ଜାତୀୟ ଲୋକ ଅଦାଲତ ରେ ୪୧,୯୧୫ ମାମଲାର ଫଇସଲା

Spread the love

ଭୁବନେଶ୍ୱର : ସଂପ୍ରତି ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶମତେ ଚଳିତ ବର୍ଷ ୨୦୨୩ର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌-ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ନିଶିଥ ନିଶାଙ୍କଙ୍କ ନିର୍ଦ୍ଦେଶମତେ ଆଜି ତା. ୧୩/୦୫/୨୦୨୩ (ଶନିବାର) ଦିନ ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା ଓ ଟାଙ୍ଗୀଠାରେ ଥିବା ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା ଫୌଜଦାରୀ (ସାଲିସ୍‌ଯୋଗ୍ୟ), ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ, ଦୁର୍ଘଟଣାଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ବିଦ୍ୟୁତ ଓ ଜଳ, ଟେଲିଫୋନ୍‌, ଇତ୍ୟାଦି ମାମଲା ଓ ପ୍ରାକ୍ ମୋକଦ୍ଦମା ଯଥା: ବ୍ୟାଙ୍କ ଋଣ ଅନାଦେୟ, ଦୂରସଂଚାର ଅନାଦେୟ ବିଲ୍‌, ରାଜସ୍ୱ ପାରିବାରିକ ଓ ବିଭିନ୍ନ ଜନ ଉପଯୋଗୀ ମାମଲାମାନ ଅଦାଲତଙ୍କ ପକ୍ଷରୁ ସର୍ବମୋଟ ୬୮,୧୨୪ ଗୋଟି ଆଗତ କରାଯାଇ ସେଥି ମଧ୍ୟରୁ ଆପୋଷ ଆଲୋଚନା ଓ ସହମତି ଭିତିରେ ରେକର୍ଡ ସଂଖ୍ୟକ ୪୧,୯୧୫ ଗୋଟି ମାମଲା ଫଇସଲା କରାଯାଇ ୧୪,୪୨,୦୩,୩୧୧ ଟଙ୍କା ସେଟେଲମେଣ୍ଟ କରାଯାଇଥିଲା । ଉକ୍ତ ଲୋକ ଅଦାଲତରେ ସଚିବ, ସୌଦାମିନୀ ସିଂଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଅଧିକାରୀମାନେ ନିଜ ନିଜ ଅଦାଲତରେ ମାମଲା ଫଇସଲା କରିଥିଲେ । ଶେଷରେ ଜିଲ୍ଲା ଜଜ୍ ଶ୍ରୀ ନିଶିଥ ନିଶାଙ୍କ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତର ସଫଳତା ପାଇଁ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ ଏବଂ ସମସ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ପରବର୍ତୀ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ୦୯/୦୯/୨୦୨୩ରେ ପୁନଶ୍ଚ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ । ଜନସାଧାରଣ ଏହାର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *