୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ 

Spread the love

ଭୁବନେଶ୍ୱର – ତୃତୀୟ ପର‌୍ୟ୍ୟାୟ ସ୍କୁଲ ରୂପାନ୍ତରଣର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର‌୍ୟ୍ୟରେ ଖୁସି ପ୍ରକାଶ କରି ଏଥିରେ ଭଲ କାମ କରୁଥିବା ଜିଲ୍ଲା ମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯିବ ବୋଲି ସୋମବାର ଘୋଷଣା କରିଛନ୍ତି । ସ୍କୁଲ ରୂପାନ୍ତରରେ ଭଲ କାମ କରିଥିବା ଜିଲ୍ଲା ମାନଙ୍କ ପାଇଁ  ପ୍ରଥମ ପୁରସ୍କାର ୩ କୋଟି ଟଙ୍କା, ଦ୍ୱିତୀୟ ପୁରସ୍କାର ୨ କୋଟି ଟଙ୍କା ଓ ତୃତୀୟ ପୁରସ୍କାର ଭାବେ ୧ କୋଟି ଟଙ୍କା ଦିଆଯିବ ବୋଲି ସେ କହିଥିଲେ । ଏଥିପାଇଁ ରାଜ୍ୟସ୍ତରରେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯିବ । ସେହିପରି ଏ କ୍ଷେତ୍ରରେ ଭଲ କାମ କରିଥିବା ବ୍ଲକ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଦଶଟି ବ୍ଲକକୁ ପଚାଶ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଭାବରେ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହି ପୁରସ୍କାରର ବିସ୍ତୃତ ବିବରଣୀ ଦେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ  ଭି.କେ. ପାଣ୍ଡିଆନ କହିଥିଲେ ଯେ ରାଜ୍ୟରେ ଶିକ୍ଷା ଉପରେ ଯେତେ ଅଧିକ ପ୍ରତିଯୋଗୀତା ହେବ, ଶିକ୍ଷାର ଗୁଣାତ୍ମକ ମାନ ସେତେ ବୃଦ୍ଧି ପାଇବ । ଚାଲନ୍ତୁ ଶିକ୍ଷାକୁ ଆମେ ଏକ ମହୋତ୍ସବ ଭାବେ ପାଳିବା । ପ୍ରତିଯୋଗୀତା ମନୋଭାବ ନେଇ ଶିକ୍ଷାର ଉତ୍କର୍ଷ ଲାଭ କରିବା । ସେ କହିଥିଲେ ଯେ କେବଳ ଜିଲ୍ଲା ନୁହେଁ, ବ୍ଲକ୍ ନୂହେଁ , ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ, ପଂଚାୟତ ପ୍ରତିନିଧି ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ଶ୍ରୀ ପାଣ୍ଡିଆନ କରିଥିଲେ ।

ସୋମବାର ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର‌୍ୟ୍ୟାୟର ଶେଷ ଦିନରେ ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ କଟକ ଜିଲ୍ଲାର ୯୮ଟି ହାଇସ୍କୁଲ, କଳାହାଣ୍ଡି ଜିଲ୍ଲାର ୧୧୫ଟି, ମାଲକାନଗିରି ଜିଲ୍ଲାର ୪୯ଟି ଏବଂ ଯାଜପୁର ଜିଲ୍ଲାର ୭୩ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ଏହାଦ୍ୱାରା ତୃତୀୟ ପର‌୍ୟ୍ୟାୟରେ ସମୁଦାୟ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା । ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର‌୍ୟ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଥିଲା । ତିନୋଟି ପର‌୍ୟ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି । ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି । କେଉଁ କାର‌୍ୟ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସେମାନେ ଜାଣନ୍ତି । ତେଣୁ ସ୍କୁଲ ରୂପାନ୍ତର ହେଉଛି, ଜନ ଭାଗିଦାରୀର ଏକ ପ୍ରକୃଷ୍ଟ ଉଦାହରଣ । ଆଜି ସ୍କୁଲ ରୂପାନ୍ତରର ତୃତୀୟ ପର‌୍ୟ୍ୟାୟର ଚତୁର୍ଥ ଦିନରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ଆଜି ଶେଷ ଦିନରେ ସୁଦୂର ମାଲକାନଗିରିଠାରୁ ଆରମ୍ଭ କରି କଳାହାଣ୍ଡି, କଟକ ଓ ଯାଜପୁର ଆଦି ଜିଲ୍ଲାରେ ଆଜି ପିଲାମାନଙ୍କ ମଧ୍ୟରେ ଥିଲା ଅଶେଷ ଉତ୍ସାହ । ମାଲକାନଗିରିର ଛାତ୍ରୀ ସୁପ୍ରିୟା ରାୟ କହିଥିଲେ ଯେ ଆମ ଯେତେବେଳେ ସରକାରୀ ସ୍କୁଲରେ ପାଠ ପଢିଲୁ, ଆମେ ଭାବୁଥିଲୁ ଯେ ବଡ ବଡ ସହର ଭଳି ଆମ ସ୍କୁଲରେ କଣ ଆଧୁନିକ ସୁବିଧା ସୁଯୋଗ ମିଳିପାରିବ ? କିନ୍ତୁ ମୁଖ୍ୟମନ୍ତ୍ରୀ ଆମ ସ୍ୱପ୍ନରୁ ବାହାରେ ଥିବା ସୁବିଧା ସୁଯୋଗ ଆମକୁ ଦେଇଛନ୍ତି । ଆମ କମ୍ପୁଟର ଓ ଇଂଟରନେଟ୍ ରେ ପାଠ ପଢୁଛୁ । ଆଧୁନିକ ପାଠାଗାର ଓ ଲାବୋରେଟୋରୀର ସୁବିଧା ପାଇଛୁ । ତେଣୁ ଆମ ସ୍ୱପ୍ନ ମଧ୍ୟ ଆହୁରି ବଡ ହେଉଛି । ମୁଖ୍ୟମନ୍ତ୍ରୀ ଆମ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଛନ୍ତି । ଆମେ ଏ ସୁବିଧାର ସୁଯୋଗ ନେବୁ ଓ ଭବିଷ୍ୟତରେ ବଡ ହୋଇ ମୁଖ୍ୟମନ୍ତ୍ରୀଙ୍କ ନବୀନ ଓଡିଶାର ସ୍ୱପ୍ନ ପୂରଣ କରିବୁ । ବଡ ହେଲେ ସୁପ୍ରିୟା ଜଣେ ଡାକ୍ତର ହେବେ ବୋଲି ଆଶା ରଖିଛନ୍ତି । ସେହିପରି କଟକର ଜୟଶ୍ରୀ ପଣ୍ଡା ଜଣେ ଆଇ.ଏ.ଏସ ଅଫିସର ଓ ଯାଜପୁରର ବିଶ୍ୱଜିତ ବେହେରା ଜଣେ ଆଇ.ପି.ଏସ୍ ହେବେ ବୋଲି ଆଶା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶୀର୍ବାଦ ଦେଇଥିଲେ ।

କଳାହାଣ୍ଡିର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ଭବିଷ୍ୟତରେ ପାଇଲଟ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଶତାଦ୍ଦୀର ଶ୍ରେଷ୍ଠ ପାଇଲଟ ବିଜୁ ବାବୁଙ୍କ ସଂପର୍କରେ ପ୍ରକାଶିତ ଏକ ପୁସ୍ତକ ତାଙ୍କୁ ଉପହାର ଦିଆଯିବ ବୋଲି ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ ।

                କାର‌୍ୟ୍ୟକ୍ରମରେ ଉପସ୍ଥିତ କଟକ ଜିଲ୍ଲାରେ କୃଷି ଓ ପଶୁବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଳାହାଣ୍ଡିରେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଂକର ମିଶ୍ର, ମାଲକାନଗିରିରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଶାମାରୀ ଟାଙ୍ଗଲୁ ଓ ଯାଜପୁରରେ ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ପ୍ରମୁଖ ସେମାନଙ୍କ ମତାମତ ରଖି କହିଥିଲେ ଯେ ଆଜି ସ୍କୁଲ ରୂପାନ୍ତର ଦ୍ୱାରା ଆଜି ପିଲାମାନଙ୍କ ସ୍ୱପ୍ନରେ ଡେଣା ଲାଗିଛି । ଶିକ୍ଷା ହିଁ ସବୁ ସମସ୍ୟାର ସମାଧାନ । ତେଣୁ ମୁଖ୍ୟମନ୍ତ୍ରୀ ଆଜି ଶିକ୍ଷା ଜରିଆରେ ଓଡିଶାର ରୂପାନ୍ତର ପାଇଁ ଦୃଢ ପଦକ୍ଷେପ ନେଇଛନ୍ତି ବୋଲି ସେମାନେ କହିଥିଲେ ।

ଏହି କାର‌୍ୟ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ୱଥୀ ଏସ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ୱତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବ ପି.କେ. ଜେନା, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *