ପ୍ରକାଶ ପାଇଲା ଯୁକ୍ତ ୨ କଟଅଫ୍ ମାର୍କ ତାଲିକା

Spread the love

ଭୁବନେଶ୍ୱର : ଚଳିତ ବର୍ଷ ଯୁକ୍ତ ଦୁଇରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ଗୁରୁବାର ପ୍ରକାଶ ପାଇଛି । ଏଥର ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଗରେ ରହିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ମେରିଟ୍ ଲିଷ୍ଟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ କଟଅଫ୍ ରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି ।

ସୂଚନା ଅନୁଯାୟୀ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ କଳାରେ ସର୍ବାଧିକ ୮୦ ପ୍ରତିଶତ କଟ୍ଅଫ ମାର୍କ ରହିଛି । ସେହିପରି ରାଉରକେଲା ସରକାରୀ କଲେଜରେ କଟଅଫ୍ ମାର୍କ ୭୯ ପ୍ରତିଶତ ଥିବା ବେଳେ ତୃତୀୟ ସ୍ଥାନରେ ଥିବା ଡିଏଭି ଟିଟିଲାଗଡ଼ରେ କଟଅଫ୍ ମାର୍କ ୭୮.୬୭ ପ୍ରତିଶତ ରହିଛି । ଚତୁର୍ଥ ସ୍ଥାନରେ ଥିବା ବାଲେଶ୍ୱର ଏଫ୍ଏମ୍ କଲେଜର କଟଅଫ୍ ମାର୍କ ୭୮ ପ୍ରତିଶତ ଥିବାବେଳେ ପଂଚମରେ ଥିବା ଭବାନୀପାଟଣାର କଲେଜର କଟଅଫ୍ ମାର୍କ ୭୭.୫୦ ପ୍ରତିଶତ ରହିଛି ।

ସେହିପରି ରେଭେନ୍ସାରେ ବିଜ୍ଞାନର କଟଅଫ୍ ମାର୍କ ସର୍ବାଧିକ ୯୧.୬୭ ରହିଛି । ରେଭେନ୍ସା ପଛକୁ ଦ୍ୱିତୀୟରେ ବାଲେଶ୍ୱର ଏଫ୍ଏମ୍ କଲେଜର କଟଅଫ୍ ମାର୍କ ୯୦ ପ୍ରତିଶତ ଥିବା ବେଳେ ୮୯ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି ବିଜେବି କଲେଜ । ଚତୁର୍ଥ ସ୍ଥାନରେ ଥିବା ନୀଳକଣ୍ଠ ନଗର ଏସ୍ଏସ୍ଭିଏମ୍ କଲେଜର କଟଅଫ୍ ମାର୍କ ୮୯ ରହିଥିବା ବେଳେ ପଞ୍ଚମ ସ୍ଥାନରେ ଥିବା ସୋର ୟୁଏନ୍ କଲେଜ କଟଅଫ୍ ମାର୍କ ୮୬.୮୩ ପ୍ରତିଶତ ରହିଛି ।

ବାଣିଜ୍ୟରେ ମଧ୍ୟ ରେଭେନ୍ସା ଆଗରେ ରହିଛି । ବାଣିଜ୍ୟର ସର୍ବାଧିକ କଟ୍ଅଫ ମାର୍କ ୭୯.୨୦% ରହିଛି । ଦ୍ୱିତୀୟ ସ୍ଥାନରେ ରାଉରକେଲା ସରକାରୀ କଲେଜର କଟଅଫ୍ ମାର୍କ ୭୭.୩୩ ପ୍ରତିଶତ ଥିବାବେଳେ ବିଜେବିରେ କଟଅଫ୍ ମାର୍କ ୭୩ ପ୍ରତିଶତ ରହିଛି । ସେହିପରି ଚତୁର୍ଥ ସ୍ଥାନରେ ଥିବା କଟକ ଜେକେବିକେ କଲେଜରେ କଟଅଫ୍ ମାର୍କ ୭୨.୨୦ ପ୍ରତିଶତ ଥିବାବେଳେ ପଂଚମରେ ଥିବା କଟକ ଶୈଳବାଳାର କଟଅଫ୍ ମାର୍କ ୭୨.୧୭ ପ୍ରତିଶତ ରହିଛି ।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ମାନେ ସାମସ୍ ପୋର୍ଟାଲରୁ ଇଣ୍ଟିମେଶନ ଡାଉନଲୋଡ୍ କରିପାରିବେ । ୮ ରୁ ୧୪ ହେବ ସ୍ଲାଇଡ୍ ଅପ୍ ପ୍ରକ୍ରିୟା । ଏହାପରେ ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ । ଜୁଲାଇ ୨୦ ରୁ ୨୨ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ।

Leave a Reply

Your email address will not be published. Required fields are marked *