ଭୁବନେଶ୍ୱର : ରାଜ୍ୟରେ କୃଷି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରି କୃଷି ଉଦ୍ୟୋଗ କ୍ଷେତ୍ରରେ ପର୍ଯ୍ୟାପ୍ତ ପୁଂଜିନିବେଶକୁ ଆକୃଷ୍ଟ କରିବା ଓ ଯୋଜନାର ସଫଳ ରୂପାୟନ ନିମନ୍ତେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ମାର୍ଗଦର୍ଶିକାରେ ପରିବର୍ତ୍ତନ କରାଯାଇଛି । ଏହି କ୍ରମରେ କୃଷି ଉଦ୍ୟୋଗରେ ପୁଂଜିନିବେଶ ସବ୍ସିଡି ରାଶି ୫୦ ଲକ୍ଷ ଟଙ୍କାରୁ ଏକ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଅଧିକ ପୁଂଜିନିବେଶର ସମ୍ଭାବନାକୁ ଦୃଷ୍ଟିରେ ରଖି ୫୦ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଛି । ପୂର୍ବରୁ ସର୍ବୋଚ୍ଚ ୨୦ କୋଟି ଟଙ୍କାର ପ୍ରକଳ୍ପ କୃଷି ଉଦ୍ୟୋଗ ଯୋଜନାରେ ସାମିଲ କରାଯାଇଥିଲା । ସେହିପରି ଯୋଜନାକୁ ବ୍ୟାପକ କରିବା ପାଇଁ ଟ୍ରାନ୍ସଜେଣ୍ଡରମାନଙ୍କୁ ଏଥିରେ ସାମିଲ କରାଯାଇଛି ଏବଂ ୫୦ ପ୍ରତିଶତ ପର୍ଯ୍ୟନ୍ତ ପୁଂଜିନିବେଶ ସବ୍ସିଡି ରାଶି ପାଇବା ନିମନ୍ତେ ସେମାନେ ଯୋଗ୍ୟ ବିବେଚିତ ହେବେ ।
ରାଜ୍ୟରେ କୃଷି ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ଏବଂ ବିପୁଳ କର୍ମସଂସ୍ଥାନ ସୃଷ୍ଟି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହା ଦ୍ୱାରା ରାଜ୍ୟରେ କୃଷି ଏବଂ ଆନୁଷଙ୍ଗିକ କୃଷି ସହିତ ଜଡ଼ିତ କୃଷକମାନଙ୍କର ଆୟବୃଦ୍ଧି ଘଟିବା ସହିତ ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି ହୋଇପାରୁଛି ।
ଏହି ସଂଶୋଧିତ ମାର୍ଗଦର୍ଶିକା ୨୦୨୩ ମସିହା ଅପ୍ରେଲ ୧ ତାରିଖଠାରୁ ଅନ୍ ଲାଇନ୍ ରେ ଆବେଦନ କରିଥିବା ଉଦ୍ୟୋଗୀଙ୍କ ନିମନ୍ତେ ଲାଗୁ କରାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now