ବ୍ରହ୍ମକ୍ଷେତ୍ର ଘୋଷଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି : ରଥଟଣା ବେଳେ ରଥ ଉପରେ ୨୦ ଜଣ ରହିବାକୁ ନିଷ୍ପତି

Spread the love

ସାଲେପୁର : ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ଜୁନ୍ ୨୦ ତାରିଖରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ମଧ୍ୟ ପାରମ୍ପରିକ ରୀତିରେ ପାଳନ କରାଯିବ । ଚଳିତ ବର୍ଷ ଘୋଷ ଯାତ୍ରାକୁ ସରସ, ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ସୋମବାର ପୂର୍ବାହ୍ନରେ ମନ୍ଦିର ପରିସରରେ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ତହସିଲଦାର ଦିଲ୍ଲୀପ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ବଳଦେବଜୀଉ ମନ୍ଦିର ମ୍ୟାନେଜିଂ ବୋର୍ଡର ଟ୍ରଷ୍ଟୀ ଧୀରେନ୍ଦ୍ରନାଥ ବେହେରାଙ୍କ ପୌରୋହିତ୍ୟରେ ଏଥିରେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ନୟନା ମଲ୍ଲିକ, ସ୍ୱାସ୍ଥ୍ୟକର୍ମୀ ସୁବ୍ରତ କୁମାର ସେଠୀଙ୍କ ସମେତ ବିଭିନ୍ନ ଲାଇନ ବିଭାଗର ଅଧିକାରୀ, ଶ୍ରୀଜୀଉଙ୍କର ନାଜିମନ୍ତ, ପଣ୍ଡାପଡିହାରୀ ଓ ରଥ ନିର୍ମାଣ କରୁଥିବା କାରିଗରମାନେ ଯୋଗଦେଇ ଶୃଙ୍ଖଳିତ ଯାତ୍ରାର ବିଭିନ୍ନ ଦିଗ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ବିଶେଷକରି ଚଳିତ ବର୍ଷ ୧୫ ତାରିଖ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବା, ରଥ ଦାଣ୍ଡରେ ଯାଇଥିବା ବିଦ୍ୟୁତ ଖୁଂଟ ଓ ତାରକୁ ଉଠାଇ କେବୁଲ ଦ୍ୱାରା ଭୂଇଁତଳେ ନେଇ ସଂଯୋଗ ଦେବା, ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଯାତ୍ରୀମାନଙ୍କର ସୁବିଧା ପାଇଁ ଏକ ନଳକୂପ ଖୋଳିବା, ରଥଦାଣ୍ଡକୁ ଯଥାଶୀଘ୍ର ପରିଷ୍କାର ପରିଚ୍ଛନ୍ନ କରିବା, ରଥଯାତ୍ରାର ୯ ଦିନ ସ୍ଥାନୀୟ ବଜାରରେ ଆମିଷ ଦ୍ରବ୍ୟ ବିକ୍ରି ନିଷେଧ କରିବା, ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ ଟ୍ୟାଙ୍କର ବ୍ୟବସ୍ଥା କରିବା, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାଥମିକ ଚିକିତ୍ସା କରିବା ଏବଂ ଓ.ଆର.ଏସ୍‌. ଓ ବ୍ଲିଚିଂ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେବା, ଶୃଙ୍ଖଳା ରକ୍ଷା ପାଇଁ ଅଧିକ ସଂଖ୍ୟକ ପୋଲିସ ଫୋର୍ସ ନିୟୋଜିତ କରିବା ଆଦି ସଂକ୍ରାନ୍ତରେ ବିଶଦ୍ ଆଲୋଚନା କରାଯାଇଥିଲା । ସଂଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଥ ପହଂଚିବା ଏବଂ ରଥଟଣା ହେଲା ବେଳେ ରଥ ଉପରେ ୨୦ରୁ ଅଧିକ ଲୋକ ନରହିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହାଛଡା ରଥ ତିଆରି ପୂର୍ବରୁ ପ୍ରତ୍ୟେକ ବର୍ଷ ମ୍ୟାନେଜିଂ ଟ୍ରଷ୍ଟ ବୋର୍ଡ ପକ୍ଷରୁ ୧୫୦୦ ସିଫ୍ଟ ଶାଳୁଆକାଠ ଯୋଗାଇ ଦେବାକୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା ।

ଏହି ବୈଠକରେ ଟ୍ରଷ୍ଟ ବୋର୍ଡର ସଭ୍ୟ ଚୌଧୁରୀ ଅଜୟ କୁମାର ନନ୍ଦ, ରାଜେନ୍ଦ୍ର ମୋହନ କର, ସରପଂଚ ପ୍ରତିନିଧି ଜ୍ଞାନରଂଜନ ରାଉତ, ବଳଦେବଜୀଉ ବ୍ୟବସାୟୀ ସଂଘର ସଭାପତି ସନ୍ତୋଷ ପ୍ରଧାନ, ଯୁବ ସ୍ୱେଚ୍ଛାସେବୀ ଦୀପକ ପରିଡା, ପ୍ରଫୁଲ୍ଲ କୁମାର ପଣ୍ଡା, ପ୍ରୀତିରଂଜନ ପଣ୍ଡା, କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଶ୍ରୀ ଜିଉଙ୍କ ତହସିଲଦାର ଅଚ୍ୟୁତାନନ୍ଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *