୫ ପ୍ରାଣୀ ରୋଗିଣା କୁଟୁମ୍ବର ଭାର ବିଧବା ବୋହୂ କାନ୍ଧରେ

Spread the love

ବସ୍ତା: କଥାରେ ଅଛି ଦୁଃଖ ଯେତେବେଳେ ଆସେ ସାଙ୍ଗ ସାଥିଙ୍କୁ ସାଥିରେ ନେଇ ଆସେ। ପରିବାରର ୫ ସଦସ୍ୟଙ୍କ ଭିତରୁ ୩ଜଣ ରୋଗଗ୍ରସ୍ତ ଥିବାବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏମିତି ଏକ ପରିବାର ହେଉଛି ବସ୍ତା ବ୍ଲକ ପତ୍ରଝଡାର ଗାଁର ବାସନ୍ତୀଙ୍କ ପରିବାର । ପରିବାରର ସମସ୍ତେ ରୋଗଗ୍ରସ୍ତ ହେବା ପରେ ପର ଘରେ ମୁଲ ଲାଗି ପରିବାର ଚଳାଉଛନ୍ତି ଘରର ଏକମାତ୍ର ବିଧବା ବୋହୂ ବାସନ୍ତୀ ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପତ୍ରଝଡା ଗାଁ ର ବାସନ୍ତୀ ରାଏ। ଶଶୁର, ଶାଶୁ ଅଜଣା ରୋଗରେ ପୀଡିତ ହୋଇଥିବାରୁ ଠିକ ଭାବରେ ଚଲାବୁଲା କରିପାରୁ ନାହାନ୍ତି। ଆଉ ଦୁଇ ପୁଅ ଭିତରୁ ସାନପୁଅ ଥାଲାସେମିଆ ରୋଗରେ ଆକ୍ରାନ୍ତ। ଏମିତି ଅବସ୍ଥାରେ ପରିବାର ଚଳାଇବା କଷ୍ଟକର। ବୋଝ ଉପରେ ନଳିତା ବିଡ଼ା ସାଜିଛି ଔଷଧ ଯୋଗାଡ କରିବା ପାଇଁ ଅର୍ଥ। ପରଘରେ ମୁଲ ଲାଗି ଯାହା ଆଣୁଛନ୍ତି ସେଥିରେ ଦୁଇ ଓଳି ଦୁଇମୁଠା ଆହାର ଦେବା ପାଇଁ ମଧ୍ୟ ଅକ୍ଷମ ଏଭଳି ସ୍ତରରେ ଏହି ପରିବାର ପାଇଁ ସରକାରୀ ସହାୟତା ଜରୁରୀ ହୋଇପଡ଼ିଛି।

ଦୁଇବର୍ଷ ତଳେ ସ୍ୱାମୀଙ୍କ ସହିତ ପୁରା ପରିବାର ଖୁସିରେ ରହୁଥିଲେ। କିନ୍ତୁ ବାସନ୍ତୀଙ୍କ ଏହି ଖୁସି ବେଶି ଦିନ ରହିଲାନି। ଏକ ଅଜଣା ରୋଗରେ ପଡିଲେ ସ୍ୱାମୀ। ଆର୍ଥିକ ସମସ୍ୟା ଯୋଗୁଁ ଚିକିତ୍ସା ଅବହେଳାରୁ ଆଖି ବୁଜିଲେ ସ୍ୱାମୀ। ପୁଅକୁ ଝୁରି ଝୁରି ମାଆ ଦ୍ରୌପଦୀ ମଧ୍ୟ ରୋଗଗ୍ରସ୍ତ। ଖେଳକୁଦ ବୟସରେ ବସ୍ତାନିରେ ଡୋରି ବାନ୍ଧିଲା ବଡପୁଅ ଘନଶ୍ୟାମ। ବାସନ୍ତୀଙ୍କ ଘର ଖଣ୍ଡଏ ନଥିବାରୁ ଭଙ୍ଗା ଛପର ତଳେ ୫ ପ୍ରାଣୀ କୁଟୁମ୍ବ ବହୁ କଷ୍ଟରେ ଦିନ କାଟୁଛନ୍ତି। ସରକାରୀ ସହାୟତା କହିଲେ କେବଳ ଚାଉଳ ୨୫ କେଜିରେ ସୀମିତ। ଯାହାକି ସମୁଦ୍ରକୁ ଶଙ୍ଖେ। ଶଶୁର ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବା ପାଇଁ କେହି ନାହାନ୍ତି। ଫଳରେ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ଶଶୁର ରଥିଆ ରାଏ।  ଏ ବାବଦରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ଏ ବିଷୟରେ ସେ ଜାଣି ନଥିଲେ ବୋଲି କହିଛନ୍ତି ।

ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ପରିବାରକୁ ସହାୟତା କରିବା ପାଇଁ ଚାହାନ୍ତି ତେବେ ନିମ୍ନରେ  ଦିଆଯାଇଥିବା ଆକାଉଣ୍ଟ ନମ୍ୱର ମାଧ୍ୟମରେ ସହାୟତା କରି ପାରିବେ।

ବ୍ୟାଙ୍କ ଅଫ ଇଣ୍ଡିଆ, ଝରୀଆ ଶାଖା

ବାସନ୍ତୀ ରାଏ

ଆକାଉ ନଂ- ୫୪୮୯୧୦୧୧୦୦୦୩୬୮୨

ଆଇଏଫଏସସି କୋର୍ଡ- ବିକେ୧ଡି୦୦୦୫୪୮୯

ଫୋନପେ- ୭୭୩୫୩୭୧୯୧୫

Leave a Reply

Your email address will not be published. Required fields are marked *