏକ ନୂଆ ଧାରା ସୃଷ୍ଟି କରିବ ବୋଲି ସେ କହିଥିଲେ ।

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝୀ କହିଲେ ଯେ ଜନଜାତି ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଭବିଷ୍ୟତ ପୀଢ଼ି ପାଇଁ ସ୍ମରଣୀୟ ହୋଇ ରହିବ । ଏହି ପରିଷଦ ସବୁ ଆଦିବାସୀ ଗୋଷ୍ଠୀ ମଧ୍ୟରେ ସମ୍ପର୍କର ସେତୁ ହୋଇ ରହିବ ।

ମୁଖ୍ୟ ମନ୍ତ୍ରୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଂପର୍କରେ ଏକ କଫିଟେବୁଲ ବୁକ ଉନ୍ମୋଚନ କରିଥଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା, ଉନ୍ନୟନ କମିଶନର ଶ୍ରୀମତି ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି କେ ପଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଅତିଥି ମାନଙ୍କୁ ସ୍ୱାଗତ କରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋସନ୍ ସାହୁ ଆଦିବାସୀ ସଂସ୍କୃତିର ଅନନ୍ୟ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ୨୦୧୭-୧୮ରୁ ଗଠନ କରାଯାଇଛି ।

ଆଦିବାସୀ ମାନଂକ ସଂସ୍କୃତିର ସୁରକ୍ଷା ପାଇଁ ଅନ୍ୟ କୌଣସି ରାଜ୍ୟ ବା ଦେଶରେ ଏଭଳି ପଦକ୍ଷେପର ନଜିର ନାହିଁ ବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *