ଆରମ୍ଭ ହେଲା ଫାଇଭ-ଜି

ଭୁବନେଶ୍ବର: ଓଡ଼ିଶାରେ ଆଜିଠୁ ଆରମ୍ଭ ହେଲା ଫାଇଭ-ଜି। ତା ସହ ଟେଲି ଯୋଗାଯୋଗକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଲାଗିଛି ଶହେଟି ଟାଓ୍ୱାର । କଳାହାଣ୍ତି, କନ୍ଧମାଳ, କୋରାପୁଟ, ମାଲକାନଗିରି ଆଦି ଅଞ୍ଚଳରେ ଏହି ଟାଓ୍ୱାର ଲାଗିଛି। ୨ ବର୍ଷରେ ସାରା ଓଡ଼ିଶାରେ ୫-ଜି ସେବା ଉପଲବ୍ଧ ହେବ। ଟେଲିକମ ମନ୍ତ୍ରୀ ୫-ଜି ସେବାର ଶୁଭାରମ୍ଭ କରି ଏ କଥା ବି କହିଛନ୍ତି, ଓଡ଼ିଶା ପାଇଁ ୫୬୦୦କୋଟି ଟଙ୍କା ବିନିମୟରେ ୫ହଜାର ଟାଓ୍ୱାର ଜରିଆରେ ୭ ହଜାରରୁ ଅଧିକ ଗାଁକୁ କନେକ୍ଟିଭିଟି ଦେବାକୁ ଲକ୍ଷ୍ୟ ରହିଛି।

ଓଡ଼ିଶାରେ ଆଜିଠୁ ଆରମ୍ଭ ହେଲା ୫-ଜି ସେବା। କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଶହେଟି ଟାଓ୍ୱାର ଲାଗିଛି। କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରିରୁ ନେଇ ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀରରେ ବସିଛି ଟାଓ୍ୱାର। ୨ ବର୍ଷ ଭିତରେ ସାରା ଓଡ଼ିଶାରେ ୫-ଜି ସେବା ଉପଲବ୍ଧ ହେବ ବୋଲି କହିଛନ୍ତି ଅଶ୍ୱିନୀ। ଆଉ ଯେଉଁ ଅଞ୍ଚଳରେ ମୋବାଇଲ ସେବା ଉପଲବ୍ଧ ନାହିଁ, ସେ ସବୁ ଜାଗାରେ ଅଗଷ୍ଟ ୧୫, ୨୦୨୪ ସୁଦ୍ଧା ଟାଓ୍ୱାର କନେକ୍ଟିଭିଟି ଲାଗିବ। ସେଥିଲାଗି ତ ପ୍ରଧାନମନ୍ତ୍ରୀ ୫ହଜାର୬ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଓଡ଼ିଶାରେ ୫ ହଜାର ଟାଓ୍ୱାର ଜରିଆରେ ୭ହଜାରରୁ ଅଧିକ ଗାଁକୁ ଯୋଡ଼ିହେବ।

ସେପଟେ ମାଡ୍ରାସ ଭଳି ଓଡ଼ିଶାରେ ବି ୫-ଜି ଲ୍ୟାବ୍ ପରିକଳ୍ପନା ସାକାର ହେବ ବୋଲି କହିଛନ୍ତି ମନ୍ତ୍ରୀ। ଏଭଳି ଲ୍ୟାବ୍ ଜରିଆରେ ପିଲାଙ୍କ ଦକ୍ଷତା ବୃଦ୍ଧି, ଗବେଷଣା ସହ ନିଯୁକ୍ତି ରୋଜଗାର ସୃଷ୍ଟି କରିବ। ଆଉ ଉଦଘାଟନୀ ଉତ୍ସବରେ ସାମିଲ୍ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜିଓ ରିଲାଏନ୍ସ ଭଳି ଘରୋଇ ଟେଲିକମ କମ୍ପାନୀ ଏଭଳି ସେବା ଆରମ୍ଭ କରିଛି ଅବଶ୍ୟ। କିନ୍ତୁ ଏହାକୁ ନେଇ ବିଏସଏନଏଲର ସ୍ଥିତିକୁ ନେଇ କୌଣସି ଆଶଙ୍କାରେ କେହି ରୁହନ୍ତୁନି ବୋଲି ଆଶ୍ୱସ୍ତ କରିଛନ୍ତି। ବିଏସଏନଏଲକୁ ପୁନର୍ଜୀବିତ କରିବାକୁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଆଉ ଖୁବ୍ ଶୀଘ୍ର ବିଏସଏନଏଲର ୫-ଜି ସେବା ଯେତେବେଳେ ଉପଲବ୍ଧ ହେବ,ତାହା ଧମାଲ୍ କରିବ।

 ସେପଟେ ୫-ଜି ସେବାର ଶୁଭାରମ୍ଭକୁ ନେଇ ବିଶେଷକରି ଟ୍ୱିନ୍ ସିଟିର ଯୁବପୀଢ଼ି ବେଶ୍ ଖୁସି ଜାହିର କରିଛନ୍ତି। ଯେହେତୁ ୪-ଜି ତୁଳନାରେ ୫-ଜି ସେବା ଅଧିକ ସ୍ପିଡ୍ ଓ ଦର ପ୍ରାୟ ସମାନ ରହିବ। କେବଳ ସହରାଞ୍ଚଳରେ ଏହାକୁ ସୀମିତ ନରଖି ଗ୍ରାମାଞ୍ଚଳରେ ବି ଏହି ସେବା ଉପଲବ୍ଧ କରାଯାଉ। ତେବେ ଆଉ କେହି ଭିନ୍ନ ପ୍ରତିକ୍ରିୟା ବି ରଖିଛନ୍ତି। ମଣିଷ ସମେତ ପଶୁପକ୍ଷୀଙ୍କ ଉପରେ କୁପ୍ରଭାବକୁ ବି ନଜରଅନ୍ଦାଜ କରିନାହାନ୍ତି।

ଜାନୁଆରୀ ୨୬ ସୁଦ୍ଧା ଓଡ଼ିଶାରେ ୫-ଜି ସେବା ଉପଲବ୍ଧ ହେବ ବୋଲି କହିଥିଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କିନ୍ତୁ ତା ଆଗରୁ ଓଡ଼ିଶାରେ ଏହି ସେବା ଆରମ୍ଭ ହୋଇଛି।

ସିମ୍ପୁଲ ନାୟକ ଓ ପ୍ରଦୀପ ନାୟକ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *