ରାଜନୀତି ପଶାପାଲିରେ ଅତିରିକ୍ତ ଜିଲ୍ଲାପାଳ! ରାୟଗଡ଼ା ଜିଲ୍ଲା ବିଜେପି ସଭାପତି ଗୋପି ଆନନ୍ଦ ଓ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କ ଭିତରେ ବିବାଦ ଉଗ୍ର ହେଲାଣି। ଏହି ବିବାଦକୁ ନେଇ ଜିଲ୍ଲାରେ ଥିବା ଆଦିବାସୀ ମହାସଂଘ ତିନି ଭାଗ ହୋଇସାରିଲାଣି। ତିନି ପ୍ରମୁଖ ରାଜନୈତିକ ଦଳ ଭିନ୍ନ ଭିନ୍ନ ସାମ୍ୱାଦିକ ସମ୍ମିଳନୀ କରି ପରସ୍ପରକୁ ଘେରିଛନ୍ତି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ରାୟଗଡା, ବିଷମକଟକ ଓ ଗୁଣୁପୁର ବିଧାୟକ ଭୂବନେଶ୍ୱରରେ ସାମ୍ୱାଦିକ ସମ୍ମିଳନୀ କରି ଏହି ଘଟଣାକୁ ନିନ୍ଦା କରିବା ସହ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବବ୍ୟବହାର କରିବା ଉଚିତ ନୁହେଁ, ଯଦି ଲାଗିବାର ସତସାହସ ଅଛି ତେବେ ଆମ୍ଭମାନଙ୍କ ସହ ଲଢ଼େଇ କର ବୋଲି ଆହ୍ୱାନ ଦେଇଛନ୍ତି ବିଷମକଟକ ବିଧାୟକ ନୀଳମାଧବ ହିକ୍କକା। ତୁରନ୍ତ ବିଜେପି ସଭାପତିଙ୍କୁ ଗିରଫ କରିବାକୁ ଦାବି କରିଛି କଂଗ୍ରେସ। ଏଡିଏମଙ୍କୁ ସମର୍ଥନ କରି ଆଗକୁ ବାହାରିଛି ବିଜେଡି। ସରକାରୀ କର୍ମଚାରୀ ବିନା ସ୍ୱାର୍ଥରେ କାମ କରୁଥିଲା ବେଳେ ଏମାନଙ୍କୁ ଅସଭ୍ୟ ବ୍ୟବହାର ଗ୍ରହଣୀୟ ନୁହେଁ। ପ୍ରଶାସନିକ କାମରେ ବାଧା ଦେଇ ଜିଲ୍ଲାର ବିକାଶକୁ ବାଧା ଦେଉଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି। ଜିଲ୍ଲା ବିଜେଡି ସଭାପତି ଏନ.ଭାସ୍କର ରାଓଙ୍କ ସମେତ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦାବି କରିଛନ୍ତି। ପ୍ରଦୀପ ଆରୋପ ଲଦିଛନ୍ତି ଯେ, ଜିଲ୍ଲା ବିଜେପି ସଭାପତି ଚାନ୍ଦା ମାଗି ଆତଙ୍କରାଜ ଚଳାଇଛନ୍ତି। ସୁନା ଦୋକାନୀଙ୍କୁ ଲକ୍ଷେ, ମିଲରଙ୍କୁ ୨ଲକ୍ଷ ଓ ଶିଳ୍ପାନୁଷ୍ଠାନକୁ ୫ଲକ୍ଷ ଦାବି କରୁଛନ୍ତି। ଜିଲ୍ଲା ବିଜେପି ସଭାପତି ଗୋପି ଆନନ୍ଦକୁ ସମର୍ଥନ ଜଣାଇ ବିଜେପି ସାମ୍ୱାଦିକ ସମ୍ମିଳନୀ କରି କହିଛି, ପ୍ରଶାସନିକ ଅଧିକାରୀମାନେ ବିଜେଡିର ଗୋଲାମି କରୁଥିଲେ। ରାୟଗଡ଼ାର ବିକାଶ ପାଇଁ ପ୍ରଶ୍ନ କରିବା କଅଣ ଭୁଲ୍। ଅତିରିକ୍ତ ଜିଲ୍ଲାପାଳ ରାଗି ଓଏଏସ ସଂଘକୁ ଏକାଠି କରି ଥାନାରେ ଏତଲା ଦେବା କେତେଦୂର ଠିକ୍। କିଛି ନ ଜାଣି ପ୍ରଦୀପ ମାଝୀ ଏଭଳି ମନ୍ତବ୍ୟ ଦେବା ଠିକ୍ ହୋଇନି ବୋଲି କହିଛନ୍ତି ବସନ୍ତ ଉଲ୍ଲାକା। ପ୍ରଶାସନ କହିଛି, ଏତଲା ଦିଆଯାଇଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ଗଲା ୨୦ ତାରିଖରେ ଅତିରିକ୍ତ ଜିଲ୍ଲାପାଳ ଅଭିଯୋଗ କରିଥିଲେ ଯେ, ଜିଲ୍ଲା ବିଜେପି ସଭାପତି ଗୋପି ଆନନ୍ଦ ପ୍ରଶ୍ନ କରିବା ଆଳରେ ଚଳିତ ମାସ ମୋବାଇଲ ଯୋଗେ ଚାରି ଚାରି ଥର ତାଙ୍କୁ ଖରାପ ବ୍ୟବହାର କରିଥିଲେ। ଏହା ପରେ ଜିଲ୍ଲା ଓଏଏସ୍ ସଂଘରେ ଫେରାଦ୍ ହେବା ସହ ଜିଲ୍ଲାର ଉନ୍ନୟନ କାର୍ଯ୍ୟରେ ବାଧା ହେଉଥିବା ଅଭିଯୋଗ କରି ଜାତିଆଣ ଆକ୍ଷେପର ଆରୋପ ଆଣି ଏତଲା ଦେଇଥିଲେ ଏଡିଏମ୍। ଏନେଇ ଜିଲ୍ଲା ବିଜେପି ସଭାପତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ବିଷମକଟକରୁ ଜି.ଶ୍ରୀନିବାସ କୁମାରଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp
Join and get latest news update delivered to you via whatsapp
Join Now