ସିଏମଓର ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍‌ସ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ବିଭିନ୍ନ ଜିଲ୍ଲାରେ କରାଯାଉଥିବା ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଢେଙ୍କାନାଳରୁ ଭିଡିଓ କନ୍‌ଫରେସନ୍‌ସ ଜରିଆରେ ଯୋଡି ହୋଇ ୫-ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ଗତ ଦୁଇ ଦିନ ଧରି ସେ ଅନୁଗୁଳ ଜିଲ୍ଲା ଗସ୍ତ କରି ଲୋକଙ୍କ ଅଭିଯୋଗ ଓ ସମସ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ସେ କହିଥିଲେ ଯେ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ବର୍ତ୍ତମାନ ସୁଦ୍ଧା ଲୋକଙ୍କ ଠାରୁ ୧୮ ହଜାର ଯାଚିକା ଗ୍ରହଣ କରାଯାଇଛି ।

ମୁଖ୍ୟ ଶାସନ ସଚିବ ପି.କେ. ଜେନା କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଉଥିବା ଅଭିଯୋଗ ଓ ଯାଚିକା ସଂପର୍କରେ ପଦକ୍ଷେପ ନିଆଯାଉଛି । ବିଭିନ୍ନ ବିଭାଗ ଦ୍ୱାରା ସମୀକ୍ଷା ବୈଠକରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରାଥମିକତା ଦିଆଯାଉଛି ।

ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିଭିନ୍ନ ଜିଲ୍ଲାକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛି । ଅଧିକାରୀମାନେ ବିଭିନ୍ନ ଜିଲ୍ଲା, ଏପରି କି ବ୍ଲକ୍ ସ୍ତରକୁ ଯାଇ ଅଭିଯୋଗ ଶୁଣାଣୀ କରୁଛନ୍ତି ଏବଂ ଏହିସବୁ କାର୍ଯ୍ୟକ୍ରମରୁ ବର୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଯାଚିକା ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ମୁଁ ଆଶା କରୁଛି ସମସ୍ତ ବିଭାଗ ଗୁଡିକ ଲୋକଙ୍କ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ଶୁଣାଣୀ କରି ସମାଧାନ କରିବେ । ରାଜ୍ୟର ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଲୋକଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେଇ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜନ ଅଭିଯୋଗ ଶୁଣାଣୀ ପ୍ରକ୍ରିୟାକୁ ‘ମୋ ସରକାର’ ଅଧିନରେ ଗ୍ରହଣ କରାଯାଇ ଲୋକଙ୍କ ସମସ୍ୟାର ସମାଧାନ କିପରି କରାଯାଉଛି, ସେ ବିଷୟରେ ତଥ୍ୟ ସଂଗ୍ରହ କରାଯିବ । ଆସନ୍ତା ମାସ ଠାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜନସାଧାରଣଙ୍କୁ ଫୋନ କରାଯାଇ ସେମାନଙ୍କ ସମସ୍ୟାର କିପରି ସମାଧାନ କରାଯାଉଛି, ସେ ସଂପର୍କରେ ମତାମତ ନିଆଯିବ ।

 ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ସ୍ୱାଧୀନତା ସଂଗ୍ରାମୀ ଜନନେତା ପବିତ୍ର ମୋହନ ପ୍ରଧାନଙ୍କ ଅବଦାନକୁ ସମ୍ମାନ ଦେଇ ତାଙ୍କ ସ୍ମୃତିପୀଠର ବିକାଶ କରାଯିବ । ତାଳଚେର ମେଡିକାଲ କଲେଜ ଓ ହସ୍‌ପିଟାଲକୁ ମଧ୍ୟ ତାଙ୍କ ନାମରେ ନାମିତ କରାଯିବ । କଣିହାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମଣାଧୀନ ସେତୁକୁ ମଧ୍ୟ ତାଙ୍କ ନାମରେ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।  ତାଳଚେର ଠାରେ ନିର୍ମିତ ମେଡିକାଲ କଲେଜ ହସ୍‌ପିଟାଲକୁ ଚଳିତ ବର୍ଷ ଅକ୍ଟୋବର ମାସ ଠାରୁ କାର୍ଯ୍ୟକ୍ଷମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତି ଗ୍ରହଣ କରିଛନ୍ତି । ଏହାସହିତ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ ହସ୍‌ପିଟାଲ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଅନୁଗୁଳ ଜିଲ୍ଲାର ବନ୍ତଳା ଠାରେ ହାତୀ-ମଣିଷ ସଂଘର୍ଷ ଯୋଗୁଁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଏହାକୁ ରୋକିବା ପାଇଁ ୪.୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଜିଲ୍ଲା ଡି.ଏଫ.ଓ ଙ୍କ ଦ୍ୱାରା ଏହି ଅର୍ଥ ଜରିଆରେ ବନ୍ତଳାର ୪୩ଟି ଗାଁରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯାଇ ଅଧିକ ସୁରକ୍ଷିତ ବ୍ୟବସ୍ଥାର ବିକାଶ କରାଯିବ । ଜିଲ୍ଲାରେ ସଡକ ଯୋଗାଯୋଗର ବିକାଶ ପାଇଁ  ୭୬.୩୯ କୋଟି ଟଙ୍କା ବିନିଯୋଗ କରାଯାଇ ୩ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବ ।  ପାଲଲହଡା ଫଳ ବଗିଚା ଠାରୁ ନାଇକାଣିପଲ୍ଲୀ ରାସ୍ତାର ବିକାଶ ପାଇଁ ୨୧.୮୫ କୋଟି ଏବଂ ସିବାଦା ଠାରୁ ଖଡକାକୁମ୍ଭାର ମାଟି ରାସ୍ତାର ଉନ୍ନତିକରଣ ପାଇଁ ୪୨.୦୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହାସହିତ କଣିଆ ବ୍ଳକ୍ ର ଧଳଗଡିଆ ସିଆରିଆ ରାସ୍ତାରେ ମହୁଲିପୋଷି ପର୍ଯ୍ୟନ୍ତ ୧୦ କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ୧୨.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହାସହିତ ପାଲଲହଡାରେ ୩ଟି ଗୁରୁତ୍ୱପୂର୍ଣ୍ଣ ସେତୁ ମଧ୍ୟ ନିର୍ମାଣ କରାଯିବ । ମାଙ୍କଡିଆ ନଳା ଉପରେ ଜୋକପାଣି ଠାରେ ଏକ ସେତୁ ପାଇଁ ୫.୩୮ କୋଟି ଟଙ୍କା, ଅନ୍ଧାରୀନଳା ଉପରେ କୁଚେଇବେଡା ଠାରେ ସେତୁ ପାଇଁ ୪.୬୦ କୋଟି ଟଙ୍କା ଏବଂ ଖରବା ନଳା ଉପରେ ବିଜାଗୋଠ ଛକ ଠାରେ ସେତୁ ନିର୍ମାଣ ପାଇଁ ୫.୮୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସମୁଦାୟ ୧୫.୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ମୁଖ୍ୟମନ୍ତ୍ରୀ ଗତକାଲି ବନ୍ତଳାରେ ଏହି ସେବା କେନ୍ଦ୍ର ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି । ଏହାସହିତ ସାତକୋଶିଆ ଇକୋ ଟୁରିଜିମ୍‌? ସ୍ଥାନରେ ମଧ୍ୟ ଏକ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ କରାଯିବ ।  ଜନସାଧାରଣଙ୍କ ଅନୁରୋଧକ୍ରମେ ଜିଲ୍ଲାର କୁଡାଗାଁ ଓ ଟିକରପଡା ଠାରେ ଦୁଇଟି ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରତ୍ୟେକ ବନ୍ୟା ଅଶ୍ରୟସ୍ଥଳ ପାଇଁ ୨.୬୪ କୋଟି ଟଙ୍କା ଖର୍ଚ୍ଚ ହେବ ।

ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ଓ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *