ଆଜିଠୁ ଆରମ୍ଭ ହେଲା ଆମ ଶାସନ ବ୍ୟବସ୍ଥା। ପ୍ରଥମ ଦିନରେ ଲୋକଙ୍କ ମତାମତ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ମତାମତ ଆଧାରରେ ଏଣିକି ନୀତି ନିର୍ଦ୍ଧାରଣ ହେବ। ସାଧାରଣ ଲୋକଙ୍କୁ ଫୋନ୍ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ। ମୋବାଇଲ ଆପ୍ ଜରିଆରେ ନିଆଯିବ ମତ। ନାଗରିକ ଓ ସରକାରଙ୍କ ଭିତରେ ସିଧାସଳଖ ସମ୍ପର୍କ ସ୍ଥାପନର ହେବ ଆଧାର ଆମ ଶାସନ ବ୍ୟବସ୍ଥା। ଏଥିଲାଗି ସ୍ୱତନ୍ତ୍ର ଟୋଲ୍ ଫ୍ରି ନମ୍ୱର ୧୪୪୭୧ ଜାରି କରିଛନ୍ତି ସରକାର। ପ୍ରଥମ ଦିନରେ ବିଭିନ୍ନ ଯୋଜନା ବାବଦରେ ମତାମତ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ପ୍ରତି ଅଫିସରଙ୍କ ବ୍ୟବହାର ବାବଦରେ ଫିଡ୍ ବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଜନସେବାରେ ଏହା ଏକ ନୂଆ ଅଧ୍ୟାୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଓ୍ୱେବସାଇଟ୍ ଚାଟ୍ ବଟ୍ amashasana.odisha.gov.in , ହ୍ୱାଟସଅପ ଚାଟ୍ 7400221903 ଓ ଟୋଲ ଫ୍ରି ନମ୍ୱର ୧୪୪୭୧ରେ ମତାମତ ଦେବେ ଲୋକେ। ୪ ଜିଲ୍ଲାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ମତାମତ ଓ ପରାମର୍ଶ ହିଁ ସୁଶାସନର ଉପାଦାନ ବୋଲି କହିଛନ୍ତି ମୋହନ। ଶାସନ, ପ୍ରଶାସନରେ ସ୍ୱଛତା, ପାରଦର୍ଶିତା, ଦାୟିତ୍ୱବୋଧ ଓ ଉତ୍ତରଦାୟିତ୍ୱ ଆଣିବ ଆମ ଶାସନ ବ୍ୟବସ୍ଥା। ସରକାର ଓ ଜନତାଙ୍କ ଭିତରେ ଦରତା କମାଇବାରେ ଏହା ସହାୟକ ହେବ ବୋଲି ଆଶାବାଦୀ ମୁଖ୍ୟମନ୍ତ୍ରୀ। ସେପଟେ ଆମ ଶାସନ ବ୍ୟବସ୍ଥାକୁ ନେଇ ବର୍ଷିଛନ୍ତି ବିରୋଧୀ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଏ ସରକାର କେବଳ ନାଁ ଓ ରଙ୍ଗ ବଦଳାଇବାରେ ବ୍ୟସ୍ତ। ଲୋକଙ୍କ ସମସ୍ୟା ସମାଧାନ ହେଉନି। କେବଳ ନୂଆ ନୂଆ ଯୋଜନା ଆଣିଲେ କଅଣ ହେବ। ଲୋକଙ୍କ କାମ ହେବା ଦରକାର। ବିଜେଡି କହିଛି, ନବୀନ ସରକାର ଅମଳରେ ମୋ ସରକାର ଓ 5T ଢାଞ୍ଚାରେ ପ୍ରଶାସନକୁ ଲୋକଙ୍କ ପାଖରେ ଉତ୍ତରଦାୟିତ୍ୱର ମୂଳଦୁଆ ପଡ଼ିଥିଲା। ମୋହନ ସରକାରରେ କାମ କମ୍, କଥା ବେଶୀ। ଶାସକ ଦଳ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ବିତି, ବିଜେଡି ସରକାର ଅମଳରେ ସରକାର କହିଲେ କେବଳ ଜଣେ ବ୍ୟକ୍ତିଙ୍କୁ ବୁଝାଯାଉଥିଲା। 5T କେବଳ ଫ୍ଲାସ୍ ଥିଲା। 5T କଅଣ ଏଯାଏଁ ଲୋକେ ବୁଝିପାରିଲେନି। ପୂର୍ବ ସରକାରର କୌଣସି କାମକୁ ମୋହନ ସରକାର ଅନୁକରଣ କରିବାର ପ୍ରଶ୍ନ ଉଠୁନି। ଲୋକଙ୍କ ସରକାର ଲୋକଙ୍କ ମତାମତରେ ଚଳାଇବାକୁ ଏହା ଉଚିତ୍ ପଦକ୍ଷେପ। ଲୋକ ସେବା ପାଉଛନ୍ତି କି ନାହିଁ। ଅଫିସରଙ୍କ କେମିତି ବ୍ୟବହାର ରହୁଛି। ଅଫିସରୁ ସେବା ପାଇ ଆନନ୍ଦରେ ନା ଅସନ୍ତୁଷ୍ଟ ହୋଇ ଫେରୁଛନ୍ତି ଲୋକେ। ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ। ସର୍ବୋପରି ୟୁଜର୍ସ ଫିଡବ୍ୟାକ୍ ଆଧାରରେ ପ୍ରଶାସନକୁ କ୍ରିୟାଶୀଳ ଓ ସରକାରଙ୍କୁ ଜବାବଦେହୀ କରିବାର ଏହି ଫର୍ମୁଲା ବାସ୍ତବରେ କେତେଦୂର ସାଧିତ ହେଉଛି ସମୟ କହିବ। ଏବେ ଅନଲାଇନ ଜରିଆରେ ସରକାର ୩୨ଟି ବିଭାଗର ୪୨୮ଟି ସେବା ଯୋଗାଇ ଦେଉଛନ୍ତି। ଆମ ଶାସନ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ୮ଟି ବିଭାଗର ୧୩ଟି ସେବା ପାଇଁ ଫିଡବ୍ୟାକ ବ୍ୟବସ୍ଥା ଆରମ୍ଭ ହୋଇଛି। ଏ ସବୁ ବିଭାଗ ହେଲା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅନ୍ତ୍ୟୋଦୟ ଗୃହ ଯୋଜନା, ସାମାଜିକ ସୁରକ୍ଷା ବିଭାଗର ମଧୁବାବୁ ପେନସନ ଯୋଜନା, ମହିଳା ଓ ଶିଶୁ ବିକାଶ ବିଭାଗର ସୁଭଦ୍ରା, ଅନୁସୂଚିତଜାତି ଜନଜାତି ବିଭାଗର ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, କୃଷି ବିଭାଗର ଶ୍ରୀଅନ୍ନ ଓ ସିଏମ କିଷାନ, ଖାଦ୍ୟ ଯୋଗାଣ ବିଭାଗର ଧାନ ସଂଗ୍ରହ, ସ୍ୱାସ୍ଥ୍ୟ ବିଭାଗର ଇନ୍ ପେସେଣ୍ଟ ଓ ଆଉଟ ପେସେଣ୍ଟ ସେବା, ଆୟୁଷ୍ମାନ ବୟୋବନ୍ଦନା ଏବଂ ଗୃହ ବିଭାଗର ଏଫଆଇଆର, ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପ୍ରଦାନ ଓ ପିଟିସନ।
Naxatra News is now on Whatsapp
Join and get latest news update delivered to you via whatsapp
Join Now