୬ ଜଣ ଟ୍ର୍ରେନି ଆଇଏଏସ୍ ଅଧିକାରୀଙ୍କ ଶିକ୍ଷା ବିଭାଗ ପରିଦର୍ଶନ

Spread the love

ଭୁବନେଶ୍ୱର : ଓଡିଶା କ୍ୟାଡରର ୬ଜଣ ଟ୍ର୍ରେନି ଆଇଏଏସ୍ ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଦର୍ଶନ କରିଛନ୍ତି । ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ ତାଲିମ ନେବାକୁ ଥିବା ଏହି ପ୍ରଶାସନିକ ଅଧିକାରୀ ଗୁରୁବାର ଦିନ ମୋ ସ୍କୁଲ କାର୍ଯ୍ୟାଳୟ, ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ କାର୍ଯ୍ୟାଳୟ ଓ ଚନ୍ଦ୍ରଶେଖରପୁରଠାରେ ଥିବା ଆଇକନିକ୍ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମଗୁଡିକ ସମ୍ବନ୍ଧରେ ସେମାନଙ୍କୁ ଅବଗତ କରିଛନ୍ତି । ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନର୍ଦ୍ଦେଶକ ଅନୁପମ ସାହା ପ୍ରଶାସନିକ ଶାସନ ବ୍ୟବସ୍ଥା ଏବଂ ୫-‘ଟି’ ହାଇସ୍କୁଲ୍ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ବିଷୟରେ ସେମାନଙ୍କୁ କହିଥିଲେ । ସେହିଭଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଦୁର୍ଗାପ୍ରସାଦ ମହାପାତ୍ର, ମୋ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ୍ ଜେନା ଓ ମୋ ସ୍କୁଲର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନା ବିଷୟରେ ସେମାନଙ୍କୁ ଅବଗତ କରିଥିଲେ ।

୫-‘ଟି’ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୋ ସ୍କୁଲ ଅଧିନରେ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ, ସମଗ୍ର ଶିକ୍ଷା, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆଦି କାର୍ଯ୍ୟକ୍ରମର ବିସ୍ତୃତ ଧାରଣା ସେମାନଙ୍କୁ ପ୍ରଦାନ କରାଯାଇଛି । ୨୦୨୨ ବ୍ୟାଚ୍ ଓଡିଶା କ୍ୟାଡରର ଏହି ୬ଜଣ ପ୍ରଶାସନିକ ଅଧିକାରୀ ରାଜ୍ୟ ସ୍ତରରେ ମୟୂରଭଞ୍ଜ, ଗଞ୍ଜାମ, ଝାରସୁଗଡା, ସମ୍ବଲପୁର, ସୁନ୍ଦରଗଡ ଓ କୋରାପୁଟ ଜିଲ୍ଲାରେ ମଧ୍ୟ ଏକ ବର୍ଷ ତାଲିମ ନେବେ । ଓଡିଶାରେ ତାଲିମ ସମାପ୍ତ ପରେ ସେମାନେ ଉତ୍ତରାଖଣ୍ଡର ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନରେ ତାଲିମ ଗ୍ରହଣ କରିବେ । ଏହାପରେ ଓଡିଶାରେ ସେମାନଙ୍କ ପାଇଁ ଦିଆଯାଇଥିବା ନିଜ ନିଜ ଜିଲ୍ଲାରେ କାର୍ଯ୍ୟରେ ଯୋଗଦେବେ ।

Leave a Reply

Your email address will not be published. Required fields are marked *