ସ୍ବାମୀ ଛାଡିଯିବା ପରେ ନାହିଁ ନାହିଁରେ ଚାଲିଛି କୁନିଲତାଙ୍କ ପରିବାର

Spread the love

ରାଜକନିକା: ସେ ଥିଲେ, ସବୁ ଥିଲା । ଅଭାବ ଥିଲେ ବି କଷ୍ଟେ ମଷ୍ଟେ ଚଳିଯାଉଥିଲା ସଂସାର । ହେଲେ ସେ ଯିବା ପରଠୁ ସବୁଠି ନାହିଁ ନାହିଁର ଛାଇ । ସ୍ତ୍ରୀ ସ୍ଵାମୀଙ୍କ ଆସିବା ବାଟକୁ ଅପେକ୍ଷା କରିଛି ତ ପିଲା ଦୁଇଜଣ ଅପେକ୍ଷା କରିଛନ୍ତି ବାପାର ଫେରିବା ବାଟକୁ। ଏ ଅପେକ୍ଷା ଦିନେ କି ମାସକର ଅପେକ୍ଷା ନୁହେଁ, ଦୀର୍ଘ ପାଞ୍ଚ ବର୍ଷର ଅପେକ୍ଷା।କେନ୍ଦ୍ରାପଡ଼ା ଇଶ୍ୱରପୁର ଗାଁର କୁନିଲତାଙ୍କ ପରିବାରର ଦୁର୍ଦ୍ଦଶା କହିଲେ ନ ସରେ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଜୟନଗର ପଞ୍ଚାୟତର ଈଶ୍ଵରପୁର ଗାଁର ନାରାୟଣ ନାୟକ । ଆଜକୁ ଦୀର୍ଘ ପାଞ୍ଚବର୍ଷ ହେବ କେଉଁଆଡେ ଚାଲିଯାଇଛନ୍ତି ନାରାୟଣ । ବାପା ଥିଲେ ମୂଲ ମଜୁରୀ ଲାଗି ଭଲ ମନ୍ଦରେ ଘର ଚଳୁଥିଲା। ହେଲେ ଆଜି ପଖାଳ ପିଆଜରେ ଦିନ କଟୁଛି । ପିଲାଏ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ଚଳିଯାଉଥିବା ବେଳେ, ମା ଏ ଗାଁରୁ ସେ ଗାଁ, ଏ ସାଇରୁ ସେ ସାଇ ବୁଲି ଭିକ୍ଷାକରି ପିଲାଙ୍କ ମୁହଁରେ ଦାନା ଗଣ୍ଡାଏ ଯୋଗାଇଥାନ୍ତି । ମଧ୍ୟାହ୍ନରେ କେବେ କେମିତି କାହାଘରୁ କିଛି ମିଳିଲେ  ଖାଇଥାନ୍ତି ତ କେବେ ଉପବାସ।

ନାରାରଣଙ୍କ ଯିବା ପରେ ଗତ ୫ ବର୍ଷ ହେଲାଣି ଦୁଃଖ କଷ୍ଟ ଭିତରେ ବାହୁନି ବାହୁନି କାନ୍ଦୁଛନ୍ତି ସ୍ତ୍ରୀ କୁନିଲତା । ଘରର ମୁରବିଙ୍କ ଅନୁପସ୍ଥିତିରେ ଜୀବନ ଦୁର୍ବିସହ ପାଲଟି ଗଲାଣି । ପିଲାଙ୍କ ମୁଁହରେ ଦିମୁଠା ଯୋଗାଡିବା ତାଙ୍କ ପାଇଁ ସମ୍ଭବ ହେଉଛି । ଖରା, ବର୍ଷା, ଶୀତ କାକରରେ କେତେ କେଉଁଠୁ ଆଣିବି ବୋଲି ଆଖି ଛଳଛଳ ଧୀର କଣ୍ଠରେ କୁହନ୍ତି କୁନିଲତା ।

ଅଷ୍ଟମରେ ଝିଅ ଓ ଗାଁ ପ୍ରାଇମେରୀ ସ୍କୁଲରେ ପୁଅ ପାଠ ପଢୁଛନ୍ତି। ହେଲେ ଗଣ୍ଡେ ଖାଇବାକୁ, ଖଣ୍ଡେ ପିନ୍ଧିବାକୁ ଯୋଗାଡ କରିବା ଯେଉଁଠି କଷ୍ଟ, ସେଠି ବହି ଖାତା କଲମ କଥା ପଚାରେ କିଏ ବୋଲି ଛଳଛଳ ଆଖିରେ ଗୁଣୁଗୁଣୁ ହୋଇ କହୁଥିଲେ କୁନିଲତା । କିନ୍ତୁ ପିଲାମାନଙ୍କୁ ମଣିଷ କରିବାକୁ ପ୍ରବଳ ଇଚ୍ଛା । ହେଲେ ସବୁଇଚ୍ଛା ଛଡାଇ ନେଇଛି ସମୟ ।

ଏ ନେଇ ରାଜକନିକା ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ କହିଛନ୍ତି, ପରିବାର ରାସନରେ ଚାଉଳ ପାଉଛନ୍ତି। ଅଧିକ ସାହାଯ୍ୟ ଓ ସହଯୋଗ କରି କିଭଳି ଅନ୍ୟ ସରକାରୀ ସ୍କିମରେ ଅନ୍ତର୍ଭୁକ୍ତ ହୋଇପାରିବେ, ସେ ନେଇ ଚେଷ୍ଟା କରିବେ। ଅନ୍ୟପଟେ କୁନିଲତାଙ୍କୁ ବ୍ୟକ୍ତିଗତସ୍ତରରେ  ସାହାଯ୍ୟ କରିବାକୁ ତାଙ୍କ ମୋବାଇଲ ନଂ- ୯୧୧୪୧୬୮୭୬୬ରେ ଯୋଗାଯୋଗ କରି ପାରିଲେ ଭଲ ହୁଅନ୍ତା ବୋଲି ଗ୍ରାମବାସୀ କହିଛନ୍ତି।

Leave a Reply

Your email address will not be published. Required fields are marked *