ଗାଁ କୁ ଯାଇ ପାରିଲାନି ଆମ୍ବୁଲାନ୍ସ : ଖଟିଆରେ ବୁହା ହେଲେ ରୋଗୀ

Spread the love

ଚମ୍ପୁଆ : ଗାଁକୁ ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ । ଏକ କିଲୋମିଟର ଖଟିଆରେ ବୁହା ହେବା ପରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଲେ , ଠିକ ସମୟରେ ଡାକ୍ତରଖାନା ପହଂଚାଇ ନପାରିବାରୁ ବିଳମ୍ବିତ ଚିକିତ୍ସା ହେତୁ ଆଖି ବୁଜିଦେଲେ ରୋଗୀ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ପରି ବିତଶାଳୀ ଜିଲ୍ଲାର ଖଣି ଖାଦାନ ଭରା ଚମ୍ପୁଆ ଉପଖଣ୍ଡସ୍ଥ ଚମ୍ପୁଆ ବ୍ଲକ ପଡୁଆ ପଂଚାୟତ ଅନ୍ତର୍ଗତ ନିଶାଗଡ଼ିଆ ଗ୍ରାମ ଜାମୁଦା ସାହିରେ । ସୂଚନା ଅନୁଯାୟୀ, ଚମ୍ପୁଆ ବ୍ଲକ ଅନ୍ତର୍ଗତ ପଡୁଆ ପଂଚାୟତ ନିଶାଗଡ଼ିଆ ଗ୍ରାମର ଜାମୁଦା ସାହିର ଲାମ୍ବା ମୁଣ୍ଡାଙ୍କ ଦେହ ଗତ ରାତିରେ ଅସୁସ୍ଥ ହେବାରୁ ଡାକ୍ତରଖାନା ନେବା ପାଇଁ ଘର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସିଲା କିନ୍ତୁ ଗାଁ ମୁଣ୍ଡରୁ ଜାମୁଦା ସାହି ପର୍ଯ୍ୟନ୍ତ ଏକ କିଲୋମିଟର ରାସ୍ତା ନଥିବାରୁ ଘର ପର୍ଯ୍ୟନ୍ତ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସ କର୍ମଚାରୀମାନେ ଘର ଲୋକଙ୍କ ସହାୟତାରେ ଲାମ୍ବା ମୁଣ୍ଡାଙ୍କୁ ଖଟିଆ ସାହାଯ୍ୟରେ ଏକ କିଲୋମିଟର ରାସ୍ତା ବୋହି ଆମ୍ବୁଲାନ୍ସ ପାଖରେ ପହଂଚାଇଥିଲେ । ଆମ୍ବୁଲାନ୍ସ ପାଖକୁ ନିଆଯିବା ପରେ ନିକଟସ୍ଥ ଭଣ୍ଡା ଡାକ୍ତରଖାନାକୁ ନିଆ ଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ସରକାରଙ୍କ ବିଭିନ୍ନ ଯୋଜନାରେ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ ସ୍ୱାଧୀନତାର ୭୫ ବର୍ଷ ପରେବି କେନ୍ଦୁଝର ପରି ବିତଶାଳୀ ଜିଲ୍ଲାର ଖଣିଖାଦାନ ଭରା କୁବେରପୁରୀ କୁହାଯାଉଥିବା ଚମ୍ପୁଆ ଉପଖଣ୍ଡ ର ରତ୍ନ ଭଣ୍ଡାର ଉପରେ ଘର କରି କିଏ ପେଟ ଚାଖଣ୍ଡକ ପାଇଁ ରାତି ଦିନ ସଂଗ୍ରାମ କରୁଛି ତ କେଉଁଠି ରାସ୍ତା ଅଭାବରୁ ଆମ୍ବୁଲାନ୍ସ ପହଂଚି ନପାରି ରୋଗୀ ଖଟିଆରେ ବୁହା ହେବା କଥା କହିଲେ ଯେ କେହିବି ଅବିଶ୍ୱାସ କରିବେ ନିଶ୍ଚୟ । ଯେଉଁ ଉପଖଣ୍ଡର ରାଜସ୍ୱ ଉପରେ ସାରା ରାଜ୍ୟ ନିର୍ଭର କରୁଛି ସେହି ଉପଖଣ୍ଡରେ ଏପରି ଗାଁ ରହିଛି ଯେଉଁ ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ରୋଗୀଙ୍କୁ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ନେବା ନିଶ୍ଚିତ ଭାବରେ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ପଡୁଆ ପଂଚାୟତ କାର୍ଯ୍ୟାଳୟରେ ସାହି ବାସିନ୍ଦାଙ୍କ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବିହେବା ସତ୍ୱେ ସାହିକୁ ରାସ୍ତା ନିର୍ମାଣ କରା ନଯିବା ତଥା ଗତ ବର୍ଷ ମନରେଗା ଯୋଜନାରେ ଆରମ୍ଭ ହୋଇଥିବା ମାଟି ରାସ୍ତା କାମ ଅଧାରେ ପଡି ରହିଥିବା ଯୋଗୁଁ ଏହି ରାସ୍ତାରେ ଆମ୍ବୁଲାନ୍ସ ଯାଇନପାରିବାରୁ ଠିକ ସମୟରେ ଚିକିତ୍ସା ନପାଇ ରୋଗୀ ଆଖି ବୁଜି ଦେଇଥିବା ଗ୍ରାମବାସୀ ଅଭିଯୋଗ ଆଣିଥିବାବେଳେ ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି ।

Leave a Reply

Your email address will not be published. Required fields are marked *