ଧନୁଯାତ୍ରାର ତୃତୀୟ ଦିବସ, ଗୋପରେ ନନ୍ଦୋତ୍ସଵ

Spread the love

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ତୃତୀୟ ଦିବସ। ମୁକ୍ତାକାଶ ରଙ୍ଗମଞ୍ଚର ନନ୍ଦରାଜା ଓ ନନ୍ଦରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇପଡିଛନ୍ତି। ସେପଟେ ଶୂନ୍ୟ ମହାକାଶରୁ ବିଜୁଳି କନ୍ୟାର ଦୈବବାଣୀରେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି କଂସ ମହାରାଜା। ଗୁପ୍ତ ମନ୍ତ୍ରଣା କରି କୃଷ୍ଣଙ୍କୁ ମାରିବାକୁ ଗୋପପୁର ପଠାଇଛନ୍ତି ଦଳବଳ। ଆଉ ମଥୁରାନଗରୀରେ ପ୍ରଜାଙ୍କ ଉପଭୋଗ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପଲ୍ଲୀଶ୍ରୀ ମେଳାର ଶୁଭାରମ୍ଭ କରିଥିଲେ କଂସ।

କୃଷ୍ଣ ଜନ୍ମ ପରେ ସାରା ଗୋପପୁର ଉତ୍ସବ ମୁଖର। ବୃଦ୍ଧ କାଳେ ପୁତ୍ରସନ୍ତାନ ଲାଭକରି ନନ୍ଦରାଜା ଓ ରାଣୀ ଖୁସୀରେ ଆତ୍ମବିଭୋର। କୃଷ୍ଣଙ୍କ ଆଗମନରେ ସମସ୍ତ ଗୋପୀ ଓ ଗୋପାଳ ବେଶ୍‌ ଉତ୍ସାହିତ ହୋଇ ନନ୍ଦଭବନରେ ବଡ଼ ଧୁମଧାମରେ ଆୟୋଜନ କରାଯାଇଛି ନନ୍ଦୋତ୍ସବ । ନନ୍ଦରାଜାଙ୍କ ନିମନ୍ତ୍ରଣ ପାଇ ସମସ୍ତ ଗୋପି, ଗୋପାଳ ନନ୍ଦୋତ୍ସବରେ କୃଷ୍ଣଙ୍କୁ ଦୋଳିରେ ଝୁଲାଇବା ସହ ରାସନୃତ୍ୟରେ ମାତିଥିଲେ। କୃଷ୍ଣଙ୍କ ଦର୍ଶନ ପାଇଁ  ଗୋପପୁର ବାସୀ ଆତ୍ମବିଭୋର ହୋଇ ପଡ଼ିଥିବା ବେଳେ ଧୂପ, ଦୀପ ନୈବେଦ୍ୟ ଦେଇ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ସହ ଘଣ୍ଟ ଘଣ୍ଟା, ବାଦ୍ୟ, ସଂକୀତ୍ତନ୍ୟରେ ଉଛୁଳି ପଡିଥିଲା ଗୋପଦାଣ୍ଡ। ଏହି ଅବସରରେ ଗୋପପୁରରେ ଥିବା ନନ୍ଦଦରବାରର ଉଦଘାଟନ ହୋଇଯାଇଛି ।

ଏପଟେ ମଥୁରାରେ ମହାରାଜ କଂସଙ୍କ ରାଜୁତି ଜୋରସୋରରେ ଚାଲିଛି । ଶ୍ୟାମେଶ୍ଵର ମହାଦେବ ଙ୍କ ଦର୍ଶନ କରିବା ପରେ ନଗର ପରିକ୍ରମା କରିଥିଲେ କଂସ। ଆଉ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଭୂମିଷ୍ଠ ହୋଇଥିବା ଖବର ପାଇ କାରାଗୃହକୁ ଯାଇ ବିଜୁଳି କନ୍ୟାକୁ ଛଡ଼ାଇ ଆଣିଥିଲେ ଦେବକୀଙ୍କ କୋଳରୁ। ନେହୁରା ହୋଇ କାକୁତିମନିତି ସତ୍ତ୍ୱେ କଂସର ହୃଦୟ ତରଳିନଥିଲା। ଆଉ ପଥର ଶିଳାରେ ଶିଶୁଟିକୁ କଚାଡ଼ିବା ବେଳେ ଅଚାନକ ଅନ୍ତର୍ଧ୍ୟାନ ସହ  ଶୂନ୍ୟ ମହାକାଶରୁ ଦୈବବାଣୀ ହୋଇଥିଲା। କଂସକୁ ମାରିବାକୁ ଗୋପରେ ସେ ବଢ଼ୁଛି କଥା ଶୁଣି ଭୟ ଓ ବ୍ୟତିବ୍ୟସ୍ତ କଂସ ତୁରନ୍ତ ଦରବାରକୁ ଫେରି ମନ୍ତ୍ରୀ ପରିଷଦ ସହ ମନ୍ତ୍ରଣା କରିଥିଲେ। ଆଉ ଏତିକିବେଳେ କୃଷ୍ଣଙ୍କୁ ମାରିବାକୁ ନାରଦଙ୍କ ବିଜମନ୍ତ୍ର ପାଇ ପୁତନା, ତୃଣା, ବକାସକଟା, ଷଣ୍ଢା ଆଦି ରାକ୍ଷସଙ୍କୁ ଗୋପପୁର ପଠାଇଥିଲେ। ଏହି ଅବସରରେ ମହାରାଜ କଂସଙ୍କ ଦରବାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବରଗଡ଼ ଧନୁଯାତ୍ରା ଲାଗି ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ମହାରାଜା ସମ୍ୱଲପୁର ରେଲଓ୍ୱେ ଡିଭିଜନର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମଥୁରାରେ ଆୟୋଜିତ ପଲ୍ଲୀଶ୍ରୀ ମେଳାର ଉଦଘାଟନ ହୋଇଥିଲା।

ଜମୁଛି ଧନୁଯାତ୍ରା। କଂସର ପରାକ୍ରମ, ଗୋପରେ କୃଷ୍ଣ ଲୀଳା ଏ ସବୁ ଦେଖି ଦର୍ଶକ ଅଭିଭୂତ ହୋଇପଡ଼ିଛନ୍ତି। ତା ସାଙ୍ଗକୁ ମନୋରଞ୍ଜନ ପାଇଁ ମହାରାଜାଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲିଶ୍ରୀ ମେଳାର ଆନନ୍ଦ ଉଠାଉଛନ୍ତି ପ୍ରଜା।

ଧୃବ କର୍ମୀ

Leave a Reply

Your email address will not be published. Required fields are marked *